Posted inଫୁରସତ

ଏକ ନୁହେଁ ଅନେକ

ସ୍ଥାପତ୍ୟ କେବଳ ଜଣେ ସ୍ଥପତିର ସୃଜନଶୀଳ କାରିଗରି ନୁହେଁ। ଏହା କେବେ ଏକ ସ୍ଥାନର ଗୌରବମୟ ଇତିହାସର ଗାଥାକୁ ପ୍ରକାଶ କରେ ତ ପୁଣି କେବେ ପାଲଟେ କିଛି ସ୍ମୃତି, ସଂସ୍କୃତିର ପ୍ରତୀକ। ଅନେକ ସମୟରେ ତ ସେହି ସ୍ଥାପତ୍ୟର ଭବ୍ୟତା ଆକୃଷ୍ଟ କରେ ସାରା ବିଶ୍ୱକୁ। ଆଉ ତାହା ପାଲଟିଯାଏ ଏକ ସ୍ଥାନର ପରିଚୟ। ଏମିତି ବି ହୋଇଛି ସ୍ଥାପତ୍ୟଟିର ସେଇ ପ୍ରସିଦ୍ଧି ଓ ଲୋକପ୍ରିୟତାକୁ ଦେଖି ଅନ୍ୟ କିଛି ଦେଶ ବି ଚାହିଁଛନ୍ତି ସେହିଭଳି ସ୍ଥାପତ୍ୟଟିଏ ତାଙ୍କ ଦେଶରେ ବି ହେଉ। ସେଥିଲାଗି ପୂରାପୂରି ସେହି ଆକାର, ଆକୃତିର ନ ହୋଇ ପାରିଲେ ବି ପାଖାପାଖି ସେହିଭଳି ସ୍ଥାପତ୍ୟଟିଏ ଗଢ଼ି ତୋଳନ୍ତି ନିଜ ଦେଶରେ। ହେଲେ ତାହା ପାଇପାରି ନ ଥାଏ ମୁଖ୍ୟ ସ୍ଥାପତ୍ୟ ପରି ପ୍ରସିଦ୍ଧି ଓ ଲୋକପ୍ରିୟତା। ବିଶ୍ୱ ପ୍ରସିଦ୍ଧ ସ୍ଥାପତ୍ୟଗୁଡ଼ିକର ସେହିସବୁ ନକଲ ସମ୍ପର୍କରେ ଏଥରର ପ୍ରସଙ୍ଗ…

ତାଜମହଲ
ଆଗ୍ରାରେ ଯମୁନା ନଦୀ କୂଳରେ ଅମର ପ୍ରେମର ସ୍ମାରକୀ ଭାବେ ଦଣ୍ଡାୟମାନ ହୋଇ ରହିଛି ତାଜମହଲ। ଶହ ଶହ ବର୍ଷ ଧରି ଏହା ମୋଗଲ ସମ୍ରାଟ ଶାହଜାହାନ ଓ ତାଙ୍କ ପତ୍ନୀ ମମତାଜଙ୍କ ପ୍ରେମର ଗାଥା ମନେପକାଇ ଆସୁଛି। ସପ୍ତାଦଶ ଶତାବ୍ଦୀରେ ଧଳା ମାର୍ବଲରେ ନିର୍ମିତ ଏହି ଆକର୍ଷକ ସମାଧିପୀଠ ସପ୍ତାଶ୍ଚର୍ଯ୍ୟରେ ମଧ୍ୟ ଅନ୍ତର୍ଭୁକ୍ତ। ଏହାର ସୌନ୍ଦର୍ଯ୍ୟ ସବୁବେଳେ ସାରା ପୃଥିବୀବାସୀଙ୍କ ଦୃଷ୍ଟିଆକର୍ଷଣ କରିଆସିଛି। ତେଣୁ ଏହାର ନକଲ କରିବାର ପ୍ରୟାସ ବି ହୋଇଛି। ଆଉ ଭିନ୍ନ ଭିନ୍ନ ସ୍ଥାନରେ ତିଆରି ହୋଇଛି ଅନେକ ତାଜମହଲ। ହେଲେ ପ୍ରକୃତ ତାଜମହଲର ସ୍ଥାନ ନା କେହି ନେଇ ପାରିଛି ନା କେହି ନେଇପାରିବ।
ବାଂଲାଦେଶର ତାଜମହଲ: ରାଜଧାନୀ ଢାକାରେ ଅଛି ତାଜମହଲର ଏହି ନକଲ। ଏହାକୁ ବାଂଲାଦେଶର ଧନୀକ ଚଳଚ୍ଚିତ୍ର ନିର୍ମାତା ଅହସନ୍ନୁଲା ମୋନି ୨୦୦୮ରେ ନିର୍ମାଣ କରାଇଥିଲେ। ସେ କୁହନ୍ତି, ‘୧୯୮୦ରେ ଆଗ୍ରା ଯାଇଥିବା ବେଳେ ତାଜମହଲର ଅପୂର୍ବ ସୌନ୍ଦର୍ଯ୍ୟ ଦେଖି ମୁଁ ମନ୍ତ୍ରମୁଗ୍ଧ ହୋଇଯାଇଥିଲି। ଦିନେ ନା ଦିନେ ଆଉ ଏକ ତାଜମହଲ ନିଜ ଦେଶରେ ନିର୍ମାଣ କରିବାର ଯୋଜନା କରିଥିଲି। ଯାହାକୁ ସଫଳ କରିପାରିଥିବାରୁ ବହୁତ ଖୁସି ଲାଗେ। ’

ଚାଇନାର ତାଜମହଲ: ବିଭିନ୍ନ ଦେଶର ପ୍ରସିଦ୍ଧ ସ୍ଥାପତ୍ୟକୁ ନକଲ କରିବାରେ ଚାଇନା ବେଶ୍‌ ପରିଚିତ। ଭାରତର ଗୌରବକୁ ଦର୍ଶାଉଥିବା ତାଜମହଲର ଏକ ନକଲ ସ୍ଥାପତ୍ୟ ବି ଚାଇନାରେ ଗଢାଯାଇଛି। ପାଖାପାଖି ଅସଲି ତାଜମହଲ ପରି ଦେଖାଯାଉଥିବା ଏହି ସ୍ଥାପତ୍ୟଟି ଶେନଝେନସ୍ଥ ‘ଓ୍ବିଣ୍ଡୋ ଟୁ ଦ ଓ୍ବାଲର୍‌ଡ’ ଥିମ୍‌ ପାର୍କରେ ରହିଛି। ଏହି ପାର୍କରେ ପୃଥିବୀର ଅନ୍ୟ କିଛି ପ୍ରସିଦ୍ଧ କୀର୍ତ୍ତିରାଜିର ନକଲ ବି ଦେଖିବାକୁ ମିଳେ।

