୪ ମାସ ପରେ ସମାନ ସ୍ଥିତିରେ କରୋନା

ନୂଆଦିଲ୍ଲୀ,୨୦।୩: ଦେଶରେ କରୋନା ସଂକ୍ରମଣ ନେଇ ପୁଣି ଆତଙ୍କ ସୃଷ୍ଟି ହୋଇଛି। ପ୍ରତିଦିନ ଲଗାତାର ନୂଆ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ଗତ ୨୪ ଘଣ୍ଟାରେ ଦେଶରେ ନୂଆ ଆକ୍ରାନ୍ତଙ୍କ ସଂଖ୍ୟା ୪୦ ହଜାର ୯୫୩ରେ ପହଞ୍ଚିଥିବାବେଳେ ଏହି ସମୟ ମଧ୍ୟରେ କରୋନାରେ ୧୮୮ ଜଣଙ୍କ ମୃତ୍ୟୁ ଘଟିଛି ବୋଲି ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି। ୪ ମାସ ପରେ ଦେଶରେ କରୋନା ସମାନ ସ୍ଥିତିକୁ ଫେରିଛି। ଏହା ପୂର୍ବରୁ ୧୧୨ ଦିନ ତଳେ ୨୦୨୦ ନଭେମ୍ବର ୨୮ରେ ଦେଶରେ ୪୧ ହଜାର ୮୧୦ ଜଣ ନୂଆ ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଥିଲା। ମହାରାଷ୍ଟ୍ର, ପଞ୍ଜାବ, କର୍ନାଟକ, ଗୁଜରାଟ, ତାମିଲନାଡୁ ଏବଂ କେରଳ ଆଦି ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିଚାଲିଛି। ମହାରାଷ୍ଟ୍ରରେ ସ୍ଥିତି ଅଧିକ ଗୁରୁତର ରହିଛି। ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୨୫ ହଜାର ୬୮୧ ଜଣ ନୂଆ ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଛି। ସେହିପରି ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୭୦ ଜଣଙ୍କ ମୃତ୍ୟୁ ଘଟିଛି। କରୋନାର ଦ୍ୱିତୀୟ ପର୍ଯ୍ୟାୟ ସଂକ୍ରମଣକୁ ନେଇ କେନ୍ଦ୍ର ସରକାରଙ୍କ ଚିନ୍ତା ବଢ଼ିବାରେ ଲାଗିଛି। କେନ୍ଦ୍ର ସରକାରଙ୍କ ପକ୍ଷରୁ ରାଜ୍ୟ ସରକାରଙ୍କ ପାଇଁ ସତର୍କ ସୂଚନା ଜାରି କରାଯାଇଛି।

Share