କରୋନା କଟକଣା ବୁଡ଼ାଇଛି ବ୍ୟବସାୟ

ଦେଓଗାଁ,୧୯ା୮(ଡି.ଏନ.ଏ.)  – ବଲାଙ୍ଗୀର ଜିଲା ସଦର ଓ ଦେଓଗାଁ ବ୍ଲକ ଅଞ୍ଚଳରେ ବସବାସ କରୁଥିବା ବାଉଁଶ କାରିଗରମାନେ କରୋନା କଟକଣା ଯୋଗୁ ସଙ୍କଟରେ ପଡିଛନ୍ତି। ଏଥିପାଇଁ ବିବାହ, ବ୍ରତ ସହିତ ଅନ୍ୟାନ୍ୟ ମାଙ୍ଗଳିକ ଓ ସାଂସ୍କୃତିକ କାର୍ଯ୍ୟକ୍ରମରେ ରୋକ୍‌ ଲାଗିଛି । ଫଳରେ ବାଉଁଶ କାରିଗରମାନେ ବିଶେଷ ଭାବେ ପ୍ରଭାବିତ ହୋଇଛନ୍ତି। ବାଉଁଶରେ ନିର୍ମାଣ କରିଥିବା ସାମଗ୍ରୀ ବିକ୍ରି କରି ପାରୁ ନାହାନ୍ତି। ଘରେ ରହି ସେହି ସାମଗ୍ରୀ ନଷ୍ଟ ହେବାକୁ ବସିଛି । କରୋନା କଟକଣା ସେମାନଙ୍କ ଜୀବନ ଜୀବିକାକୁ ଉଜାଡି ଦେଇଛି ବୋଲି ଏହି କାରିଗରମାନେ ବାଷ୍ପରୁଦ୍ଧ କଣ୍ଠରେ କହିଛନ୍ତି ।
ଦେଓଗାଁ ବ୍ଲକ ବନ୍ଧପଡା ରାସ୍ତାରେ ବାଉଁଶ ତିଆରି ଭୂଗା, ଟୁପା, ଡଲା, ଚାଙ୍ଗରୀ, କୁଲା ଆଦି ମୁଣ୍ଡରେ ବୋହି ବିକ୍ରି କରିବା ପାଇଁ ଚାଲିଥିଲେ କେତେଜଣ ମଣିଷ ା ସେମାନଙ୍କ ମଧ୍ୟରୁ ସଦର ବ୍ଲକ ଭୂତିଆରବାହାଲ ଗାଁର ଦଶ ସାହାଣୀ, ମୂଳମତୀ ସାହାଣୀ ଓ ଫୁଲେଇ ବାରିକଙ୍କୁ ଭେଟି ଆଲୋଚନା କରିଥିଲେ ଆମ ପ୍ରତିନିଧି ା ସେମାନେ ବଖାଣି ଥିଲେ କରୋନା କଟକଣା ଯୋଗୁ ବଦଳି ଯାଇଥିବା ତାଙ୍କ ତେଲଲୁଣ ସଂସାରର କାହାଣୀ। ତିଆରି କରିଥିବା ବାଉଁଶ ସାମଗ୍ରୀ ଘରେ ଗଦା ହୋଇଛି ା ସେଥିରୁ କିଛି ସାମଗ୍ରୀ ନଷ୍ଟ ହେବାକୁ ବସିଛି ା ହେଲେ କରୋନା କଟକଣା ଯୋଗୁ ସେ ସବୁ ବିକ୍ରି ହୋଇ ନ ପାରି ଘରେ ରହିଥିଲା ା ଏବେ ନୂଆଁଖାଇ ପାଇଁ କାଳେ କିଛି ବିକ୍ରି ହୋଇଯିବ ସେ ଆଶାରେ ସେମାନେ ଘରକୁ ଗୋଡ଼ କାଢ଼ିଛନ୍ତି ା ଯେଉଁ ସାମଗ୍ରୀକୁ ସେମାନେ ଅଧିକ ମୂଲ୍ୟରେ ବିକ୍ରି କରୁଥିଲେ ଏବେ ତାର ଦର କମିଛି ା ଲୋକଙ୍କ ଚାହିଦା ନ ଥିବାରୁ ଏପରି ପରିସ୍ଥିତି ସୃଷ୍ଟି ହୋଇଛି ା କମ୍‌ ମୂଲ୍ୟରେ ଦେଲେ ବି ଲୋକେ କିଣିବାକୁ ନାରାଜ ା ଏମିତି ପରିସ୍ଥିତିରେ ସେମାନଙ୍କ ଘର କେମିତି ଚଳିବ ବୋଲି ଏହି କାରିଗରମାନେ ଓଲଟା ପ୍ରଶ୍ନ କରିଛନ୍ତି ା
ପିଡିଏସ୍‌ ଚାଉଳ ଓ ଭତ୍ତା ବାବଦ ଟଙ୍କାକୁ ବାଦ୍‌ ଦେଲେ ଅନ୍ୟ କୌଣସି ସରକାରୀ ସହାୟତା ସେମାନଙ୍କୁ ମିଳୁନାହିଁ । କେବଳ ସେମାନେ ନୁହନ୍ତି, ଭୂତିଆରବାହାଲରେ ରହୁଥିବା ୧୫୦ରୁ ଊର୍ଦ୍ଧ୍ୱ ବାଉଁଶ କାରିଗରଙ୍କ ପରିବାର ମଧ୍ୟରୁ ଅଧିକାଂଶ ଗରିବ ସୀମାରେଖା ତଳେ ରହିଛନ୍ତି। ହେଲେ ସେମାନଙ୍କୁ ଆବାସ ଗୃହ ମିଳି ନାହିଁ କିମ୍ବା ବାଉଁଶ ସାମଗ୍ରୀ ଭଳି ଏହି କୁଟୀରଶିଳ୍ପକୁ ବିକଶିତ କରିବା ପାଇଁ କୌଣସି ପ୍ରୋତ୍ସାହନ ନାହିଁ। ଦଶ ସାହାଣୀଙ୍କ କହିବାନୁସାରେ ଗାଁରେ ଥିବା ସ୍ବୟଂ ସହାୟକ ଗୋଷ୍ଠୀରେ ସେ ସଦସ୍ୟା ଥିଲେ ମଧ୍ୟ ସମ୍ପୃକ୍ତ ଏସ୍‌ଏଚ୍‌ଜିକୁ ସରକାରୀ ସହାୟତା ମିଳିନାହିଁ। ଫଳରେ ସେମାନେ ବାଧ୍ୟ ହୋଇ ମାଇକ୍ରୋ ଫାଇନାନ୍ସ ଉପରେ ନିର୍ଭର କରିଛନ୍ତି। ଏହାଦ୍ୱାରା ସେମାନେ ଶୋଷଣର ଶିକାର ହେଉଛନ୍ତି। ରାଜ୍ୟ ସରକାରଙ୍କ ଜୀବିକା ମିଶନ ପ୍ରକଳ୍ପରେ ବିଭିନ୍ନ ଯୋଜନା ରହିଛି। ହେଲେ ସେମାନଙ୍କ ପାଇଁ ଉପରୋକ୍ତ ଯୋଜନା ସବୁ ପ୍ରହସନ ବୋଲି ବାଉଁଶ କାରିଗରମାନେ କହିଛନ୍ତି ା