ପୁଣି ରେକର୍ଡ କଲା କରୋନା: ୨୪ ଘଣ୍ଟାରେ ୭୮ ହଜାରରୁ ଅଧିକ ନୂଆ ଆକ୍ରାନ୍ତ ଚିହ୍ନଟ

ନୂଆଦିଲ୍ଲୀ, ୩୦।୮: ଦେଶରେ କରୋନା ମହାମାରୀ ସଂକ୍ରମଣ ଯୋଗୁ ଆତଙ୍କ ଜାରି ରହିଛି। ପ୍ରତିଦିନ ନୂଆ ଆକ୍ରାନ୍ତ ଏବଂ ମୃତକଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ଗୋଟିଏ ଦିନରେ କରୋନା ସଂକ୍ରମଣ ପୁଣି ପୂର୍ବରୁ ସମସ୍ତ ରେକର୍ଡ ଭାଙ୍ଗିଛି। ଗତ ୨୪ ଘଣ୍ଟାରେ ୭୮ ହଜାର ୭୬୧ ଜଣ ନୂଆ କରୋନା ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଛି। ସେମାନଙ୍କୁ କ୍ୱାରାଣ୍ଟାଇନ୍‌ରେ ରଖାଯାଇଛି। ସେହିପରି ଏହି ସମୟ ମଧ୍ୟରେ ୯୪୮ ଜଣଙ୍କ ମୃତ୍ୟୁ ଘଟିଛି। ଇତିମଧ୍ୟରେ ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩୫ ଲକ୍ଷ ୪୨ ହଜାର ୭୩୪ ଛୁଇଁଛିି। ସେହିପରି ମୃତକଙ୍କ ସଂଖ୍ୟା ୬୩ ହଜାର ୪୯୮ ରେ ପହଞ୍ଚିଛି। ଇତିମଧ୍ୟରେ ୨୭ ଲକ୍ଷ ୧୩ ହଜାର ୯୩୪ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଥିବା ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି। ସେହିପରି ୭ ଲକ୍ଷ ୬୫ ହଜାର ୩୦୨ ଜଣ ଆକ୍ରାନ୍ତଙ୍କ ଚିକିତ୍ସା ଜାରି ରହିଛି। ଅଗଷ୍ଟ ୨୯ ସୁଦ୍ଧା ଦେଶରେ ୪ କୋଟି ୧୪ ଲକ୍ଷ ୬୧ ହଜାର ୬୩୬ ଜଣ ଲୋକଙ୍କ ନମୁନା ପରୀକ୍ଷା କରାଯାଇଥିବା ଆଇସିଏମ୍‌ଆର୍‌ ପକ୍ଷରୁ ସୂଚନା ଦିଆଯାଇଛି। ଶନିବାର ୧୦ ଲକ୍ଷ ୫୫ ହଜାର ୨୭ ଜଣଙ୍କ ନମୁନା ପରୀକ୍ଷା କରାଯାଇଛି। ଏହା ବର୍ତ୍ତମାନ ସୁଦ୍ଧା ଗୋଟିଏ ଦିନରେ ସର୍ବାଧିକ ପରୀକ୍ଷା ବୋଲି ଆଇସିଏମ୍‌ଆର୍‌ କହିଛି।

Share