ବାୟୁ ପ୍ରଦୂଷଣ ଅଧିକ ହେଲେ କରୋନା ମୃତ୍ୟୁ ସଂଖ୍ୟା ବଢ଼ିବା ଆଶଙ୍କା…

ଜେନେଭା, ୫।୬ : କରୋନା ମହାମାରୀ ସଂକ୍ରମଣକୁ ଅଢ଼େଇ ବର୍ଷରୁ ଅଧିକ ଦିନ ପୂରଣ ହେଲାଣି। ଏହାକୁ ଶତାବ୍ଦୀର ବୃହତ୍‌ ସ୍ବାସ୍ଥ୍ୟ ସଙ୍କଟ ଭାବରେ ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ ପକ୍ଷରୁ ଘୋଷଣା କରାଯାଇଥିଲା। ଏପର୍ଯ୍ୟନ୍ତ କରୋନା ମହାମାରୀ ସଙ୍କଟ ଜାରି ରହିଛି। ଏହାର ନୂଆ ଭାରିଆଣ୍ଟ୍‌ ସୃଷ୍ଟି ହେବାରେ ଲାଗିଛନ୍ତି। ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ ଅନୁଯାୟୀ, ପୃଥିବୀରେ ୫୨ କୋଟିରୁ ଅଧିକ ମାମଲା ପଞ୍ଜିକୃତ ହୋଇଥିବାବେଳେ ଏହା ଯୋଗୁ ୬୨ ଲକ୍ଷରୁ ଅଧିକ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି। ନଭେମ୍ବର ୨୦୧୯ ରେ ଚାଇନାର ଉହାନ ସହରରେ ପ୍ରଥମ ରୋଗୀ ରେକର୍ଡ କରାଯାଇଥିଲା।

ୟୁରୋପରେ ୨୨ କୋଟିରୁ ଅଧିକ ସଂକ୍ରମଣ ହୋଇଛି। ସଂକ୍ରମଣ ଦୃଷ୍ଟିରୁ ୟୁରୋପ ଆଗରେ ରହିଛି। ତେବେ ଅଧିକ ସଂକ୍ରମଣ ଦେଶ ଅନୁଯାୟୀ ଆମେରିକା ତାଲିକାର ଶୀର୍ଷରେ ରହିଛି। ଆମେରିକାରେ ମୋଟ ୮,୪୭ କୋଟିରୁ ଅଧିକ ମାମଲା ରିପୋର୍ଟ ହୋଇଛି।

ଏଭଳି ପରିସ୍ଥିତିରେ ବିଶେଷଜ୍ଞମାନେ କରୋନା ଆକ୍ରାନ୍ତଙ୍କୁ ପ୍ରଭାବିତ କରୁଥିବା ଅନ୍ୟାନ୍ୟ କାରଣ ଉପରେ ମଧ୍ୟ ଧ୍ୟାନ ଦେବା ଆରମ୍ଭ କରିଛନ୍ତି।

ଜର୍ମାନୀର ଗବେଷକଙ୍କ ଏକ ଦଳ ଦ୍ୱାରା କରାଯାଇଥିବା ଅଧ୍ୟୟନ ଅନୁସାରେ କରୋନା ଆକ୍ରାନ୍ତଙ୍କ ଉପରେ ବାୟୁ ପ୍ରଦୂଷଣର ପ୍ରଭାବ ଅଧିକ ରହିଛି। ଦଳ କହିଛି, ଆମର ଫଳାଫଳ ସୂଚିତ କରୁଛି ଯେ ଦୀର୍ଘ ଦିନ ଧରି ନାଟ୍ରୋଜେନ୍‌ ଡାଇଅକ୍ସାଇଡ୍‌ ଏକ୍ସପୋଜର ଜର୍ମାନୀରେ କରୋନା ଆକ୍ରାନ୍ତଙ୍କ ସମସ୍ୟାକୁ ବଢ଼ାଇ ଦେଇଛି। ତେଣୁ ଆକ୍ରାନ୍ତଙ୍କ ସ୍ବାସ୍ଥ୍ୟରେ ଉନ୍ନତି ଆଣିବା ପାଇଁ ବାୟୁ ପ୍ରଦୂଷଣକୁ ହ୍ରାସ କରିବାର ଆବଶ୍ୟକତାକୁ ଜରୁରୀ ବୋଲି ଗବେଷମାନେ କହିଛନ୍ତି।

ଏହା ଦ୍ୱାରା ଦୀର୍ଘ ସମୟ ଧରି ଶ୍ୱାସକ୍ରିୟା ଉପରେ ନକାରାତ୍ମକ ପ୍ରଭାବ ପଡିଥାଏ। ଫଳରେ ଆକ୍ରାନ୍ତଙ୍କ ମୃତ୍ୟୁ ସଂଖ୍ୟା ବଢ଼ିବାର ଯଥେଷ୍ଟ ଆଶଙ୍କା ରହିଥାଏ।

Share