ଭୁବନେଶ୍ୱର,୨୮ା୮(ସୌମ୍ୟରଞ୍ଜନ ରାଉତ): ଓଡ଼ିଶାର ଅର୍ଥନୈତିକ ବିକାଶରେ ସୂକ୍ଷ୍ମ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ (ଏମ୍ଏସ୍ଏମ୍ଇ)ର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଏମ୍ଏସ୍ଏମ୍ଇ ବିକାଶରେ ବ୍ୟାଙ୍କ, ସରକାର, ଉଦ୍ୟୋଗୀଙ୍କ ସମନ୍ବୟ ଜରୁରୀ। ତେଣୁ ଏମ୍ଏସ୍ଏମ୍ଇକୁ ସହଜ ଓ ସମୟୋପଯୋଗୀ ଋଣ ଯୋଗାଣ ସହ ବ୍ୟବସାୟ ସମ୍ପ୍ରସାରଣ ଓ ଆର୍ଥିକ ସଶକ୍ତୀକରଣ କରାଯାଉ ବୋଲି ଗୁରୁବାର ଭୁବନେଶ୍ୱରସ୍ଥିତ ଏକ ହୋଟେଲରେ ଆୟୋଜିତ ‘ଆଉଟ୍ଲୁକ୍ ଏମ୍ଏସ୍ଏମ୍ଇ ଗ୍ରୋଥ୍ କନ୍କ୍ଲେଭ୍-ଓଡ଼ିଶା ୨୦୨୬’ରେ ମତ ପ୍ରକାଶ ପାଇଛି।
ବ୍ୟାଙ୍କ ଅଫ୍ ବରୋଦା ସହଯୋଗରେ ଆଉଟ୍ଲୁକ୍ ଗ୍ରୁପ୍ ପକ୍ଷରୁ ଆୟୋଜିତ ଏହି ସମ୍ମିଳନୀର ବିଷୟବସ୍ତୁ ଥିଲା ‘ବ୍ୟାଙ୍କିଙ୍ଗ୍ ଅନ୍ ଭାରତ: ଏମ୍ପାୱାରିଂ ଓଡ଼ିଶା’ସ ଏମ୍ଏସ୍ଏମ୍ଇଜ୍’। ଏଥିରେ ନୀତି ନିର୍ଦ୍ଧାରକ, ବ୍ୟାଙ୍କିଙ୍ଗ୍ କ୍ଷେତ୍ରର ଅଧିକାରୀ, ଶିଳ୍ପ ପ୍ରତିନିଧି ଓ ଉଦ୍ୟୋଗୀମାନେ ଯୋଗଦେଇ ଓଡ଼ିଶାର ଏମ୍ଏସ୍ଏମ୍ଇ କ୍ଷେତ୍ରର ସୁଯୋଗ ଓ ଆହ୍ବାନ ସମ୍ପର୍କରେ ଆଲୋଚନା କରିଥିଲେ। ସମୃଦ୍ଧ ଓଡ଼ିଶା ୨୦୩୬ ଲକ୍ଷ୍ୟ ହାସଲରେ ଏମ୍ଏସ୍ଏମ୍ଇର ଭୂମିକା ଏବଂ ଉଦ୍ୟୋଗୀମାନଙ୍କୁ ଆବଶ୍ୟକ ଆର୍ଥିକ ସହାୟତା ଯୋଗାଇଦେବା ଉପରେ ମତପ୍ରକାଶ ପାଇଥିଲା।