ତାଜ ଅଫ୍‌ ଦ ଡେକାନ/ ବିଓ୍ବି କା ମକବରା: କେବଳ ଯେ ଶାହଜାହାନ ତାଙ୍କ ପ୍ରିୟ ପତ୍ନୀଙ୍କ ସ୍ମୃତିରେ ତାଜମହଲ ନିର୍ମାଣ କରାଇଥିଲେ ତାହା ନୁହେଁ, ତାଙ୍କ ପରପିଢ଼ି ମଧ୍ୟ ଏହି ଧାରାକୁ ଅନୁସରଣ କରିଥିଲେ। ଆଉ ତାଙ୍କ ପୁଅ ଔରଙ୍ଗଜେବ ପତ୍ନୀ ଦିଲ୍‌ରାସ ବାନୁ ବେଗମଙ୍କ ସ୍ମୃତିରେ ନିର୍ମାଣ କରାଇଥିଲେ ‘ବିଓ୍ବି କା ମକବରା’ ନାମକ ସମାଧିପୀଠ। ମହାରାଷ୍ଟ୍ରର ଔରଙ୍ଗାବାଦରେ ଥିବା ଏହି ସ୍ଥାପତ୍ୟଟି ଅନେକାଂଶରେ ତାଜମହଲ ପରି ଦେଖିବାକୁ।

ମିନି ତାଜମହଲ: ଅନେକଙ୍କ ଧାରଣା ଥାଏ ଯେ, ଧନୀ ରାଜା ମହାରାଜା ହିଁ କେବଳ ନିଜ ପତ୍ନୀଙ୍କ ସ୍ମୃତିରେ ତାଜମହଲ ପରି ଭବ୍ୟ ସ୍ଥାପତ୍ୟ ନିର୍ମାଣ କରିପାରିବେ। ସାଧାରଣ ମଣିଷ ପକ୍ଷେ ଏହା ଆଦୌ ସମ୍ଭବ ନୁହେଁ। କିନ୍ତୁ ଏହାକୁ ଭୁଲ୍‌ ବୋଲି ପ୍ରମାଣିତ କରିଛନ୍ତି ଜଣେ ଅବସରପ୍ରାପ୍ତ ପୋଷ୍ଟମାଷ୍ଟର। ଫୈଜୁଲ ହସନ କଦ୍ରୀ ନାମକ ଏହି ବ୍ୟକ୍ତି ପ୍ରିୟ ପତ୍ନୀ ତଜ୍ଜମୁଲୀ ବେଗମଙ୍କ ସ୍ମୃତିରେ ନିଜ ଗାଁ ଉତ୍ତର ପ୍ରଦେଶର ବୁଲନ୍ଦସହରରେ ଗଢି ତୋଳିଛନ୍ତି ଏକ ମିନି ତାଜମହଲ। ୨୦୧୧ରେ ତାଙ୍କ ପତ୍ନୀଙ୍କର ଗଳା କର୍କଟରେ ଦେହାନ୍ତ ହୋଇଥିଲା। ଫୈଜୁଲ ହସନ ଏଥିରେ ଭାଙ୍ଗିପଡିଥିଲେ। କିନ୍ତୁ ପରବର୍ତ୍ତୀ ସମୟରେ ସେ ଜୀବନସାରା ସଞ୍ଚୟ କରିଥିବା ସମସ୍ତ ପୁଞ୍ଜିକୁ ଲଗାଇ ପତ୍ନୀଙ୍କ ସ୍ମୃତିରେ ନିର୍ମାଣ କଲେ ଏକ ଛୋଟ ତାଜମହଲ।

ଆଇଫିଲ୍‌ ଟାଓ୍ବାର: ଫ୍ରାନ୍ସର ରାଜଧାନୀ ପ୍ୟାରିସ୍‌ରେ ଅଛି ଲୌହରେ ନିର୍ମିତ ବିଶ୍ୱ ପ୍ରସିଦ୍ଧ ଆଇଫିଲ ଟାଓ୍ବାର। ଅଦ୍ୱିତୀୟ ଢାଞ୍ଚା, ଭବ୍ୟତା ଓ ସୌନ୍ଦର୍ଯ୍ୟ ପାଇଁ ଏହା ପୃଥିବୀର ସପ୍ତାଶ୍ଚର୍ଯ୍ୟ ମଧ୍ୟରେ ବି ସାମିଲ ହୋଇଛି। ଫ୍ରାନ୍ସର ପରିଚୟ ପାଲଟିଥିବା ଏହି ଆଇଫିଲ ଟାଓ୍ବାରକୁ ପ୍ରେମର ପ୍ରତୀକ ଭାବେ ମଧ୍ୟ ଗଣନା କରାଯାଏ। ୧୮୮୭ରେ ପ୍ୟାରିସସ୍ଥ ଚାମ୍ପ ଡି ମାର୍ସସ୍ଥ ସିନ୍‌ ନଦୀ ତଟରେ ଏହାର ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଥିଲା। ୧୮୮୯ରେ ଏହାର କାମ ସମ୍ପୂର୍ଣ୍ଣ ହୋଇଥିଲା। ଏହାକୁ ଡିଜାଇନ କରିଥିଲେ ପ୍ରଖ୍ୟାତ ଇଞ୍ଜିନିୟର ଗୁସ୍ତଭ ଆଇଫିଲ। ତାଙ୍କରି ନାମାନୁସାରେ ହିଁ ଟାଓ୍ବାରର ନାମକରଣ ହୋଇଛି। ଏହାର ଉଚ୍ଚତା ୩୩୦ ମିଟର । ଫ୍ରାନ୍ସ କ୍ରାନ୍ତିର ୧୦୦ ବର୍ଷ ପୂର୍ତ୍ତି ଅବସରରେ ଏହି ପୃଥିବୀ ପ୍ରସିଦ୍ଧ ଟାଓ୍ବାରର ନିର୍ମାଣ କରାଯାଇଥିଲା। ପରବର୍ତ୍ତୀ ସମୟରେ ଏହା ଏତେ ପ୍ରସିଦ୍ଧ ହୋଇଗଲା ଯେ, ଆଇଫିଲ୍‌ ଟାଓ୍ବାର ପରି ସ୍ଥାପତ୍ୟ ଅନ୍ୟ କିଛି ସ୍ଥାନରେ ବି ନିର୍ମାଣ କରାଗଲା। ଯେମିତିକି-

