ଭାରତରେ ଏଣ୍ଡେମିକ୍‌ ହେବାକୁ ଯାଉଛି କରୋନା …

ନୂଆଦିଲ୍ଲୀ,୨୧।୯: ଦେଶରେ କରୋନା ମହାମାରୀର ତୃତୀୟ ଲହର ନେଇ ଆଶଙ୍କା ଏବଂ ଆତଙ୍କ ବୃଦ୍ଧିି ପାଇବାରେ ଲାଗିଛି। ଏପରିସ୍ଥଳେ ଭାକ୍ସିନ୍‌ ବିଶେଷଜ୍ଞ ଗଗନଦୀପ୍‌ କାଙ୍ଗ୍‌ ଗୁରୁତ୍ୱପୂର୍ଣ୍ଣ ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ ଭାରତରେ କରୋନା ଏବେ ଏଣ୍ଡେମିକ୍‌ ହେବାକୁ ଯାଉଛି। କରୋନା ସଂକ୍ରମଣ ସ୍ଥାନୀୟ ଅଞ୍ଚଳରେ ଅଧିକ ହେବା ସହିତ ସାରା ଦେଶରେ ବ୍ୟାପିବାର ଆଶଙ୍କା ରହିଛି।

ତେବେ ଏହି ସମ୍ଭାବ୍ୟ ତୃତୀୟ ଲହର ବିପଜ୍ଜନକ ହେବ ନାହିଁ। ଏହା ପୂର୍ବ ସଂକ୍ରମଣ ତୁଳନାରେ କମ୍‌ ଘାତକ ହେବ। ପେଣ୍ଡେମିକ୍‌ କ୍ଷେତ୍ରରେ ସଂକ୍ରମଣ କମ୍‌ ସମୟ ମଧ୍ୟରେ ଅଧିକ ଲୋକଙ୍କୁ ଆକ୍ରାନ୍ତ କରିଥାଏ। ମାତ୍ର ଏଣ୍ଡେମିକ୍‌ କ୍ଷେତ୍ରରେ ଦେଶର ଏକ ବୃହତ ଜନସଂଖ୍ୟା କରୋନା ମହାମାରୀ ସହିତ ଜୀବନ ଜିଇଁବାକୁ ସକ୍ଷମ ହୋଇ ପାରିବେ। ସମ୍ପ୍ରତି ମହାମାରୀ ସହିତ ବଞ୍ଚି ରହିବା ସ୍ଥିତି ଭାରତରେ ସୃଷ୍ଟି ହେବାକୁ ଯାଉଥିବା ଡ. ଗଗନ କହିଛନ୍ତି।

ପେଣ୍ଡେମିକ୍‌ରୁ ଏଣ୍ଡେମିକ୍‌ ସ୍ଥିତିକୁ ଆସିଲେ ଭୂତାଣୁ ସଂକ୍ରମଣ ନିୟନ୍ତ୍ରଣ ମଧ୍ୟରେ ରହିଥାଏ ବୋଲି ଗଗନଦୀପ୍‌ କହିଛନ୍ତି। କିନ୍ତୁ ରୋଗ ଶେଷ ହୋଇ ନ ଥାଏ। ଅଧିକାଂଶ ରୋଗ ଶେଷ ନ ହୋଇ ଏଣ୍ଡେମିକ୍‌ ସ୍ଥିତିକୁ ଆସିଥାନ୍ତି। ଫଳରେ ବିପଦର ଆଶଙ୍କା କମ୍‌ ରହିଥାଏ। ଏବେ ଭାରତ ପାଖରେ ବିକଶିତ ଭାକ୍ସିନ୍‌ ସହିତ ଅନ୍ୟ ସୁବିଧା ରହିଛି। ତେଣୁ ଦ୍ୱିତୀୟ ଲହର ଭଳି ଅବସ୍ଥା ସୃଷ୍ଟି ହେବାର ଆଶଙ୍କା କମ୍‌ ଥିବା ସେ କହିଛନ୍ତି। ପାର୍ବଣ ଋତୁରେ କରୋନା ମାର୍ଗଦଶିକା ପାଳନ ସହିତ ମାସ୍କ ପିନ୍ଧିବା ଦ୍ୱାରା ସଂକ୍ରମଣ କମ୍‌ ହୋଇ ପାରିବ ବୋଲି ସତର୍କ ସୂଚନା ଦେଇଛନ୍ତି।

Share