ବାହୁବଲୀ ନିର୍ଦ୍ଦେଶକଙ୍କ ଘରେ କରୋନା: ହୋମ୍‌ କ୍ୱାରାଣ୍ଟାଇନ୍‌ରେ ପୁରା ପରିବାର

ମୁମ୍ବାଇ,୩୦।୭: ବେଶ୍‌ ଲୋକପ୍ରିୟ ଫିଲ୍ମ ବାହୁବଲୀ ଓ ବାହୁବଲୀ-୨ ନିର୍ଦ୍ଦେଶକ ଏସ୍‌.ଏସ୍‌. ରାଜାମୌଲି କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ରାଜାମୌଲି ଓ ତାଙ୍କ ପରିବାରର ମମସ୍ତ ସଦସ୍ୟଙ୍କ ନିକଟରେ ସାମାନ୍ୟ କରୋନା ଲକ୍ଷଣ ଦେଖାଯିବାରୁ ସେମାନେ ହୋମ୍‌ କ୍ୱାରାଣ୍ଟାଇନ୍‌ରେ ରହିଥିବା ଜଣାପଡ଼ିଛି। ଏନେଇ ରାଜାମୌଲି ନିଜେ ଟୁଇଟ କରି ପ୍ରଂଶସକଙ୍କୁ ସୂଚନା ଦେଇଛନ୍ତି। ସେ ଟୁଇଟ କରି ଲେଖିଛନ୍ତି, କିଛି ଦିନରୁ ତାଙ୍କୁ ଓ ତାଙ୍କ ପରିବାରର ସଦସ୍ୟଙ୍କୁ ସାମାନ୍ୟ ଜ୍ୱର ହୋଇଥିଲା। କିନ୍ତୁ ପରେ ଏହା ଆପେ ଆପେ ଭଲ ହୋଇଯାଇଥିଲା। କିନ୍ତୁ ସୁରକ୍ଷା ଦୃଷ୍ଟିରୁ ସେ ନିଜର ଓ ପରିବାର ସଦସ୍ୟଙ୍କର କରୋନା ଯାଞ୍ଚ କରାଇଥିଲେ। ତେବେ ବୁଧବାର ଆସିଥିବା ରିପୋର୍ଟରେ ତାଙ୍କର କରୋନା ପଜିଟିଭ୍‌ ବାହାରିଛି। କରୋନାର ସାମାନ୍ୟ ଲକ୍ଷଣ ଥିବାରୁ ଡାକ୍ତରଙ୍କ ପରାମର୍ଶ ଅନୁଯାୟୀ ସେମାନେ ହୋମ୍‌ କ୍ୱାରାଣ୍ଟାଇନ୍‌ରେ ରହିଛନ୍ତି। ବର୍ତ୍ତମାନ ସେମାନେ ସୁସ୍ଥ ଅଛନ୍ତି, କିନ୍ତୁ ସମସ୍ତ ସତର୍କତା ଅବଲମ୍ବନ କରୁଛନ୍ତି ବୋଲି ରାଜାମୌଲି ସୂଚନା ଦେଇଛନ୍ତି। ଏଥିସହ ସେ କହିଛନ୍ତ,ି ଆଣ୍ଟିବଡ଼ି ଶୀଘ୍ର ବିକଶିତ ହେବା ପାଇଁ ଆମେ ଅପେକ୍ଷା କରି ରହିଛୁ। ଯାହାଦ୍ୱାରା ଆମେ ଲୋକଙ୍କୁ ପ୍ଲାଜମା ଦାନ କରିପାରିବୁ ବୋଲି ରାଜାମୌଲି ଟୁଇଟରରେ କହିଛନ୍ତି। ଅନ୍ୟପଟେ ଏହି ଟୁଇଟରେ ପ୍ରଂଶସକ ରିଟୁଇଟ କରି ତାଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି।

Share