ଟୋରେ ଆଇଫିଲ୍‌: ମେକ୍ସିକୋର ଦୁରଙ୍ଗୋରେ ନିର୍ମିତ ଟୋରେ ଆଇଫିଲ୍‌ ଟାଓ୍ବାରଟି ଅନେକାଂଶରେ ମୁଖ୍ୟ ଅଇଫିଲ୍‌ ଟାଓ୍ବାର ପରି ହିଁ ଦେଖିବାକୁ। ୨୦୦୭ରେ ନିର୍ମିତ ଉକ୍ତ ଟାଓ୍ବାରର ଉଚ୍ଚତା କିନ୍ତୁ ୬୦ ମିଟର, ଯାହାକି ବାସ୍ତବ ଆଇଫିଲ୍‌ ଟାଓ୍ବାର ଉଚ୍ଚତାର ମାତ୍ର ୧/୬ଭାଗ । ହେଲେ ଏହାର ସୌନ୍ଦର୍ଯ୍ୟ ଓ ଆକର୍ଷଣ କୌଣସି ଗୁଣରେ ଆଇଫିଲ୍‌ ଟାଓ୍ବାରଠୁ କମ୍‌ ଲାଗେନା। ଗୋମେଜ ପାଲାସିଓର ଫ୍ରେଞ୍ଚ କହୁଥିବା କମ୍ୟୁନିଟି ଏହାକୁ ଦୁରାଙ୍ଗୋକୁ ଉପହାର ସ୍ବରୂପ ପ୍ରଦାନ କରିଥିଲେ।
ଚାଇନା ଶେନଝେନ୍‌ସ୍ଥ ଆଇଫିଲ୍‌ ଟାଓ୍ବାର: ଚାଇନାରେ ମଧ୍ୟ ଅଛି ଆଇଫିଲ୍‌ ଟାଓ୍ବାରର ଏକ ପ୍ରତିରୂପ ଢାଞ୍ଚା। ଏହା ଶେନ୍‌ଝେନ ସହରସ୍ଥ ଓ୍ବାଲର୍‌ଡ ଥିମ୍‌ ପାର୍କରେ ଦେଖିବାକୁ ମିଳେ। ୧୦୮ ମିଟର ଉଚ୍ଚତାବିଶିଷ୍ଟ ଏହି ଟାଓ୍ବାର ପାଇଁ ଏହି ସହର ‘ପ୍ୟାରିସ୍‌ ଅଫ୍‌ ଇଷ୍ଟ’ଭାବେ ମଧ୍ୟ ପରିଚିତ। ୧୯୯୩ରେ ଏହାର ନିର୍ମାଣ ହୋଇଥିଲା।

ଲିନିଂ ଟାଓ୍ବାର ଅଫ୍‌ ପିସା
ପ୍ରାୟ ୪ ଡିଗ୍ରୀ ଢଳି ରହିଥିବା ଇଟାଲୀର ଲିନିଂ ଟାଓ୍ବାର ଅଫ୍‌ ପିସା ସବୁବେଳେ ପର୍ଯ୍ୟଟକଙ୍କ ଆକର୍ଷଣର କେନ୍ଦ୍ର ରହିଆସିଛି। ଏହା ହେଉଛି ପିସା କ୍ୟାଥେଡ୍ରାଲର ବେଲ୍‌ ଟାଓ୍ବାର। ୫୫.୮୬ ମିଟର (୧୮୩ ଫୁଟ୍‌ ୩ ଇଞ୍ଚ) ଉଚ୍ଚତାବିଶିଷ୍ଟ ଏହି ଟାଓ୍ବାରର ନିର୍ମାଣ ଦ୍ୱାଦଶ ଶତାବ୍ଦୀରେ ଆରମ୍ଭ ହୋଇଥିଲା। ନିର୍ମାଣ କାର୍ଯ୍ୟ ଚାଲିଥିବା ସମୟରେ ହିଁ ନରମ ମାଟି ଲାଗି ଏହା ଢଳିବା ଆରମ୍ଭ କରିଥିଲା। ଆଉ ନିର୍ମାଣ ସରିବା ତଥା ଚତୁର୍ଦ୍ଦଶ ଶତାବ୍ଦୀବେଳକୁ ଟାଓ୍ବାରର ଭାର ସମ୍ଭାଳି ନ ପାରି ଏହାର ମୁଳଦୂଆର ସ୍ଥିତି ଅଧିକ ବିଗିଡିବାକୁ ଲାଗିଲା। ୧୯୯୦ରେ ତ ଏହା ୫.୫ ଡିଗ୍ରୀ ଢଳିଯାଇଥିଲା। ପରେ ଏଥିରେ କିଛି ମରାମତି କାର୍ଯ୍ୟ କରି ଢଳିବା କମାଇ ୩.୯୭ଡିଗ୍ରୀ ପର୍ଯ୍ୟନ୍ତ କରାଗଲା। ଏହି ଅଦ୍ଭୁତ ସ୍ଥାପତ୍ୟର ମଧ୍ୟ ନକଲ କରାଯାଇଛି। ତାହା ହେଲା-
ଲିନିଂ ଟାଓ୍ବାର ଅଫ୍‌ ନାଇଲ୍ସ: ଆମେରିକା, ଇଲିନୋଏସ୍‌ସ୍ଥ ନାଇଲ୍ସରେ ଅଛି ଲିନିଂ ଟାଓ୍ବାର ଅଫ୍‌ ପିସାର ନକଲ ବା ପ୍ରତିରୂପ ସ୍ଥାପତ୍ୟ। ଏହା ଲିନିଂ ଟାଓ୍ବାର ଅଫ୍‌ ନାଇଲ୍ସ ଭାବେ ପରିଚିତ। ତେବେ ଏହାର ଆକାର ଲିନିଂ ଟାଓ୍ବାର ଅଫ୍‌ ପିସାଠାରୁ ଅଧା। ୧୯୩୪ରେ ଏହାର ନିର୍ମାଣ ସରିଥିଲା। ଅନେକେ କୁହନ୍ତି, ଲିନିଂ ଟାଓ୍ବାର ଅଫ୍‌ ପିସାର ୬୦୦ତମ ବାର୍ଷିକୀ ଉତ୍ସବ ପାଳନ ଅବସରରେ ଏହାକୁ ନିର୍ମାଣ କରାଯାଇଥିଲା।