ଅତିଥି ଭାବେ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ ଯୋଗଦେଇ ‘ସମୃଦ୍ଧ ଓଡ଼ିଶା ୨୦୩୬ ପାଇଁ ଏମ୍ଏସ୍ଏମ୍ଇର ଭିଜନ’ ଉପରେ ଆଲୋଚନା କରିଥିଲେ। ବ୍ୟାଙ୍କ ଅଫ୍ ବରୋଦାର ଏମ୍ଏସ୍ଏମ୍ଇ ବ୍ୟାଙ୍କିଙ୍ଗ୍, କୋ-ଲେଣ୍ଡିଂ ଓ ସପ୍ଲାଏ ଚେନ୍ ଫାଇନାନ୍ସ ମୁଖ୍ୟ ସୁନୀଲ କୁମାର ଶର୍ମା ରାଜ୍ୟର ଦୀର୍ଘମିଆଦୀ ବିକାଶ ଲକ୍ଷ୍ୟ ହାସଲ ପାଇଁ ଉଦ୍ୟୋଗଗୁଡ଼ିକୁ ସମୟୋପଯୋଗୀ ଓ ଆବଶ୍ୟକତା ଅନୁଯାୟୀ ଆର୍ଥିକ ସହାୟତା ଦେବା ଉପରେ ଗୁରୁତ୍ୱାରୋପ କରିଥିଲେ। ଏମ୍ଏସ୍ଏମ୍ଇ ବିଭାଗର ସଚିବ ରଶ୍ମିତା ପଣ୍ଡା, ଓକାକ୍ କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ କୌସ୍ତୁଭ ଦୀପ୍ତ ପାଣି ଏମ୍ଏସ୍ଏମ୍ଇକୁ ଋଣ ପ୍ରବାହ ସୁଗମ କରିବା ସହ ଅନୁକୂଳ ବ୍ୟବସ୍ଥା ସୁଦୃଢ଼ କରିବା ଉପରେ ମତ ରଖିଥିଲେ।
ଏମ୍ପି ଦିଲୀପ ରାୟ ରାଜ୍ୟର ଉଦ୍ୟୋଗୀ ଓ ଏମ୍ଏସ୍ଏମ୍ଇ ପରିବେଶକୁ ସଶକ୍ତ କରିବାକୁ ଗୁରୁତ୍ୱ ଦେଇଥିଲେ। ଏହି ଅବସରରେ ସମସ୍ତ ଅତିଥିଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ଅନ୍ୟତମ ଅତିଥି ଭାବେ ମ୍ୟାଗ୍ନମ୍ ଗ୍ରୁପ୍ର ପ୍ରମୋଟର ସମିଧା ମହାପାତ୍ର, ଓଡ଼ିଶା ଆସେମ୍ବ୍ଲି ଅଫ୍ ସ୍ମଲ ଆଣ୍ଡ ମିଡିୟମ ଏଣ୍ଟରପ୍ରାଇଜେସ୍ (ଓଏଏସ୍ଏମ୍ଇ)ର ସାଧାରଣ ସମ୍ପାଦକ ସାତ୍ତ୍ୱିକ ସ୍ବାଇଁ, ଅଶ୍ବିନୀ ଗ୍ରୁପ୍ ଅଫ୍ ହସ୍ପିଟାଲ୍ସର ନିର୍ଦ୍ଦେଶିକା ସୁମା ଦେବୀ ଦାଶ, ପ୍ରାଣ୍ଟାଏ ସଲ୍ୟୁଶନ୍ସ ପ୍ରାଇଭେଟ୍ ଲିମିଟେଡ୍ର ପ୍ରତିଷ୍ଠାତା ସୁମୋନା କର୍ଜୀ ମିଶ୍ର ଏବଂ ବ୍ୟାଙ୍କ ଅଫ ବରୋଦାର ଚିଫ୍ ଜେନେରାଲ ମ୍ୟାନେଜର ସୁନୀଲ କୁମାର ଶର୍ମା ଉପସ୍ଥିତ ଥିଲେ। ଆଉଟଲୁକ୍ର ପ୍ରକାଶକ ସନ୍ଦୀପ କୁମାର ଘୋଷ ସ୍ବାଗତ ଭାଷଣ ଓ ଅନୁଷ୍ଠାନର ସଦସ୍ୟ ସୁଦୀପ୍ତ ଦେ ଧନ୍ୟବାଦ ଅର୍ପଣ କରିଥିଲେ।