ସୁସ୍ଥ ହୋଇଥିବା କରୋନା ସଂକ୍ରମିତ ୩ ମାସ ପରେ ପୁଣି ହୋଇପାରନ୍ତି ସଂକ୍ରମିତ!

ନ୍ୟୁୟର୍କ,୧୫।୮: କରୋନା ଭାଇରସ ସଂକ୍ରମଣ ଏବେ ସାରା ବିଶ୍ୱକୁ ଦୋହଲାଇ ଦେଇଛି। ଚାଇନାରୁ ପ୍ରଥମେ ଆରମ୍ଭ ହୋଇଥିବା ଏହି ସଂକ୍ରମଣ ଏବେ ବିଶ୍ୱର କୋଟି କୋଟି ଲୋକଙ୍କୁ ତା କବଳକୁ ନେଇ ସାରିଲାଣି। ଏହି ସଂକ୍ରମଣକୁ ନେଇ ପ୍ରତିଦିନ କିଛି ନା କିଛି ନୂଆ ଖବର, ନୂଆ ଗବେଷଣା ସାମ୍ନାକୁ ଆସୁଛି। ଏବେ ଯେଉଁମାନେ ଏହି ଭାଇରସ ଦ୍ୱାରା ସଂକ୍ରମିତ ହେଉଛନ୍ତି ସେମାନଙ୍କ ମନରେ ବିଭିନ୍ନ ପ୍ରକାର ଭୟ ସୃଷ୍ଟି ହେଉଛି। ତେବେ କରୋନା ଭାଇରସରେ ପୀଡ଼ିତ ହେବା ପରେ ଯେଉଁମାନେ ସୁସ୍ଥ ହୋଇଯାଉଛନ୍ତି ଏବେ ସେମାନଙ୍କ ମନରେ ପ୍ରଶ୍ନ ଉଠୁଛି କି ସେମାନେ ସମ୍ପୂର୍ଣ୍ଣ ସୁସ୍ଥ ନା ପୁଣିଥରେ କରୋନା ଭାଇରସ ତାଙ୍କୁ ସଂକ୍ରମିତ କରିବ। ଏହାକୁ ନେଇ ବୈଜ୍ଞାନିକମାନେ କହିଛନ୍ତି, ଯେଉଁ ବ୍ୟକ୍ତି ଥରେ କରୋନା ଭାଇରସ ଦ୍ୱାରା ସଂକ୍ରମିତ ହୋଇଛନ୍ତି ତାଙ୍କ ଦେହରେ ଆଣ୍ଟିବଡି ପ୍ରସ୍ତୁତ ହୋଇଥାଏ। ଯାହାଫଳରେ ସଂକ୍ରମିତ ରୋଗୀଙ୍କ ନିକଟରେ କିଛି ମାସ ପର୍ଯ୍ୟନ୍ତ କରୋନା ହେବାର ଆଶଙ୍କା କମ୍‌ ଥାଏ। ହାଓ୍ବାର୍ଡ ବିଶ୍ୱବିଦ୍ୟାଳୟର ଇମ୍ୟୁନୋଲୋଜିଷ୍ଟ ଡା. ମାଇକେଲ ମିନା କହିଛନ୍ତି, ସଂକ୍ରମିତ ବ୍ୟକ୍ତିଙ୍କ ଶରୀରରେ ଇମ୍ୟୁନୋ ମଲିକ୍ୟୁଲ ତିଆରି ହୋଇଥାଏ, ଯାହାକୁ ଆଣ୍ଟିବଡି କୁହାଯାଏ। ବିଶେଷଜ୍ଞଙ୍କ କହିବା କଥା ହେଲା ଆଣ୍ଟିବଡି କେହି କେହି ସଂକ୍ରମିତଙ୍କ ଶରୀରରେ ୨/୩ ମାସ ରହିଥାଏ। ବୈଜ୍ଞାନିକ ତଥା ବିଶେଷଜ୍ଞଙ୍କ କହିବା କଥା ହେଲା ଜଣେ କରୋନା ସଂକ୍ରମିତ ବ୍ୟକ୍ତି ପୁଣିଥରେ କରୋନାରେ ସଂକ୍ରମିତ ହେବା ସମ୍ଭାବନା କମ୍‌ ରହିଥାଏ। କିନ୍ତୁ ଏବେ ସବୁଠାରୁ ବଡ ପ୍ରଶ୍ନ ହେଲା ଯେଉଁମାନେ ସଂକ୍ରମଣ ପରେ ସୁସ୍ଥ ହେଉଛନ୍ତି ସେମାନେ ପୁଣିଥରେ କେମିତି ସଂକ୍ରମିତ ହେଉଛନ୍ତି। ଏହାର ଉତ୍ତରରେ ବୈଜ୍ଞାନିକମାନେ କହିଛନ୍ତି ଯେଉଁମାନେ ଖୁବ୍‌ଶୀଘ୍ର ପୁଣିଥରେ କରୋନା ଭାଇରସ ଦ୍ୱାରା ସଂକ୍ରମିତ ହେଉଛନ୍ତି ସେମାନେ ପ୍ରକୃତରେ ପ୍ରଥମ ସଂକ୍ରମଣରୁ ସମ୍ପୂର୍ଣ୍ଣ ସୁସ୍ଥ ହୋଇ ନାହାନ୍ତି।

Share