ଷ୍ଟାଚ୍ୟୁ ଅଫ୍‌ ଲିବର୍ଟି
ରୋମର ଲିବର୍ଟି ଗଡେସ୍‌ ବା ସ୍ବତନ୍ତ୍ରତାର ଦେବୀ ଲିବର୍ଟାସ୍‌ ଡାହାଣ ହାତରେ ଏକ ଟର୍ଚ୍ଚକୁ ମୁଣ୍ଡ ଉପରକୁ ଟେକି ଧରିଥିବା ଏଇ ପ୍ରତିମୂର୍ତ୍ତି ଷ୍ଟାଚ୍ୟୁ ଅଫ୍‌ ଲିବର୍ଟି ଭାବେ ବେଶ୍‌ ପରିଚିତ। ଏହା ଆମେରିକା, ନ୍ୟୁୟର୍କସ୍ଥ ଲିବର୍ଟି ଆଇଲାଣ୍ଡରେ ରହିଛି। କପର ଧାତୁରେ ନିର୍ମିତ ଉକ୍ତ ପ୍ରତିମୂର୍ତ୍ତିକୁ ଫ୍ରାନ୍ସବାସୀ ଆମେରିକାକୁ ଉପହାରସ୍ବରୂପ ପ୍ରଦାନ କରିଥିଲେ। ଫ୍ରାନ୍ସର ସ୍ଥପତି ଫ୍ରେଡ୍ରିକ ଅଗସ୍ତ ବାଥ୍ରୋଲ୍ଡି ଏହାକୁ ଡିଜାଇନ୍‌ କରିଥିଲେ। ୧୮୮୬, ଅକ୍ଟୋବର ୨୮ରେ ଏହାକୁ ଲୋକାର୍ପଣ କରାଯାଇଥିଲା। ୧୫୧ ଫୁଟ୍‌ ୧ ଇଞ୍ଚ ଉଚ୍ଚତାବିଶିଷ୍ଟ ଉକ୍ତ ପ୍ରତିମୂର୍ତ୍ତି ସାରା ବିଶ୍ୱରେ ବେଶ୍‌ ପରିଚିତ। ତେଣୁ ଏହିଭଳି ପ୍ରତିମୂର୍ତ୍ତି ପୃଥିବୀର ଭିନ୍ନ ଭିନ୍ନ ସ୍ଥାନରେ କରାଯାଇଛି।

ନରଓ୍ବେର ଭିସନେସ୍‌ରେ ଥିବା ଷ୍ଟାଚ୍ୟୁ ଅଫ୍‌ ଲିବର୍ଟି: ଦେଖିବାକୁ ଅବିକଳ ନ୍ୟୁୟର୍କସ୍ଥ ଷ୍ଟାଚ୍ୟୁ ଅଫ୍‌ ଲିବର୍ଟି ପରି। ହେଲେ ଫରକ ଏତିକି ଯେ, ଏହାର ଉଚ୍ଚତା ମାତ୍ର ୪ ମିଟର । ରଗାଲାଣ୍ଡ କାଉଣ୍ଟିସ୍ଥ କରମୋୟ ଦ୍ୱୀପରେ ଥିବା ଭିସନେସ୍‌ ନାମକ ଛୋଟିଆ ଗ୍ରାମରେ ଅଛି ଏହି ପ୍ରତିମୂର୍ତ୍ତି। ଆକାରରେ ଛୋଟ ହେଲେ ବି ଷ୍ଟାଚ୍ୟୁ ଅଫ୍‌ ଲିବର୍ଟି ସହ ଏହାର ଥିବା ସାମଞ୍ଜସ୍ୟ ଲାଗି ଏହା ପର୍ଯ୍ୟଟକଙ୍କ ଆକର୍ଷଣ ସାଜି ଆସିଛି।

ଜାପାନର ଟୋକିଓରେ ଥିବା ଷ୍ଟାଚ୍ୟୁ ଅଫ୍‌ ଲିବର୍ଟି: ଜାପାନର ଫ୍ରାନ୍ସ ସହ ଚୁକ୍ତି ହେବାପରେ ୧୯୯୮ରେ ଫ୍ରାନ୍ସ ଜାପାନକୁ ଏହି ଷ୍ଟାଚ୍ୟୁ ଅଫ୍‌ ଲିବର୍ଟି ପରି ଏକ ପ୍ରତିମୂର୍ତ୍ତି ଉପହାର ସ୍ବରୂପ ପ୍ରଦାନ କରିଥିଲା। ପ୍ରଥମେ ଏହାକୁ ଅସ୍ଥାୟୀଭାବେ ଜାପାନର ଓଡେବାରେ ସ୍ଥାପନ କରାଯାଇଥିଲା। ହେଲେ ଏହା ଏତେ ଲୋକପ୍ରିୟ ହୋଇଗଲା ଯେ ୨୦୦୦ ମସିହାରେ ତାକୁ ସ୍ଥାୟୀଭାବେ ସ୍ଥାପନ କରାଗଲା। ଏହାର ଉଚ୍ଚତା ୪୦ ଫୁଟ୍‌, ଯାହାକି ନ୍ୟୁୟର୍କସ୍ଥ ଷ୍ଟାଚ୍ୟୁ ଅଫ୍‌ ଲିବର୍ଟିର ୧/୭ ଭାଗ ।
ଫ୍ରାନ୍ସ, କୋଲମାରରେ ଥିବା ଷ୍ଟାଚ୍ୟୁ ଅଫ୍‌ ଲିବର୍ଟି: ନ୍ୟୁୟର୍କସ୍ଥ ମୁଖ୍ୟ ଷ୍ଟାଚ୍ୟୁ ଅଫ୍‌ ଲିବର୍ଟି ନିର୍ମାଣ କରିଥିବା ସ୍ଥପତି ଫ୍ରେଡ୍ରିକ ଅଗସ୍ତ ବାଥ୍ରୋଲ୍ଡିଙ୍କ ୧୦୦ତମ ଶ୍ରାଦ୍ଧବାର୍ଷିକୀ ଅବସରରେ ୨୦୦୪ରେ ତାଙ୍କ ଜନ୍ମସ୍ଥାନ ଫ୍ରାନ୍ସର କୋଲମାରରେ ୧୨ ମିଟର ଉଚ୍ଚତାବିଶିଷ୍ଟ ଏହି ଷ୍ଟାଚ୍ୟୁ ଅଫ୍‌ ଲିବର୍ଟି ନିର୍ମାଣ କରାଯାଇଥିଲା।

