କରୋନା ଲଢ଼େଇ: ଶତ୍ରୁ ରାଷ୍ଟ୍ର ବି ପାଲଟିଲେ ମିତ୍ର

ଓ୍ବାଶିଂଟନ,୩।୧୨: କରୋନା ମହାମାରୀ ଲଢ଼େଇରେ ପୃଥିବୀର ବିଭିନ୍ନ ରାଷ୍ଟ୍ରର ବୈଜ୍ଞାନିକ ଔଷଧ ପ୍ରସ୍ତୁତି ପାଇଁ ଦିନରାତି ଲାଗି ରହିଛନ୍ତି। ପୃଥିବୀର କଲ୍ୟାଣ ପାଇଁ ଶତ୍ରୁ ରାଷ୍ଟ୍ର ବି କରୋନା ବିରୋଧରେ ମିତ୍ର ଭଳି କାମ କରିଛନ୍ତି। ଏମ୍‌-ଆର୍‌ଏନ୍‌ଏ(ଏମ୍‌-ରାଇବୋ ନ୍ୟୁକ୍ଲିକ୍‌ଏସିଡ୍‌) ଜ୍ଞାନକୌଶଳ କ୍ଷେତ୍ରରେ ଗବେଷଣା କରୁଥିବା ହଙ୍ଗେରୀ, ଗ୍ରୀସ୍‌ ଏବଂ ତୁର୍କୀର ବୈଜ୍ଞାନିକ ଏଥିରେ ସାମିଲ୍‌ ହୋଇଛନ୍ତି। ଗ୍ରୀସ୍‌ ଏବଂ ତୁର୍କୀ ମଧ୍ୟରେ ଥିବା ଶତ୍ରୁତା କରୋନା ଲଢ଼େଇରେ ଉଭେଇ ଯାଇଛି। ହଙ୍ଗେରୀର କାଟାଲିନ୍‌ କାରିକୋଙ୍କର ଏମ୍‌-ଆର୍‌ଏନ୍‌ଏ ଗବେଷଣା ଆଧାରରେ ଫାଇଜର ଏବଂ ମୋଡର୍ନା କରୋନା ପ୍ରତିଷେଧକ ଟିକା ପ୍ରସ୍ତୁତ କରାଯାଇଛି। ସେହିପରି ତୁର୍କୀର ବୈଜ୍ଞାନିକ ଉର୍‌ ସାହିନ୍‌ ଏବଂ ତାଙ୍କ ସ୍ତ୍ରୀ ଓଜଲେମ୍‌ ଟୁରେସିଙ୍କ ଦ୍ୱାରା ଏମ୍‌-ଆର୍‌ଏନ୍‌ଏ ଉପରେ ଗବେଷଣା କରାଯାଇଥିଲା। ଗ୍ରୀସ୍‌ର ବୈଜ୍ଞାନିକ ଅଲବର୍ଟ ବୁର୍ଲା ଫାଇଜରର ସିଓଇ ଭାବେ କାର୍ଯ୍ୟ କରୁଛନ୍ତି। ସେ କରୋନା ଲଢ଼େଇ ପାଇଁ କରିଥିବା ଗବେଷଣା ଲାଗି ସରକାରଙ୍କଠାରୁ ପାରିଶ୍ରମିକ ନେବାକୁ ମନା କରିଦେଇଛନ୍ତି। ଏମ୍‌-ଆର୍‌ଏନ୍‌ଏ ଜ୍ଞାନକୌଶଳ ଦ୍ୱାରା ଶରୀରରେ ଥିବା କୋଷିକାରେ ପ୍ରୋଟିନ୍‌ ପ୍ରସ୍ତୁତି କାର୍ଯ୍ୟ ସମ୍ପନ୍ନ ହୋଇଥାଏ। ଏହାଯୋଗୁ ଶରୀରର ରୋଗ ପ୍ରତିରୋଧକ ଶକ୍ତି ସୃଷ୍ଟି ହୋଇ ପାରିଥାଏ।

Share