‘କପ୍‌୩୧’: ଜଳବାୟୁ ପାଣ୍ଠିକୁ ନେଇ ବିବାଦ

ଆଣ୍ଟାଲ୍ୟା,୧୦।୧୧: ତୁର୍କୀର ପର୍ଯ୍ୟଟନ ସହର ଆଣ୍ଟାଲ୍ୟାଠାରେ ସୋମବାରଠାରୁ ୩୧ତମ ଜାତିସଂଘ ଜଳବାୟୁ ସମ୍ମିଳନୀ (କପ୍‌୩୧) ଆରମ୍ଭ ହୋଇଯାଇଛି। ଆସନ୍ତା ୨୦ ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି ବିଶ୍ୱସ୍ତରୀୟ ମହାମଞ୍ଚରେ ପ୍ରଥମ ଦିନରୁ ହିଁ ବିକାଶଶୀଳ ଏବଂ ଧନୀ ରାଷ୍ଟ୍ରଗୁଡ଼ିକ ମଧ୍ୟରେ ଜଳବାୟୁ ପାଣ୍ଠିକୁ ନେଇ ତୀବ୍ର ବିବାଦ ଦେଖାଦେଇଛି। ଏହା ସହିତ ଆୟୋଜକ ଦେଶ ତୁର୍କୀର ନିଜସ୍ବ ପରିବେଶ ନୀତିକୁ ନେଇ ମଧ୍ୟ ସମ୍ମିଳନୀରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।
ସମ୍ମିଳନୀର ଉଦଘାଟନୀ ଦିନରେ ଜଳବାୟୁ ପାଣ୍ଠିକୁ ନେଇ ଆଫ୍ରିକୀୟ ଦେଶ ଏବଂ ଅନ୍ୟ ଗରିବ ରାଷ୍ଟ୍ରଗୁଡ଼ିକ ଧନୀ ଦେଶଗୁଡ଼ିକୁ ତୀବ୍ର ବିରୋଧ କରିଛନ୍ତି। ଗରିବ ଦେଶଗୁଡ଼ିକୁ ଜଳବାୟୁ ସଙ୍କଟର ମୁକାବିଲା ପାଇଁ ଆର୍ଥିକ ସହାୟତା ଯୋଗାଇବା ଏବଂ ଏହାର ସଠିକ ଟ୍ରାକିଂ ପାଇଁ ଏକ ସ୍ବତନ୍ତ୍ର ଏଜେଣ୍ଡା ସାମିଲ କରିବାକୁ ଦାବି କରାଯାଇଥିଲା। ବିଶ୍ୱ ଶକ୍ତି ସଙ୍କଟ ମଧ୍ୟରେ ଜାତିସଂଘ ଜଳବାୟୁ ମୁଖ୍ୟ ସାଇମନ ଷ୍ଟିଲ୍‌ ଚେତାବନୀ ଦେଇ କହିଛନ୍ତି, କାର୍ବନ ନିର୍ଗମନ କମାଇବା ପାଇଁ ଏବେ ବିଶ୍ୱବାସୀଙ୍କୁ ତୁରନ୍ତ କଠୋର ପଦକ୍ଷେପ ନେବାକୁ ହେବ। ଆସନ୍ତା ୧୧ ଓ ୧୨ରେ ବିଶ୍ୱ ନେତାମାନଙ୍କ ମହାସମ୍ମିଳନୀରେ ପୃଥିବୀର ଭବିଷ୍ୟତ ପାଇଁ ନୂତନ ରଣନୀତି ପ୍ରସ୍ତୁତ କରାଯିବ।
ଚଳିତ ସମ୍ମିଳନୀର ଆୟୋଜକ ଦେଶ ଭାବେ ତୁର୍କୀ ବିଶ୍ବ ଜଳବାୟୁ ପରିବର୍ତ୍ତନ ରୋକିବା ପାଇଁ ଏକ ବଡ଼ ପ୍ରସ୍ତାବ ଆଣିଛି। ତୁର୍କୀ ପକ୍ଷରୁ ‘୩୫ ବାଇ ୩୫’ ରୋଡ୍‌ମ୍ୟାପ୍‌ ଉପସ୍ଥାପନ କରାଯାଇଛି, ଯେଉଁଥିରେ ୨୦୩୫ ସୁଦ୍ଧା ବିଶ୍ବର ସାମଗ୍ରିକ ଶକ୍ତି ବ୍ୟବହାରରେ ବିଦ୍ୟୁତ୍‌ର ଭାଗକୁ ୩୫%କୁ ବୃଦ୍ଧି କରିବାକୁ ଆହ୍ବାନ ଦିଆଯାଇଛି। କିନ୍ତୁ ଆଶ୍ଚର୍ଯ୍ୟର କଥା ହେଉଛି, ଗୋଟିଏ ପଟେ ତୁର୍କୀ ସବୁଜ ଶକ୍ତି ଏବଂ ବୈଦ୍ୟୁତୀକରଣର ପ୍ରଚାର କରୁଥିବା ବେଳେ ଅନ୍ୟପଟେ ନିଜ ଦେଶରେ କୋଇଲାଚାଳିତ ବିଦ୍ୟୁତ୍‌ ପ୍ରକଳ୍ପକୁ ଦ୍ରୁତ ଗତିରେ ବଢ଼ାଇବାରେ ଲାଗିଛି। ବର୍ତ୍ତମାନ ତୁର୍କୀ ସମଗ୍ର ୟୁରୋପରେ ସବୁଠାରୁ ଅଧିକ କୋଇଲା କ୍ଷମତାସମ୍ପନ୍ନ ଦେଶ ପାଲଟିଛି। ପରିବେଶବିତ୍‌ମାନେ ତୁର୍କୀର ଏହି ଦୋମୁହାଁ ନୀତିକୁ କଡ଼ା ସମାଲୋଚନା କରିଛନ୍ତି।

 

Dharitri – Odisha’s No.1 Odia Daily

Share