କ୍ରିଷ୍ଟ ଦ ରିଡିମର୍‌
କାର୍ନିଭାଲ ସିଟି ବା ଆନନ୍ଦୋତ୍ସବର ସହର ଭାବେ ପରିଚିତ ବ୍ରାଜିଲର ରିଓ ଡି ଜେନିରୋରେ ଅଛି ଦୁଇ ବାହୁକୁ ପ୍ରସାରିତ କରି ଦଣ୍ଡାୟମାନ ହୋଇଥିବା ବିଶ୍ୱ ପ୍ରସିଦ୍ଧ କ୍ରିଷ୍ଟ ଦ ରିଡିମର୍‌ ପ୍ରତିମୂର୍ତ୍ତି। ଏହା ମଧ୍ୟ ସପ୍ତାଶ୍ଚର୍ଯ୍ୟ ମଧ୍ୟରେ ଅନ୍ତର୍ଭୁକ୍ତ। ୩୮ ମିଟର ଉଚ୍ଚତାବିଶିଷ୍ଟ ଯଶିଶୁଖ୍ରୀଷ୍ଟଙ୍କର ଏହି ପ୍ରତମୂର୍ତ୍ତି ଖ୍ରୀଷ୍ଟଧର୍ମକୁ ଦର୍ଶାଇଥାଏ। ୧୯୩୧ ମସିହାଠାରୁ ପ୍ରତିମୂର୍ତ୍ତିଟି ଏହିଠାରେ ରହିଛି। ଉକ୍ତ ପ୍ରତିମୂର୍ତ୍ତି ଏତେ ପ୍ରସିଦ୍ଧ ଯେ, ସେହିଭଳି ମୂର୍ତ୍ତି ଆହୁରି ଅନେକ ସ୍ଥାନରେ ସ୍ଥାପନ କରାଯାଇଛି। ଯେମିତିକି-

ପର୍ତ୍ତୁଗାଲ, ଲିସବନ୍‌ର କ୍ରିଷ୍ଟ ଦ କିଙ୍ଗ: ୨୫ ମିଟର ଉଚ୍ଚତାବିଶିଷ୍ଟ ଏହି ପ୍ରତିମୂର୍ତ୍ତିରେ ମଧ୍ୟ ଯିଶୁଖ୍ରୀଷ୍ଟ ଦୁଇ ବାହୁକୁ ପ୍ରସାରିତ କରି ଠିଆ ହୋଇଥିବା ଦେଖିବାକୁ ମିଳନ୍ତି। ଲାଗେ ଯେମିତି ପୂରା ସହର ଉପରେ ସେ ତାଙ୍କର ଆଶିଷ ଢାଳି ଦେଉଛନ୍ତି। ଦ୍ୱିତୀୟ ବିଶ୍ୱଯୁଦ୍ଧର ଭୟାବହତାରୁ ସହର ରକ୍ଷା ପାଇଥିବାରୁ ଏକ ଧାର୍ମିକ କୃତଜ୍ଞତା ଜ୍ଞାପନ ସ୍ବରୂପ ଏହାର ନିର୍ମାଣ ହୋଇଥିଲା। ସମୁଦ୍ରପତନଠାରୁ ୧୩୩ ମିଟର ଉଚ୍ଚତାରେ ଏକ ଉଚ୍ଚ ପାହାଡ଼ ଶିଖରରେ ଏହାକୁ ସ୍ଥାପନ କରାଯାଇଛି। ଏହାକୁ ଏଭଳି ଭାବେ ସ୍ଥାପନ କରାଯାଇଛି ଯେ, ଲାଗେ ସତେ ଯେମିତି ଯିଶୁଖ୍ରୀଷ୍ଟ ଟାଗସ୍‌ ନଦୀକୁ ଦେଖୁଛନ୍ତି।

ଅଙ୍ଗୋଲାର ଲୁବାଙ୍ଗୋସ୍ଥ କ୍ରିଷ୍ଟ ଦ କିଙ୍ଗ,: କ୍ରିଷ୍ଟ ଦ ରିଡିମର୍‌ ପ୍ରତିମୂର୍ତ୍ତି ପରି ଅବିକଳ ଏକ ପ୍ରତିମୂର୍ତ୍ତି ଅଙ୍ଗୋଲାର ଦକ୍ଷିଣରେ ଥିବା ଲୁବାଙ୍ଗୋରେ ବି ଅଛି। ଏହି ପ୍ରତିମୂର୍ତ୍ତି ‘କ୍ରିଷ୍ଟ ଦ କିଙ୍ଗ’ ଭାବେ ପରିଚିତ। ୩୦ ମିଟର ଉଚ୍ଚତାବିଶିଷ୍ଟ ଧଳା ମାର୍ବଲରେ ତିଆରି ଉକ୍ତ ପ୍ରତିମୂର୍ତ୍ତି ୧୯୫୭ରେ ସମୁଦ୍ର ପତନଠାରୁ ୧୩୦ ମିଟର ଉଚ୍ଚତାରେ ଏକ ବିରାଟକାୟ ସିମେଣ୍ଟ, ଇଟା ପଥରରେ ତିଆରି ମୂଳଦୁଆ ଉପରେ ସ୍ଥାପନ କରାଯାଇଛି। ଏହି ମୂଳଦୂଆଟି ଦୁଇଟି ଉଚ୍ଚା ପିଲର୍‌ର ସପୋର୍ଟ ଦ୍ୱାରା ଦଣ୍ଡାୟମାନ ଅଛି।

