କରୋନା ଆକ୍ରାନ୍ତଙ୍କ ସୁସ୍ଥ ହେବା ହାର ୮୨ ପ୍ରତିଶତ ଟପିଲା

ନୂଆଦିଲ୍ଲୀ, ୨୭।୯: ଭାରତରେ କରୋନା ସଂକ୍ରମଣ ଥମିବାର ନା ଧରୁନି। ପ୍ରତିଦିନ ନୂଆ ଆକ୍ରାନ୍ତ ଏବଂ ମୃତକଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ତେବେ ଦେଶରେ କରୋନା ଆକ୍ରାନ୍ତଙ୍କ ସୁସ୍ଥ ହେବା ହାର ୮୨.୪୬ ପ୍ରତିଶତ ଛୁଇଁଛି ବୋଲି ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି। ଇତିମଧ୍ୟରେ ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୫୯ ଲକ୍ଷ ୯୨ ହଜାର ୫୩୩ରେ ପହଞ୍ଚିଛି। ସେଥିମଧ୍ୟରୁ ୯୪ ହଜାର ୫୦୩ ଜଣ ଲୋକଙ୍କ ମୃତ୍ୟୁ ଘଟିଛି। ସମ୍ପ୍ରତି ୯ ଲକ୍ଷ ୫୬ ହଜାର ୪୦୨ ଜଣ ଆକ୍ରାନ୍ତ ଚିକିତ୍ସିତ ହେଉଛନ୍ତି। ଅପରପକ୍ଷରେ ୪୯ ଲକ୍ଷ ୪୧ ହଜାର ୬୨୮ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ଦେଶରେ ୮୮ ହଜାର ୬୦୦ ଜଣ ନୂଆକରୋନା ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଛି। ଏହି ସମୟ ମଧ୍ୟରେ ହଜାରେ ୧୨୪ ଜଣଙ୍କ ମୃତ୍ୟୁ ଘଟିଛି। ଅଗଷ୍ଟ ୭ରେ ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨୦ ଲକ୍ଷ ଟପିଥିଲା। ଏହା ୨୩ ଅଗଷ୍ଟରେ ୩୦ ଲକ୍ଷ, ୫ ସେପ୍ଟେମ୍ବରରେ ୪୦ ଲକ୍ଷ ଏବଂ ୧୬ ସେପ୍ଟେମ୍ବରରେ ୫୦ ଲକ୍ଷ ଟପିଥିଲା ବୋଲି ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି।

Share