Categories: ଖେଳ

କୋପା ଆମେରିକା ଫୁଟବଲ: ବ୍ରାଜିଲ- ଇକ୍ୱେଡର ମ୍ୟାଚ୍‌ ଡ୍ର

ସାଓ ପାଉଲୋ,୨୯।୬: କୋପା ଆମେରିକା ଫୁଟବଲ ଟୁର୍ନାମେଣ୍ଟରେ ରବିବାର ବ୍ରାଜିଲ ଓ ଇକ୍ୱେଡର ମଧ୍ୟରେ ଅନୁଷ୍ଠିତ ପ୍ରଥମ ମ୍ୟାଚ୍‌ ୧-୧ ଗୋଲରେ ଅମୀମାଂସିତ ରହିଛି। ଗୋଇଆନିଆର ଅଲିମ୍ପିକୋ ଷ୍ଟାଡିୟମରେ ଖେଳାଯାଇଥିବା ଗ୍ରୁପ୍‌ ବି’ର ଏହି ସଂଘର୍ଷପୂର୍ଣ୍ଣ ମ୍ୟାଚ୍‌ରେ ବ୍ରାଜିଲ ତରଫରୁ ନେମାର, ଡିଫେଣ୍ଡର ଥିଆଗୋ ସିଲ୍‌ଭା ଓ ଷ୍ଟ୍ରାଇକର ଗାବ୍ରିଏଲ ଜେସସ୍‌ ଖେଳି ନ ଥିଲେ। ମ୍ୟାଚ୍‌ ଡ୍ର ରଖି ଇକ୍ୱେଡର କ୍ୱାର୍ଟର ଫାଇନାଲରେ ପ୍ରବେଶ କରିଛି। ୩୭ତମ ମିନିଟ୍‌ରେ ସେଣ୍ଟ୍ରାଲ ଡିଫେଣ୍ଡର ଏଡେର ମିଲିଟାଓ ଗୋଲ ଦେଇ ଡିଫେଣ୍ଡିଂ ଚାମ୍ପିୟନ ବ୍ରାଜିଲକୁ ଅଗ୍ରଣୀ କରାଇଥିଲେ। ଦ୍ୱିତୀୟାର୍ଦ୍ଧରେ ୫୩ତମ ମିନିଟ୍‌ରେ ଇକ୍ୱେଡର ତରଫରୁ ଆଞ୍ଜେଲ ମେନା ଗୋଲ ଦେଇ ମ୍ୟାଚ୍‌କୁ ସମାନସ୍ଥିତିକୁ ଆଣିଥିଲେ। ଏହାପରେ ଗୋଲ ନ ହେବା କାରଣରୁ ମ୍ୟାଚ୍‌ ଡ୍ର ରହିଥିଲା।
ଏଥିସହ ୪ଟି ମ୍ୟାଚ୍‌ ଖେଳି ୩ ଡ୍ର ଓ ଗୋଟିଏ ପରାଜୟ ସହ ୩ ପଏଣ୍ଟ ପାଇ ଇକ୍ୱେଡର ଗ୍ରୁପ୍‌ ବି ପଏଣ୍ଟ ତାଲିକାରେ ଚତୁର୍ଥ ସ୍ଥାନରେ ରହିଛି। ଫଳରେ ଭେନେଜୁଏଲା ଟୁର୍ନାମେଣ୍ଟରୁ ବାଦ୍‌ ପଡିଛି। ଇକ୍ୱେଡର କ୍ୱାର୍ଟରରେ ଲିଓନେଲ ମେସିଙ୍କ ଆର୍ଜେଣ୍ଟିନାକୁ ଭେଟିବା ସ୍ପଷ୍ଟ ହୋଇଛି। ବ୍ରାଜିଲ ୪ଟି ମ୍ୟାଚ୍‌ ଖେଳି ୩ ବିଜୟ, ୧ ଡ୍ର ସହ ୧୦ ପଏଣ୍ଟ ହାସଲ କରି ଶୀର୍ଷରେ ରହିଛି। ପେରୁ ୪ଟି ମ୍ୟାଚ୍‌ ଖେଳି ୨ ବିଜୟ, ୧ ଡ୍ର ଓ ୧ ପରାଜୟ ସହ ୭ ପଏଣ୍ଟ ପାଇ ଦ୍ୱିତୀୟ ସ୍ଥାନରେ ରହିଛି। ସେହିପରି କଲମ୍ବିଆ ୪ ମ୍ୟାଚ୍‌ ଖେଳି ୧ ବିଜୟ, ୧ ଡ୍ର ଓ ୨ ପରାଜୟ ସହ ୪ ପଏଣ୍ଟ ପାଇ ତୃତୀୟ ସ୍ଥାନରେ ରହିଛି। କ୍ୱାର୍ଟରରେ ବ୍ରାଜିଲ ଉରୁଗୁଏ କିମ୍ବା ଚିଲିକୁ ଭେଟିବ।
ପେରୁଠାରୁ ହାରି ଭେନେଜୁଏଲା ଆଉଟ୍‌
ବ୍ରାସିଲିଆ: ରବିବାର ଅନୁଷ୍ଠିତ ଗ୍ରୁପ୍‌ ବି’ର ଅନ୍ତିମ ମ୍ୟାଚ୍‌ରେ ପେରୁ ୧-୦ ଗୋଲରେ ଭେନେଜୁଏଲାକୁ ହରାଇଛି। ସଂଘର୍ଷପୂର୍ଣ୍ଣ ଏହି ମୁକାବିଲାରେ ୪୮ତମ ମିନିଟ୍‌ରେ ଆନ୍ଦ୍ରେ କାରିଲୋ ଗୋଲ ଦେଇ ପେରୁକୁ ଅଗ୍ରଣୀ କରାଇଥିଲେ। ନକ୍‌ଆଉଟ ପର୍ଯ୍ୟାୟକୁ ଉଠିବା ପାଇଁ ଭେନେଜୁଏଲାକୁ ଏହି ମ୍ୟାଚ୍‌ରେ ବିଜୟୀ ହେବା ଜରୁରୀ ଥିଲା। ଭେନେଜୁଏଲା ୪ ମ୍ୟାଚ୍‌ ଖେଳି ୨ଟି ଲେଖାଏ ଡ୍ର ଓ ପରାଜୟ ସହ ୨ ପଏଣ୍ଟ ପାଇ ପଞ୍ଚମ ତଥା ନିମ୍ନ ସ୍ଥାନରେ ରହିବା ସହ ଟୁର୍ନାମେଣ୍ଟରୁ ବାଦ୍‌ ପଡିଛି।

Share