ଝାରସୁଗୁଡ଼ା ଜିଲା ମୁଖ୍ୟ ଚିକିତ୍ସାଳୟରେ କରୋନା: ମେଡିସିନ, ଓପିଡି, ରେଜିଷ୍ଟ୍ରେଶନ କାଉଣ୍ଟର ବନ୍ଦ

ଝାରସୁଗୁଡ଼ା ଅଫିସ,୨୭ା୭: ଝାରସୁଗୁଡ଼ା ଜିଲା ମୁଖ୍ୟ ଚିକିତ୍ସାଳୟର ମେଡିସିନ ବିଭାଗରେ ଚିକିତ୍ସିତ ଜଣେ ରୋଗୀ କରୋନାରେ ସଂକ୍ରମିତ ଥିବା ଜଣାପଡ଼ିଛି। ଏହା ପରେ ତୁରନ୍ତ ମେଡିସିନ ବିଭାଗ, ରେଜିଷ୍ଟ୍ରେଶନ କାଉଣ୍ଟର ଏବଂ ଓପିଡି ବନ୍ଦ କରାଯାଇଛି। ୩ ଦିନ ପାଇଁ ଏହା ବନ୍ଦ କରାଯାଇଥିବା ଜିଲା ମୁଖ୍ୟ ଚିକିତ୍ସାଧିକାରୀ ଡା.ଜଗଦୀଶ ଚନ୍ଦ୍ର ବାରିକ ସୂଚନା ଦେଇଛନ୍ତି।
ସୂଚନା ଅନୁଯାୟୀ, ଝାରସୁଗୁଡ଼ା ବେହେରାମାଲ ଅଞ୍ଚଳର ଜଣେ ବ୍ୟକ୍ତି ଥଣ୍ଡା ଜ୍ୱରରେ ପୀଡ଼ିତ ଥିଲେ। ଫଳରେ ଗତ ୨୩ ତାରିଖରେ ତାଙ୍କର ସ୍ବାବ୍‌ ପରୀକ୍ଷା ପାଇଁ ଯାଇଥିଲା। କିନ୍ତୁ ବ୍ୟକ୍ତି ଜଣଙ୍କ କରୋନା ଟେଷ୍ଟ୍‌ ପାଇଁ ତାଙ୍କ ସ୍ବାବ୍‌ ଯାଇଥିବା ନ ଜଣାଇ ରିପୋର୍ଟ ଆସିବା ପୂର୍ବରୁ ଅନ୍ୟ ରୋଗ ପାଇଁ ଜିଲା ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ। ପରେ ତାଙ୍କ ରିପୋର୍ଟ ପଜିଟିଭ୍‌ ଆସିବା ପରେ ତାଙ୍କୁ ଜିଲା ମୁଖ୍ୟ ଚିକିତ୍ସାଳୟରେ ଠାବ କରାଯାଇଥିଲା। ତାଙ୍କୁ ତୁରନ୍ତ ଜିଲା କୋଭିଡ୍‌ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି। ପରେ ଉପରୋକ୍ତ ୩ଟି ସ୍ଥାନକୁ ୩ ଦିନ ପାଇଁ ବନ୍ଦ କରାଯାଇଛି। ଏହି ଅଞ୍ଚଳକୁ ସାନିଟାଇଜ୍‌ କରିବା ନେଇ ପଦକ୍ଷେପ ନିଆଯାଇଥିବା ଜିଲା ମେଡିକାଲ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି।