କରୋନା ଭୟ: ସମୁଦ୍ର ଜଳପଥ ଭରସା

ମହାକାଳପଡ଼ା,୨୪।୪ (ଡି.ଏନ.ଏ.): ଦେଶରେ କରୋନା ମହାମାରୀର ଦ୍ୱିତୀୟ ଲହର ଦ୍ରୁତଗତିରେ ବଢି ଚାଲିଛି। ଦିଲ୍ଲୀ, ମହାରାଷ୍ଟ୍ର, ଗୁଜରାଟ, ଛତିଶଗଡ଼, ପଶ୍ଚିମବଙ୍ଗ ସମେତ ଅନେକ ରାଜ୍ୟରେ କରୋନା ପଜିଟିଭ ସଂକ୍ରମଣ ସମସ୍ତଙ୍କ ଚିନ୍ତା ବଢାଇଛି। ଏବେ ଓଡ଼ିଶାରେ ମଧ୍ୟ ସଂକ୍ରମଣର ମାତ୍ରା ଦିନକୁଦିନ ବଢି ଚାଲିଛି। ବିଶେଷକରି ଆମ ପଡୋଶୀ ରାଜ୍ୟ ପଶ୍ଚିମବଙ୍ଗ ରାଜ୍ୟରେ କରୋନାର ଟ୍ରିପଲ ମ୍ୟୁଟାଣ୍ଟ ଚିହ୍ନଟ ପରେ ଓଡ଼ିଆ ପ୍ରବାସୀଙ୍କୁ ଚିନ୍ତାରେ ପକାଇଛି। କୋଲକାତାରେ ଶ୍ରମିକ ଭାବେ କାମ କରୁଥିବା ପ୍ରବାସୀ ଘରକୁ ଫେରିବାକୁ ବସିଛନ୍ତି। ଓଡ଼ିଶାର ପଶ୍ଚିମବଙ୍ଗ ଲୋକ ନିଜ ବନ୍ଧୁ ଘରକୁ ଯାଇ ଫେରିବା ନେଇ ପ୍ରଶାସନର ଚିନ୍ତା ବଢୁଛି। କୋଲକାତାରୁ ସ୍ଥଳପଥ ସୀମାରେ କଡ଼ାକଡ଼ି ଯାଞ୍ଚ ଯୋଗୁ ଓଡ଼ିଆ ଓ ବଙ୍ଗୀୟ ପ୍ରବାସୀ ଶ୍ରମିକମାନେ ନିଜ ଜିଲାକୁ ଫେରିବା ନେଇ ଅସୁବିଧାରେ ପଡ଼ିଛନ୍ତି। ସ୍ଥଳ ସୀମା କଟକଣା ପରେ ପ୍ରବାସୀ ଓଡ଼ିଆ ଓ ବଙ୍ଗୀୟମାନେ ବିକଳ୍ପ ସମୁଦ୍ର ଜଳପଥରେ ମାଛ ଧରା ଡଙ୍ଗା, ଟ୍ରଲର ଯୋଗେ କୋଲକାତାରୁ ଆସିବାକୁ ବଡ଼ ଯୋଜନା କରିଛନ୍ତି। ୩୦ରୁ ୪୦ ଜଣ ଏକାଠି ହୋଇ ଜଣକା ୧ ହଜାରରୁ ୨ ହଜାର ଟଙ୍କା ଆଦାୟ କରି ବୋଟ ଭଡା କରି ଆସିବାର ସୂଚନା ମିଳୁଛି। ଏଭଳି ଖବରପାଇ ସମୁଦ୍ର ଜଳପଥ ଉପରେ କଡା ନଜର ରଖିବାକୁ ବୁଦ୍ଧିଜୀବୀମାନେ ଦାବି କରିଛନ୍ତି। କାରଣ କୋଲକାତାରେ ଦେଖାଯାଇଥିବା କରୋନାର ଟ୍ରିପଲ ମ୍ୟୁଟାଣ୍ଟ ଚିହ୍ନଟ ଖୁବ୍‌ ବିପଜ୍ଜନକ କୁହାଯାଉଛି। ଏହି ଭୂତାଣୁ ଜିଲାରେ ପ୍ରବେଶ ନ କରିବାକୁ ଜିଲା ପ୍ରଶାସନ ତତ୍ପରତା ଦେଖାଇବାକୁ ଦାବି ହେଉଛି। କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଉପକୂଳ ଅଞ୍ଚଳରେ ଶତାଧିକ ପ୍ରବାସୀ ଶ୍ରମିକ କୋଲକାତାରେ କାର୍ଯ୍ୟ କରିଥାନ୍ତି। ଏହି ପ୍ରବାସୀ ଓଡ଼ିଆ ଓ ବଙ୍ଗୀୟ ଶ୍ରମିକମାନେ ସମୁଦ୍ର ଜଳପଥ ଦେଇ କେନ୍ଦ୍ରାପଡ଼ା ଜିଲା ଉପକୂଳ ଅଞ୍ଚଳ ନିଜ ଗାଁକୁ ଫେରିବାକୁ ଯୋଜନା ରଖିଛନ୍ତି ବୋଲି ଏକ ଗୁପ୍ତ ସୂଚନା ମିଳିଛି। ଏଥିପାଇଁ ଜିଲା ପ୍ରଶାସନ ଉପକୂଳ ଅଞ୍ଚଳରେ ସମୁଦ୍ର ଜଳପଥର ପ୍ରବେଶରେ କଡା ପୋଲିସ ପ୍ରହରା ବ୍ୟବସ୍ଥା କରିବାକୁ ଦାବି ହୋଇଛି। ଏ ସମ୍ପର୍କରେ କେନ୍ଦ୍ରାପଡ଼ା ଏସ୍‌ପି ମଡକର ସନ୍ଦୀପ ସମ୍ପତଙ୍କୁ ପଚାରିବାରେ ଯୁଦ୍ଧକାଳୀନ ଭିତ୍ତିରେ ସମୁଦ୍ର ଜଳପଥ ଉପରେ ସାମୁଦ୍ରିକ ଥାନା ସହ ପାଖ ଥାନା ପୋଲିସଙ୍କୁ କଡା ନଜର ରଖିବାକୁ କୁହାଯାଇଛି ବୋଲି ସେ କହିଛନ୍ତି।