କରୋନା ଗ୍ରାଫ୍‌ ତଳମୁହାଁ: ୨୪ ଘଣ୍ଟାରେ ନୂଆ ଆକ୍ରାନ୍ତଙ୍କ ସଂଖ୍ୟା ଲକ୍ଷେରୁ କମିଲା…

ନୂଆଦିଲ୍ଲୀ,୮।୬: ଦେଶରେ କରୋନା ସଂକ୍ରମଣ ଯୋଗୁ ସ୍ଥିତିରେ ଧୀରେଧୀରେ ସୁଧାର ଆସୁଛି। ନୂଆ ଆକ୍ରାନ୍ତ ଏବଂ ମୃତକଙ୍କ ସଂଖ୍ୟା କମିବାରେ ଲାଗିଛି। ଲକ୍‌ଡାଉନ୍‌ ପ୍ରଭାବରୁ ସଂକ୍ରମଣ ଏବଂ ମୃତ୍ୟୁ ସଂଖ୍ୟା କମୁଛି। ୬୬ ଦିନ ପରେ ଦେଶରେ ନୂଆ କରୋନା ଆକ୍ରାନ୍ତ ସର୍ବନିମ୍ନରେ ପହଞ୍ଚିଛି। ଏହା ପୂର୍ବରୁ ଏପ୍ରିଲ୍‌ ୩ରେ ଦୈନିକ ନୂଆ ଆକ୍ରାନ୍ତଙ୍କ ସଂଖ୍ୟା ୯୩ ହଜାର ୨୪୯ ଥିଲା। ସୋମବାର ନୂଆ ଆକ୍ରାନ୍ତଙ୍କ ସଂଖ୍ୟା ୧ ଲକ୍ଷ ୬୩୬ ଥିବାବେଳେ ମୃତକଙ୍କ ସଂଖ୍ୟା ୨,୪୨୭ଥିଲା । ତେବେ ମଙ୍ଗଳବାର ନୂଆ ଆକ୍ରାନ୍ତଙ୍କ ସଂଖ୍ୟା ଲକ୍ଷେରୁ କମ୍‌ ରହିବା ସହିତ ମୃତକଙ୍କ ସଂଖ୍ୟା ମଧ୍ୟ କମିଛି। ଗତ ୨୪ ଘଣ୍ଟାରେ ଦେଶରେ ନୂଆ ଆକ୍ରାନ୍ତଙ୍କ ସଂଖ୍ୟା ୮୬ ହଜାର ୪୯୮ରେ ପହଞ୍ଚିଛି। ସେହିପରି ଏହି ସମୟ ମଧ୍ୟରେ କରୋନାରେ ୨,୧୨୩ ଜଣଙ୍କ ମୃତ୍ୟୁ ଘଟିଥିବା ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି। ଏହି ସମୟ ମଧ୍ୟରେ ୧ ଲକ୍ଷ ୮୨ ହଜାର ୨୮୨ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ସୁସ୍ଥ ହେବା ହାର ୯୪.୨୯ ପ୍ରତିଶତ ରହିଛି। ଅପରପକ୍ଷରେ ୧୩ ଲକ୍ଷ ୩ ହଜାର ୭୦୨ ଜଣ ଚିକିତ୍ସିତ ହେଉଛନ୍ତି। ବର୍ତ୍ତମାନ ସୁଦ୍ଧା ୨୩ କୋଟି ୬୧ ଲକ୍ଷ ୯୮ ହଜାର ୭୨୬ ଲୋକଙ୍କୁ ଟିକାଦାନ କରାଯାଇ ସାରିଛି। ଅପରପକ୍ଷରେ ୩୬ କୋଟି ୮୨ ଲକ୍ଷ ୭ ହଜାର ୫୯୬ ଲୋକଙ୍କ ନମୁନା ପରୀକ୍ଷା କରାଯାଇଥିବା ଆଇସିଏମ୍‌ଆର ପକ୍ଷରୁ କୁହାଯାଇଛି।

Share