କଲୋଜିୟମ୍‌
୨୦୦୦ ବର୍ଷ ତଳେ ରୋମରେ ଅଣ୍ଡାକୃତିର ଏକ ଆମ୍ଫିଥିଏଟର ବା କଲୋଜିୟମ(ବୃତ୍ତାକାରରେ ଧାଡି ଧାଡି ହୋଇ ବସିବା ପାଇଁ ଜାଗା ଥିବା ଛାତ ବିହୀନ କୋଠା, ଯାହା ମଝିରେ ଥିବା ଏକ ଉନ୍ମୁକ୍ତ ସ୍ଥାନରେ ଖେଳ, କସରତ ବା ନାଟକ ପ୍ରଦର୍ଶିତ ହେଉଥିଲା) ନିର୍ମାଣ କରାଯାଇଥିଲା। ଏହା ଫ୍ଲାଭିଆନ ଆମ୍ଫିଥିଏଟର୍‌ ଭାବେ ମଧ୍ୟ ପରିଚିତ। କାରଣ ରୋମ୍‌ର ଫ୍ଲାଭିଆନ ରାଜବଂଶର ସାମ୍ରାଟ ବେସ୍ପାସିୟନଙ୍କ ଦ୍ୱାରା ଉକ୍ତ ବିଶାଳ ଆମ୍ଫିଥିଏଟର୍‌ ନିର୍ମିତ ହୋଇଥିଲା। ରୋମ ସାମ୍ରାଜ୍ୟର ଏହା ଥିଲା ସବୁଠୁ ବଡ଼ ଏଲିପ୍ଟିକାଲ ବା ଅଣ୍ଡାକାର ଆମ୍ଫିଥିଏଟର୍‌। ଏହାକୁ ରୋମ ସ୍ଥାପତ୍ୟର ଏକ ଉତ୍କୃଷ୍ଟ ନମୁନାଭାବେ ଗଣନା କରାଯାଏ। ୭୦-୭୨ ଖ୍ରୀଷ୍ଟାବ୍ଦ ମଧ୍ୟଭାଗରେ ଏହାର ନିର୍ମାଣ ଆରମ୍ଭ ହୋଇଥିଲା। ୮୦ ଖ୍ରୀଷ୍ଟାବ୍ଦରେ ସମ୍ରାଟ ଟାଇଟସ୍‌ଙ୍କଦ୍ୱାରା ସମ୍ପୂର୍ଣ୍ଣ ହୋଇଥିଲା। ଅଣ୍ଡାକାରର ଏହି କଲୋଜିୟମ୍‌ରେ ୫୦,୦୦୦ ଦର୍ଶକଙ୍କ ପାଇଁ ବସିବା ସୁବିଧା ସହ ମୋଟ ୮୦,୦୦୦ ଦର୍ଶକ ରହିପାରୁଥିଲେ। ମନୋରଞ୍ଜନ ପାଇଁ ଏଠାରେ ଯୋଦ୍ଧାଙ୍କର ମରଣାନ୍ତକ ଲଢ଼େଇ ହେଉଥିଲା। ଏଠି ମଣିଷ ହିଂସ୍ର ପ୍ରାଣୀଙ୍କ ସହ ବି ଲଢୁଥିଲେ। କୁହାଯାଏ ଏଠାରେ ୧୦ ଲକ୍ଷରୁ ଊର୍ଦ୍ଧ୍ୱ ମଣିଷ ଓ ୫ ଲକ୍ଷରୁ ଊର୍ଦ୍ଧ୍ୱ ପ୍ରାଣୀଙ୍କ ଜୀବନ ଯାଇଛି। ପୌରାଣିକ କଥାବସ୍ତୁକୁ ନେଇ ନାଟକ ବି ଏଠାରେ ଆୟୋଜନ ହେଉଥିଲା। ତେବେ ଭୂମିକମ୍ପ ଓ ପଥର ଚୋରି ଲାଗି ଏବେ ଏହା ଭଗ୍ନସ୍ତୂପରେ ପରିଣତ ହୋଇଯାଇଛି। କିନ୍ତୁ ଏହା ସପ୍ତାଶ୍ଚର୍ଯ୍ୟ ମଧ୍ୟରୁ ଗୋଟିଏ। ରୋମ ସାମ୍ରାଜ୍ୟର ବୈଭବକୁ ଦର୍ଶାଉଥିବା ଏହି କଲୋଜିୟମ ପରି ସ୍ଥାପତ୍ୟ ବି ଅନେକ ସ୍ଥାନରେ ନିର୍ମାଣ କରାଯାଇଛି। ଯେମିତିକି-

ଆମେରିକା, ନେଭାଡାସ୍ଥ ଲାସ୍‌ଭେଗାସ କଲୋଜିୟମ୍‌: ଲାସ୍‌ଭେଗାସ୍‌ସ୍ଥ କୈସାର୍ସ ପାଲେସ୍‌ରେ ଏହି କଲୋଜିୟମ୍‌ ବା ଥିଏଟର ଅଛି। ଏହି ଥିଏଟରରେ ୪୧୦୦ ସିଟିଂ କାପାସିଟି ଅଛି। ରୋମ କଲୋଜିୟମଠାରୁ ପ୍ରେରଣା ପାଇ ଏହାକୁ ତିଆରି କରାଯାଇଛି। ଏଥିରେ ୧୦୮ ମିଲିୟନ ଡଲାର ଖର୍ଚ୍ଚ ହୋଇଛି।

ଚାଇନାର ମାକାଉସ୍ଥ କଲୋଜିୟମ୍‌: ପୃଥିବୀର ପ୍ରାୟ ସବୁ ପ୍ରସିଦ୍ଧ ସ୍ଥାପତ୍ୟର ନକଲ ଚାଇନାରେ ହୋଇଛି। ସେଥିମଧ୍ୟରେ କୋଲୋସିୟମ୍‌ ବି ଅନ୍ତର୍ଭୁକ୍ତ। ମକାଉରେ ଅଛି କଲୋଜିୟମ୍‌ ପରି ଏକ ସ୍ଥାପତ୍ୟ। ତେବେ ଏହି କଲୋଜିୟମ୍‌ରେ ୨୦୦୦ ଦର୍ଶକଙ୍କ ପାଇଁ ସିଟ୍‌ ବ୍ୟବସ୍ଥା ଅଛି। ଏହାର ଆକାର ବି ଅଣ୍ଡାକୃତି।

