କରୋନା ଆତଙ୍କ: ୪ ଲକ୍ଷ ନାବିକ ୧୬ ମାସ ଧରି ଘର ଠୁଁ ଦୂରରେ

ମାନିଲା,୧।୧୧: ପୃଥିବୀରେ ଦେଖାଦେଇଥିବା କରୋନା ମହାମାରୀ ଯୋଗୁ ବିଭିନ୍ନ ଦେଶର ୪ ଲକ୍ଷରୁ ଅଧିକ ନାବିକ ୧୬ ମାସ ଧରି ଘରକୁ ଫେରି ନାହାନ୍ତି। ନାବିକଙ୍କ ସମେତ ବହୁ ଅଧିକାରୀ ଏବଂ ବନ୍ଦର କର୍ମଚାରୀ ଅଟକି ରହିଛନ୍ତିି। ସେମାନେ ବନ୍ଦର ତଥା ଜାହାଜରେ ରହିଛନ୍ତି। ଏନେଇ ଫିଲିପାଇନ୍ସ୍‌ର ଜଣେ ସହାୟକ ମେରାଇନ୍‌ ଇଞ୍ଜିନିୟର ଏଲୋନ୍‌ ସୂଚନା ଦେଇଛନ୍ତି। ଗତ ସପ୍ତାହରେ ତାଙ୍କ ଜାହାଜ ବ୍ରାଜିଲ୍‌ର ସେଣ୍ଟୋସ୍‌ ବନ୍ଦରରେ ପହଞ୍ଚିଥିଲା। ତାଙ୍କ ବିବାହ ପାଇଁ ଦିନ ଧାର୍ଯ୍ୟ ହୋଇଥିଲା। ସେ ଘରକୁ ଫେରିବାକୁ ପ୍ରୟାସ କରିଥିଲେ ମଧ୍ୟ କରୋନା ଆତଙ୍କ ଯୋଗୁ ବନ୍ଦର କର୍ତ୍ତୃପକ୍ଷ ଅନୁମତି ଦେଇ ନ ଥିଲେ। ଇତିମଧ୍ୟରେ ଏଲୋନ ୩ ଥର ଘରକୁ ଯିବାକୁ ଉଦ୍ୟମ କରିଥିଲେ ମଧ୍ୟ ଅନୁମତି ମିଳିପାରୁନିି। ଏଲୋନଙ୍କ ଭଳି ଅନ୍ୟମାନଙ୍କୁ ମଧ୍ୟ ଏଭଳି ସମସ୍ୟାର ସମ୍ମୁଖୀନ ହେବାକୁ ପଡୁଛି। ଅନ୍ତର୍ଜାତୀୟ ଆଇନ ଅନୁସାରେ ନାବିକଙ୍କୁ ୧୧ ମାସରୁ ଅଧିକ ସମୟ ସମୁଦ୍ରରେ ରଖାଯାଇ ପାରିବ ନାହିଁ। ତେବେ କରୋନା ସଂକ୍ରମଣ ଯୋଗୁ ଏହି ଆଇନର ଖୋଲାଖୋଲି ଉଲ୍ଲଂଘନ ହେଉଥିବା ଅଭିଯୋଗ ହେଉଛି।

Share