ରାଜ୍ୟରେ କରୋନା ସଂକ୍ରମଣ ହାର ବୃଦ୍ଧି

ଭୁବନେଶ୍ୱର, ୧୧।୭(ବ୍ୟୁରୋ): ରାଜ୍ୟରେ କରୋନା ସଂକ୍ରମଣ ହାରରେ ହଠାତ୍‌ ବୃଦ୍ଧି ଘଟିଛି। ଜୁନ୍‌ ମାସ ପର୍ଯ୍ୟନ୍ତ ଓଡ଼ିଶାରେ ଏହି ସଂକ୍ରମଣ ହାର ବେଶ୍‌ ସନ୍ତୋଷଜନକ ଥିବାବେଳେ ଜୁଲାଇ ଆରମ୍ଭରୁ ସ୍ଥିତି ଅଧିକ ବିପଜ୍ଜନକ ହେବାରେ ଲାଗିଛି। ଏବେ ଦୈନିକ ସଂକ୍ରମଣ ବୃଦ୍ଧି ହାର ଜାତୀୟ ହାରଠାରୁ ଢେର୍‌ ଉପରକୁ ଚାଲିଗଲାଣି। ଜାତୀୟସ୍ତରରେ ଦୈନିକ ସଂକ୍ରମଣ ବୃଦ୍ଧି ହାର ୨.୮୫% ଥିବାବେଳେ ଓଡ଼ିଶାରେ ଏହା ୫.୪୩% ରହିଛି। ଅନ୍ୟପକ୍ଷରେ ରାଜ୍ୟରେ ଟେଷ୍ଟ ପଜିଟିଭ୍‌ ରେଟ୍‌ (ଟିପିଆର୍‌)ରେ ମଧ୍ୟ ଦ୍ରୁତ ବୃଦ୍ଧି ପରିଲକ୍ଷିତ ହୋଇଛି। ଗତ ଏପ୍ରିଲ ଶେଷ ଆଡ଼କୁ ୨୦୦ରୁ ଅଧିକ ନମୁନାରୁ ଜଣେ ପଜିଟିଭ୍‌ ଚିହ୍ନଟ ହେଉଥିଲେ। କିନ୍ତୁ ଏବେ ୨୭ଟି ନମୁନାରୁ ଜଣେ ପଜିଟିଭ୍‌ ଚିହ୍ନଟ ହେଉଥିବା ଜଣାପଡ଼ିଛି। ରାଜ୍ୟରେ ଅଧିକ ଟେଷ୍ଟ ହେଉଥିବାରୁ ଅଧିକ ପଜିଟିଭ୍‌ ଚିହ୍ନଟ ହେଉଥିବା କୁହାଯାଉଛି। କିନ୍ତୁ ଆସାମ ଓ ଆନ୍ଧ୍ରପ୍ରଦେଶ ଭଳି ରାଜ୍ୟର ବହୁ ସଂଖ୍ୟାରେ କୋଭିଡ୍‌ ପରୀକ୍ଷା କରାଯାଉଥିବାରୁ ସେସବୁ ରାଜ୍ୟରେ ୩୬ ଓ ୪୮ଟି ନମୁନାରୁ ଜଣେ ଲେଖାଏ ପଜିଟିଭ୍‌ ଚିହ୍ନଟ ହେଉଛନ୍ତି। ତେଣୁ ଓଡ଼ିଶା ହଟ୍‌ସ୍ପଟ ରାଜ୍ୟ ଆଡ଼କୁ ମୁହଁାଇଥିବା ଆଶଙ୍କା କରାଯାଉଛି।
ସେପଟେ ରାଜ୍ୟରେ ଯଦି ଅଧିକ ସଂଖ୍ୟାରେ ନମୁନା ପରୀକ୍ଷଣ ହେବ, ପଜିଟିଭ୍‌ ସଂଖ୍ୟା ଆହୁରି ବଢ଼ିବ ବୋଲି ବିଶେଷଜ୍ଞମାନେ କହୁଛନ୍ତି। ରାଣ୍ଡମ୍‌ ବଦଳରେ କେବଳ କରୋନା ଲକ୍ଷଣ ଥିବା ବ୍ୟକ୍ତିଙ୍କର ହିଁ ନମୁନା ପରୀକ୍ଷା ହେଉଛି। ଗତ ଜୁନ୍‌ ଶେଷ ସୁଦ୍ଧା ଯଥେଷ୍ଟ କମ୍‌ ସଂଖ୍ୟକ ପରୀକ୍ଷା କରାଯାଉଥିଲା। ତେବେ ଜୁଲାଇ ଆରମ୍ଭରୁ କେନ୍ଦ୍ର ସ୍ବାସ୍ଥ୍ୟ ସଚିବ ଓ ଆଇସିଏମ୍‌ଆର ପକ୍ଷରୁ ରାଜ୍ୟଗୁଡ଼ିକୁ ଦୈନିକ ନମୁନା ପରୀକ୍ଷା ବଢ଼ାଇବା ଲାଗି କୁହାଯାଇଥିଲା। ତେଣୁ ରାଜ୍ୟ ସରକାର ଏବେ କୋଭିଡ ନମୁନା ପରୀକ୍ଷା ସଂଖ୍ୟାରେ ବୃଦ୍ଧି କରିଛନ୍ତି। ଦୈନିକ ସାଢ଼େ ୬ ହଜାର ପରୀକ୍ଷା କରିବା ପାଇଁ ସରକାର ଏକପ୍ରକାର ଲକ୍ଷ୍ୟଧାର୍ଯ୍ୟ କରିଛନ୍ତି। ଅପରପକ୍ଷରେ ରାଜ୍ୟରେ ଏବେ ୨୯ଟି କୋଭିଡ ପରୀକ୍ଷାଗାରକୁ ଆଇସିଏମ୍‌ଆର ପକ୍ଷରୁ ଅନୁମତି ଦିଆଯାଇଛି। ଏଥିରେ ୨୨ଟି ସରକାରୀ ପରୀକ୍ଷାଗାର ଥିବାବେଳେ ୭ଟି ଘରୋଇ ପରୀକ୍ଷାଗାର ରହିଛି। ଏହାସହ ଘରୋଇ ପରୀକ୍ଷାଗାରରେ ନିଜର କୋଭିଡ ପରୀକ୍ଷା କରିବାକୁ ଚାହୁଁଥିବା ଲୋକଙ୍କ ପାଇଁ ରାଜ୍ୟ ସରକାର ୨୨ଶହ ଟଙ୍କା ଧାର୍ଯ୍ୟ କରିଛନ୍ତି।