ଦ ଗ୍ରେଟ୍‌ ସ୍ପିଙ୍କସ୍‌ ଅଫ୍‌ ଗିଜା: ମଣିଷର ମୁଣ୍ଡ ଓ ସିଂହର ଶରୀର ଥିବା ଗ୍ରେଟ୍‌ ସ୍ପିଙ୍କସ ଅଫ୍‌ ଗିଜା ପ୍ରତିମୂର୍ତ୍ତି ସାରା ବିଶ୍ୱର ପର୍ଯ୍ୟଟକଙ୍କୁ ଆକର୍ଷିତ କରିଥାଏ। ବହୁ ପୁରାତନ ଏହି ବିରାଟକାୟ ପ୍ରତିମୂର୍ତ୍ତି ଗୋଟିଏ ଲାଇମ୍‌ଷ୍ଟୋନକୁ ଖୋଦେଇ କରି ନିର୍ମାଣ କରାଯାଇଛି। ଇଜିପ୍ଟ, ଗିଜାସ୍ଥ ନୀଳନଦୀ କୂଳରେ ଗିଜା ମାଳଭୂମିରେ ଏହା ରହିଛି। ଏହାର ପଛଭାଗରେ ଅଛି ବିରାଟକାୟ ପିରାମିଡ। ଖ୍ରୀପୂ ୨୫୦୦ରେ ଏହା ଫାରୋ ଖଫ୍ରେଙ୍କ ପାଇଁ ନିର୍ମିତ ହୋଇଥିବା କୁହାଯାଏ। ପଞ୍ଝାରୁ ଲାଞ୍ଜ ପର୍ଯ୍ୟନ୍ତ ଏହାର ଲମ୍ବ ୨୪୦ ଫୁଟ୍‌ ଏବଂ ଭୂମିରୁ ଏହାର ଉଚ୍ଚତା ୬୬ ଫୁଟ୍‌। ସ୍ଫିଙ୍କସ୍‌ର ଚେହେରା ଫାରୋ ଖଫ୍ରେଙ୍କୁ ଦର୍ଶାଇଥାଏ। ଏହାର ନାକ କୌଣସି କାରଣରୁ ଭାଙ୍ଗିଯାଇଛି।

ଚାଇନା ସିଜିଆଝୁଆଙ୍ଗରେ ଥିବା ସ୍ଫିଙ୍କସ୍‌: ଏହା ଦେଖିବାକୁ ଅବିକଳ ଇଜିପ୍ଟର ଗିଜାରେ ଥିବା ପ୍ରକୃତ ସ୍ଫିଙ୍କସ୍‌ ପରି। ଏହା ଆକାର ବି ପାଖାପାଖି ସମାନ। ତେବେ ଏହି ସ୍ଫିଙ୍କସ୍‌ କଂକ୍ରିଟ୍‌ରେ ତିଆରି। ଉତ୍ତର ଚାଇନାର ହେବେଇ ପ୍ରାନ୍ତରେ ଥିବା ଏକ ଥିମ୍‌ ପାର୍କରେ ଏହା ରହିଛି। ତେବେ ଏହି ସ୍ଫିଙ୍କସ୍‌କୁ ନେଇ ଇଜିପ୍ଟବାସୀ ଅସନ୍ତୋଷ ପ୍ରକାଶ କରି ୟୁନେସ୍କୋରେ ଅଭିଯୋଗ କରିଥିଲେ। ତେଣୁ ପରେ ଏହାକୁ ନଷ୍ଟ କରିବାକୁ ପଡ଼ିଲା।

ମାଉଣ୍ଟ ରଶ୍‌ମୋର: ଚାରିଜଣ ପୂର୍ବତନ ଆମେରିକୀୟ ରାଷ୍ଟ୍ରପତିଙ୍କ ଚେହେରାକୁ ଆମେରିକା ସାଉଥ ଡକୋଟାସ୍ଥ ମାଉଣ୍ଟ ରଶ୍‌ମୋରର ଗ୍ରାନାଇଟ୍‌ ପଥରରେ ଖୋଦେଇ ହୋଇ ଏକ ଭିନ୍ନ ଧରଣର ସ୍ଥାପତ୍ୟ ଗଢାଯାଇଛି। ୬୦ ଫୁଟ୍‌ର ଏହି ସ୍ଥାପତ୍ୟରେ ଦେଖିବାକୁ ମିଳେ ପୂର୍ବତନ ରାଷ୍ଟ୍ରପତି ଜର୍ଜ ଓ୍ବାଶିଂଟନ, ଥୋମାସ ଜେଫରସନ୍‌, ଥିଓଡର ରୁଜ୍‌ଭେଲ୍ଟ ଓ ଆବ୍ରାହମ ଲିଙ୍କନଙ୍କ ଚେହେରା। ଏହା ଏକ ପ୍ରସିଦ୍ଧ ପର୍ଯ୍ୟଟନସ୍ଥଳ। ଆଉ ଏହାର ନକଲ ମଧ୍ୟ ଚାଇନାରେ ରହିଛି।

ଚାଇନାସ୍ଥ ଚୋଙ୍ଗକିଙ୍ଗରେ ଥିବା ମାଉଣ୍ଟ ରଶ୍‌ମୋର ସ୍ଥାପତ୍ୟ: ଚାଇନା, ଚୋଙ୍ଗକିଙ୍ଗସ୍ଥ ଏକ ପାର୍କରେ ମାଉଣ୍ଟ ରଶମୋରର ଏକ ଅବିକଳ ନକଲ ୧୯୩୭ରୁ ୧୯୪୫ ପର୍ଯ୍ୟନ୍ତ ଦେଖିବାକୁ ମିଳୁଥିଲା। ଏହି ସମୟ ମଧ୍ୟରେ ଚାଇନାର ଜାପାନ ସହ ଚାଲିଥିଲା ଘମାଘୋଟ ଯୁଦ୍ଧ। ଏହି ଯୁଦ୍ଧରେ ଆମେରିକା ଚାଇନାକୁ ସାହାଯ୍ୟ କରିଥିଲା। ଫଳରେ ଜାପାନ ହାରିଥିଲା। ତେଣୁ ଆମେରିକା ସମ୍ମାନରେ ଚାଇନାରେ ଏକ ପାର୍କ ତିଆରି କରାଯାଇ ତା’ ଭିତରେ ମାଉଣ୍ଟ ରଶ୍‌ମୋରର ଏକ ନକଲ ସ୍ଥାପତ୍ୟ ନିର୍ମାଣ କରାଯାଇଥିଲା।

ଏଇଥିରୁ ପ୍ରମାଣିତ ହୁଏ ଯେ, ଅସଲିର ସ୍ଥାନ କେବେ ତା’ର ନକଲ ନେଇ ପାରେନା। ତେବେ ତାହା ଯେତେ ଅବିକଳ ହେଉପଛେ।
-ଶିବାନୀ ମହାନ୍ତି


Enter your email to get our daily news in your inbox.

