କରୋନା ନୂଆ ଷ୍ଟ୍ରେନ୍‌: ଅଧିକ ମାରାତ୍ମକ ହେବା ଆଶଙ୍କା

ନୂଆଦିଲ୍ଲୀ,୨୪।୨: ଦେଶରେ ପୁଣି କରୋନା ଆତଙ୍କ ଆରମ୍ଭ ହୋଇଛି। ମହାରାଷ୍ଟ୍ର,କେରଳ ଏବଂ ତେଲଙ୍ଗାନାରେ କରୋନାର ନୂଆ ଷ୍ଟ୍ରେନ୍‌ ଚିହ୍ନଟକ ହୋଇଛି। ଭାରତରେ ମିଳିଥିବା ନୂଆ ଷ୍ଟ୍ରେନ୍‌ ବ୍ରିଟେନଠାରୁ ଅଧିକ ମାରାତ୍ମକ ହେବାର ଆଶଙ୍କା ରହିଥିବା ବିଶେଷଜ୍ଞ ଚେତାବନୀ ଦେଇଛନ୍ତି। ଚଣ୍ଡିଗଡ଼ ପିଜିଆଇଏମ୍‌ଇଆର୍‌ ଅନୁସାରେ ନୂଆ ଷ୍ଟ୍ରେନ୍‌ ନେଇ ଅଧିକ ସତେଚନ ରହିବା ଆବଶ୍ୟକ। ତେବେ କେନ୍ଦ୍ର ସରକାରଙ୍କ ପକ୍ଷରୁ କୁହାଯାଇଛି ଯେ, ଭାରତର କେତେକ ରାଜ୍ୟରେ ବଢ଼ିଥିବା କରୋନା ଆକ୍ରାନ୍ତଙ୍କ ସଂଖ୍ୟାରେ ଏନ୍‌-୪୪୦ ଏବଂ ଇ-୪୮୪-କ୍‌ୟୁ ଭ୍ୟାରିଆଣ୍ଟ୍‌ର କୌଣସି ସମ୍ପର୍କ ନାହିଁ। ସେହିପରି ଆଇସିଏମ୍‌ଆର୍‌ ଅନୁସାରେ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧିରେ ଏସବୁ ଭ୍ୟାରିଆଣ୍ଟ୍‌ ଦାୟୀ ନୁହେଁ। ନୀତି ଆୟୋଗ ସଦସ୍ୟ ବି.କେ. ପଲ୍‌ଙ୍କ ଅନୁସାରେ ଦେଶରେ ସାର୍ସ-କୋଭ୍‌-୨ ବିଟ୍ରେନ୍‌ ଷ୍ଟ୍ରେନ୍‌ ଦ୍ୱାରା ୧୮୭ ଆକ୍ରାନ୍ତ ହୋଇଛନ୍ତି। ସେହିପରି ଦକ୍ଷିଣ ଆଫ୍ରିକା କରୋନା ଭ୍ୟାରିଆଣ୍ଟ୍‌ ୬ ଜଣ ଲୋକଙ୍କଠାରେ ଚିହ୍ନଟ ହୋଇଛି। ବ୍ରାଜିଲ୍‌ ଭ୍ୟାରିଆଣ୍ଟ୍‌ରେ ଜଣେ ଆକ୍ରାନ୍ତ ହୋଇଥିବା ସେ ସୂଚନା ଦେଇଛନ୍ତି। ଇତିମଧ୍ୟରେ ନୂଆ ଷ୍ଟ୍ରେନ୍‌ ଚିହ୍ନଟ ପାଇଁ ୩,୫୦୦ ଲୋକଙ୍କ ନମୁନା ପରୀକ୍ଷା ଲାଗି ସଂଗ୍ରହ କରାଯାଇଛି। ମହାରାଷ୍ଟ୍ର,କେରଳ ଏବଂ ତେଲଙ୍ଗାନାରେ ସାର୍ସ-କୋଭ୍‌-୨, ଏନ୍‌-୪୪୦ ଏବଂ ଇ-୪୮୪-କ୍‌ୟୁ ଭ୍ୟାରିଆଣ୍ଟ୍‌ ଚିହ୍ନଟ ହୋଇଛି। ତେବେ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଏସବୁ ଭ୍ୟାରିଆଣ୍ଟ୍‌ର ସିଧା ସଳଖ ସମ୍ପର୍କ ନାହିଁ ବୋଲି ସରକାରଙ୍କ ପକ୍ଷରୁ କୁହାଯାଇଛି।

Share