ଗଣେଶ ପୂଜା ପରେ କରୋନା ସଂକ୍ରମଣ ବଢ଼ିବା ଆଶଙ୍କା, ସ୍ବାସ୍ଥ୍ୟ ଅଧିକାରୀଙ୍କ ସତର୍କ ସୂଚନା…

ମୁମ୍ବାଇ,୧୨।୯: ଗଣେଶ ପୂଜା ପରେ ମହାରାଷ୍ଟ୍ରରେ କରୋନା ମହାମାରୀ ସଂକ୍ରମଣ ବୃଦ୍ଧି ପାଇବାର ଆଶଙ୍କା ରହିଛି। ଏନେଇ ରାଜ୍ୟ ସର୍ଭେଲାନ୍ସ୍‌ ଅଧିକାରୀ ଡ.ପରାଦୀପ୍‌ ଆଓ୍ବଟେ ଚେତାବନୀ ଦେଇଛନ୍ତି। କେରଳରେ ଓନାମ ପର୍ବ ପରେ କରୋନା ସଂକ୍ରମଣ ବଢ଼ିଥିବା ବେଳେ ଏହାର ପୁନରାବୃତ୍ତି ମହାରାଷ୍ଟ୍ରରେ ହେବାର ଆଶଙ୍କା ରହିଥିବା ନେଇ ସେ ସତର୍କ ସୂଚନା ଜାରି କରିଛନ୍ତି।

ଗଣେଶ ପୂଜାରେ ଭିଡ଼ ଜମିବା ସହ ଲୋକେ କରୋନା ମାର୍ଗଦର୍ଶିକା ପାଳନ କରି ନାହାନ୍ତି। ରାଜ୍ୟ ସରକାରଙ୍କ ପକ୍ଷରୁ ସମସ୍ତ ଜିଲାକୁ ପରାମର୍ଶ ଜାରି କରିଛନ୍ତି ଏବଂ ପାଞ୍ଚଟି ଜିଲାକୁ ସତର୍କତା ଅବଲମ୍ବନ କରିବାକୁ କହିଛନ୍ତି। ଶୀଘ୍ର ନମୁନା ପରୀକ୍ଷା ସହିତ ଆକ୍ରାନ୍ତଙ୍କୁ ଆଇସୋଲେଶନରେ ରଖି ଆବଶ୍ୟକ ଔଷଧ ପ୍ରଦାନ କରିବାକୁ ସରକାର ପରାମର୍ଶ ଦେଇଛନ୍ତି ବୋଲି ସେ କହିଛନ୍ତି।

ଗତ ସାତ ଦିନ ମଧ୍ୟରେ ରାଜ୍ୟରେ ପଜିଟିଭିଟି ହାର ୨.୬୭ ପ୍ରତିଶତ ରହିଛି। କିନ୍ତୁ ଆଠଟି ଜିଲାରେ ବୃଦ୍ଧିି ପାଉଥିବା ସଂକ୍ରମଣକୁ ନେଇ ଅଧିକାରୀମାନେ ଚିନ୍ତିତ ଅଛନ୍ତି। ଡ .ଇଶ୍ୱର ଗିଲାଡା ପରିସ୍ଥିତିକୁ ଅତ୍ୟନ୍ତ ଦ୍ୱନ୍ଦ୍ୱପୂର୍ଣ୍ଣ ବୋଲି କହିିଛନ୍ତି। ସଂକ୍ରମଣ ବଢ଼ିବା ସହିତ ଟିକାକରଣ ଅଭିଯାନ ମଧ୍ୟ ନିରନ୍ତର ଚାଲୁ ନ ଥିବାରୁ ସେ ଉଦ୍‌ବେଗ ପ୍ରକାଶ କରିଛନ୍ତି।

ସେ କହିଛନ୍ତି ଯେ ଗୋଟିଏ ପଟେ ସରକାର ଗଣେଶ ପର୍ବକୁ ପୃଥକ ଭାବରେ ପାଳନ କରିବାକୁ କହୁଥିବା ବେଳେ ଅନ୍ୟପକ୍ଷରେ ହଜାର ହଜାର ବସରେ ଲୋକଙ୍କୁ କୋଙ୍କଣ ଅଞ୍ଚଳକୁ ନେବାକୁ ପ୍ରସ୍ତୁତ ରହିଛନ୍ତି। ଏପରି ପରିସ୍ଥିତିରେ କିପରି ମହାମାରୀକୁ ନିୟନ୍ତ୍ରଣ କରିହେବ ବୋଲି ସେ ଚିନ୍ତା ପ୍ରକଟ କରିଛନ୍ତି।

Share