Categories: ଜାତୀୟ

ଦେଶର ୪୯୫ଟି ଜିଲାରେ କରୋନା ସଂକ୍ରମଣ ଶୂନ

ନୂଆଦିଲ୍ଲୀ,୨୩।୧୨: ଚାଇନାରେ କରୋନା ସଂକ୍ରମଣ ବୃଦ୍ଧି ପାଇବାରେ ଲାଗିଛି। ଭାରତ ସମେତ ସମଗ୍ର ବିଶ୍ୱ ଏନେଇ ଆଗୁଆ ସତର୍କତା ଅବଲମ୍ବନ କରୁଛନ୍ତି। ତେବେ ଭାରତ ପାଇଁ ପରିସ୍ଥିତି ବର୍ତ୍ତମାନ ନିୟନ୍ତ୍ରଣରେ ରହିଛି। ଦେଶର ୪୯୫ଟି ଜିଲାରେ କରୋନା ସଂକ୍ରମଣ ଶୂନ ରହିଛି। ୧୦ ରୁ ୧୬ ଡିସେମ୍ବର ମଧ୍ୟରେ ଏଠାରେ କୌଣସି କରୋନା ସଂକ୍ରମିତ ଚିହ୍ନଟ ହୋଇନାହିଁ। ଏଥି ସହିତ ପାଞ୍ଚଟି ଜିଲାରେ ଅଧିକ ସଂକ୍ରମଣ ହାର ଥିବାରୁ ରେଡ ଆଲର୍ଟ ଜାରି କରାଯାଇଛି। ଏହି ସୂଚନା କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ଦ୍ୱାରା ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ଏବଂ ସମସ୍ତ ରାଜ୍ୟର ମୁଖ୍ୟମନ୍ତ୍ରୀ ଏବଂ ମୁଖ୍ୟ ସଚିବମାନଙ୍କ ସହ ଅଂଶୀଦାର ହୋଇଥିବା କରୋନା ଜିଲାସ୍ତରୀୟ ସମୀକ୍ଷା ରିପୋର୍ଟରେ ପ୍ରକାଶ ପାଇଛି।
ରିପୋର୍ଟ ଅନୁଯାୟୀ, ଦେଶର ୧୯୨ଟି ଜିଲାରେ କରୋନା ସଂକ୍ରମଣ ହାର ଏକ ପ୍ରତିଶତରୁ କମ ଅଟେ। ଏପରି ଅନେକ ରାଜ୍ୟ ଅଛି, ଯେଉଁଠାରେ ଗତ ଏକ ସପ୍ତାହ ଧରି କୌଣସି ଜିଲାରେ କରୋନା ରୋଗୀ ଚିହ୍ନଟ ଦେଇନାହାଁନ୍ତି। ତେବେ ପାଞ୍ଚଟି ଜିଲା – ମିଜୋରାମରେ ସର୍ଚିପ, ହିମାଚଳ ପ୍ରଦେଶର କୁଲୁ, ଅରୁଣାଚଳ ପ୍ରଦେଶର ପାପାମ ପାରେ, ମଣିପୁରର ଇମ୍ଫାଲ ପଶ୍ଚିମ ଏବଂ ମେଘାଳୟର ପଶ୍ଚିମ ଜୟନ୍ତିଆ ହିଲ୍ସ ଜିଲାକୁ ରେଡ ଆଲର୍ଟ ଦିଆଯାଇଛି। ଏହି ପାଞ୍ଚଟି ଜିଲ୍ଲାରେ କରୋନାର ସାପ୍ତାହିକ ସଂକ୍ରମଣ ହାର ପାଞ୍ଚରୁ ୧୪.୨୯ ପ୍ରତିଶତ ରେକର୍ଡ କରାଯାଇଛି।

Share