ବଜେଟ ଅଧିବେଶନ ପୂର୍ବରୁ ପାର୍ଲାମେଣ୍ଟରେ କରୋନା ବିସ୍ଫୋରଣ, ୭୧୮ କର୍ମଚାରୀ ପଜିଟିଭ୍‌…

ନୂଆଦିଲ୍ଲୀ, ୧୩।୧ : ପାର୍ଲାମେଣ୍ଟର ବଜେଟ ଅଧିବେଶନ ଆରମ୍ଭ ହେବା ପୂର୍ବରୁ ଏଠାରେ କରୋନା ବିସ୍ଫୋରଣ ଘଟିଛି। ପାର୍ଲାମେଣ୍ଟର ୭୧୮ କର୍ମଚାରୀଙ୍କ ନମୁନା ରିପୋର୍ଟ କରୋନା ପଜିଟିଭ୍‌ ଆସିଛି। ଏହି କାରଣରୁ, ବଜେଟ ଅଧିବେଶନକୁ ଠିକ ସମୟରେ ଆରମ୍ଭ ହେବା ନେଇ ଆଶଙ୍କା ସୃଷ୍ଟି ହୋଇଛି।

ଦେଶରେ କରୋନା ମହାମାରୀର ତୃତୀୟ ଲହର ଜାରି ରହିଥିବାବେଳେ ପାର୍ଲାମେଣ୍ଟରେ ଏଭଳି ସଙ୍କଟ ସୃଷ୍ଟି ହୋଇଛି। ଗତ ଏକ ମାସ ଧରି କର୍ମଚାରୀମାନେ କରୋନାରେ ସଂକ୍ରମିତ ହେବାରେ ଲାଗିଛନ୍ତି। ସେମାନଙ୍କ ମଧ୍ୟରୁ ଅଧିକାଂଶ ଗତ ଦୁଇ ସପ୍ତାହ ମଧ୍ୟରେ ସଂକ୍ରମିତ ହୋଇଛନ୍ତି। ଜାନୁଆରୀ ୯ ପର୍ଯ୍ୟନ୍ତ, ପ୍ରାୟ ୪୦୦ କର୍ମଚାରୀ କରୋନା ସଂକ୍ରମିତ ହୋଇଥିଲେ, କିନ୍ତୁ ବୁଧବାର ଦିନ ଏହି ସଂଖ୍ୟା ୭୦୦ ଅତିକ୍ରମ କରିଛି। କେବଳ ଗତ ତିନି ଦିନ ମଧ୍ୟରେ ଏହି ସଂଖ୍ୟାରେ ପ୍ରାୟ ୪୩ ପ୍ରତିଶତ ବୃଦ୍ଧି ଘଟିଛି।

ରାଜ୍ୟ ସଭା ସଚିବାଳୟର ସୂତ୍ରରୁ ପ୍ରକାଶ ଯେ ସଂକ୍ରମିତଙ୍କ ମଧ୍ୟରୁ ପ୍ରାୟ ୨୦୦ କର୍ମଚାରୀ ରାଜ୍ୟ ସଭାର। ଅବଶିଷ୍ଟ ଲୋକସଭା ଏବଂ ଅନ୍ୟାନ୍ୟ ବିଭାଗ ସହ ଜଡିତ ବୋଲି କୁହାଯାଉଛି। କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଲୋକ ସଭା ଏବଂ ରାଜ୍ୟ ସଭାର ଏକ ତୃତୀୟାଂଶ କର୍ମଚାରୀଙ୍କୁ ଘରୁ କାମ କରିବାକୁ ଅନୁମତି ପ୍ରଦାନ କରାଯାଇଛି। ୫୦ ପ୍ରତିଶତ ଅଧିକାରୀଙ୍କୁ ଘରୁ କାମ କରିବାକୁ ଅନୁମତି ଦିଆଯାଇଛି। ଏଭଳି ସ୍ଥଳେ ବହୁ ସଂଖ୍ୟକ କର୍ମଚାରୀ ଆକ୍ରାନ୍ତ ହେବା ଚିନ୍ତାର ବିଷୟ।

ସୂଚନାଯୋଗ୍ୟ , ଫେବୃଆରୀ ୧ରେ ବଜେଟ ଉପସ୍ଥାପନ ହୋଇଥାଏ। ସେଥିପାଇଁ ଜାନୁଆରୀ ଶେଷ ସପ୍ତାହରେ ପାର୍ଲାମେଣ୍ଟର ଅଧିବେଶନ ଆରମ୍ଭ ହେବା ଆବଶ୍ୟକ। ଏପରି ସ୍ଥଳେ ବଜେଟ ଅଧିବେଶନ ଆରମ୍ଭ ନେଇ ଶଙ୍କା ଉପୁଜିଛି।

Share