All Right Reserved By Dharitri.Com

ଫାଇନାଲ ପରୀକ୍ଷା ଦେବାକୁ ଯାଇ ଯୁକ୍ତ ୨ ଛାତ୍ରୀ ନିଖୋଜ, ଜଣେ ଯୁବକ ଅପହରଣ କରିନେଇଥିବା ନେଇ…

ଗଜପତି,୧୦।୨ (ଗିରିଧାରୀ ପରିଛା)-ଗଜପତି ଜିଲା ସଦରମହକୁମା ପାରଳାଖେମୁଣ୍ଡି ସହରର ଆଦର୍ଶ ଥାନା ସମ୍ମୁଖ ମାଧିକା ସାହିର ଜଣେ ଯୁକ୍ତ ଦୁଇ ଛାତ୍ରୀ ନିଖୋଜ ଥିବା ବେଳେ ତାଙ୍କୁ…

ଝଡାଫୁଙ୍କା ବାହାନାରେ ନାବାଳିକାଙ୍କୁ ବଳାତ୍କାର, ସୋନପୁର ଜେଲକୁ ଗଲେ…

ଡୁଙ୍ଗୁରିପାଲି, ୧୦ା୨(ଦୀନବନ୍ଧୁ ସୁନା): ସୁବର୍ଣ୍ଣପୁର ଜିଲା ଡୁଙ୍ଗୁରିପାଲି ରାମପୁର ଥାନା ଅଞ୍ଚଳରେ ଝଡାଫୁଙ୍କା ବାହାନା କରି ଜଣେ ମାନସିକ ବିକାରଗ୍ରସ୍ତ ନାବାଳିକାଙ୍କୁ ବଳାତ୍କାର ଅଭିଯୋଗ ହୋଇଛି। ପୀଡିତା…

ଖୁଣ୍ଟାପୁର ଗ୍ରାମରେ ଡକାୟତି: ଫେରାର ହେବାକୁ ଉଦ୍ୟମ ବେଳେ ଜଣଙ୍କୁ ମାଡ଼ି ବସି ନିର୍ଧୁମ ଛେଚିଲେ ଗ୍ରାମବାସୀ, ପୋଲିସ…

ବୈଶିଙ୍ଗା,୧୦।୨(ରତନ ଦାଶ): ମୟୂରଭଞ୍ଜ ଜିଲାର ବୈଶିଙ୍ଗା ଥାନା ଅର୍ନ୍ତଗତ ଖୁଣ୍ଟାପୁର ଗ୍ରାମରେ ମଙ୍ଗଳବାର ସା ୭.୩୦ ସମୟରେ ୬ ଜଣ ଦୁର୍ବୃତ୍ତ ଡକାୟତି ଉଦ୍ଦେଶ୍ୟରେ ଚିନ୍ମୟ ମିଶ୍ରଙ୍କ…

ଯାଜପୁରରେ କୃମି ଔଷଧ ଖାଇ ୩୮ ଛାତ୍ରୀଛାତ୍ର ଅସୁସ୍ଥ

କଳିଙ୍ଗନଗର,୧୦।୨(ଶୁଭାଶିଷ ରାଉତ): ଯାଜପୁର ଜିଲା କୋରେଇ ବ୍ଲକ ଅନ୍ତର୍ଗତ ପଥରପଦା ପଞ୍ଚାୟତର ଓଚିନ୍ଦା ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି। ଜାତୀୟ କୃମି ନାଶକ ଦିବସ ଅବସରରେ…

ଅପରାହ୍ନରେ ସଚେତନତା, ସନ୍ଧ୍ୟାରେ ନିଆଁ; ହୁତୁହୁତୁ ହୋଇ ଜଳୁଛି ସୋରଦେବି ଜଙ୍ଗଲ…

ଭଞ୍ଜନଗର,୧୦।୨(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ସ୍ଥିତ ଘୁମୁସର ଉତ୍ତର ବନଖଣ୍ଡର ଲାଲସିଂ ନର୍ସରୀ ପରିସରରେ ମଙ୍ଗଳବାର ସକାଳୁ ଅପରାହ୍ନ ୪ଟା ପର୍ଯ୍ୟନ୍ତ ବନଖଣ୍ଡସ୍ତରୀୟ ବନାଗ୍ନୀ ପ୍ରଶମନ ସଚେତନତା…

Rare Solar Eclipse: ୧୦୦ବର୍ଷ ପରେ ଅତି ବିରଳ ସୂର୍ଯ୍ୟ ପରାଗ, ଦିନ ୧୨ଟାରେ ଭାରତରେ ଘୋଟିଯିବ କିଟକିଟ ଅନ୍ଧାର! ପକ୍ଷୀମାନେ କରିବେ…

ଆଗକୁ ଏକ ଏମିତି ସୂର୍ଯ୍ୟପରାଗ ଆସୁଛି ଯାହା ସମସ୍ତଙ୍କୁ ଚମକାଇ ଦେବ । ଦିନ ୧୨ଟାରେ ସବୁକିଛି ଅନ୍ଧାର ହୋଇଯିବ । ଦିନ ହଠାତ୍ ରାତିରେ ପରିଣତ…

୧୦ ଉଇକେଟରେ ଜିତିଲା ନ୍ୟୁଜିଲାଣ୍ଡ

ଚେନ୍ନାଇ,୧୦ା୨- ଟି୨୦ ବିଶ୍ୱକପ୍‌ରେ ମଙ୍ଗଳବାର ଖେଳାଯାଇଥିବା ମ୍ୟାଚ୍‌ରେ ନ୍ୟୁଜିଲାଣ୍ଡ ୧୦ ଉଇକେଟରେ ୟୁଏଇକୁ ପରାସ୍ତ କରିଛି। ୟୁଏଇ ଦ୍ୱାରା ଧାର୍ଯ୍ୟ ୧୭୪ ରନ୍‌ର ଟାର୍ଗେଟ୍‌କୁ ଟିମ୍‌ ସିଫର୍ଟ…

ବଲିଉଡରେ ହଇଚଇ: ରଣବୀର ସିଂଙ୍କୁୁ ମିଳିଲା ଧମକ, କୋଟି କୋଟି ଟଙ୍କା ଦାବି; ସୁରକ୍ଷା ବଢ଼ାଇଲା… 

ମୁମ୍ବାଇ: ଅଭିନେତା ରଣବୀର ସିଂଙ୍କୁ ଧମକ। ଘର ବାହାରେ ବଢ଼ାଗଲା ସୁରକ୍ଷା। କିଛି ଏଭଳି ଖବରକୁ ନେଇ ବଲିଉଡରେ ହଇଚଇ ସୃଷ୍ଟି ହୋଇଛି। ସୂଚନା ପ୍ରକାରେ ଅଭିନେତାଙ୍କୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri