୧୮୯୭ ମସିହାରେ ଉତ୍କଳ ଗୌରବ ମଧୁସୂଦନ ଦାସ ୟୁରୋପ ଦେଶଗୁଡ଼ିକୁ ଭ୍ରମଣ କାଳରେ ସେଠାରେ ଦେଖାଦେଇଥିବା ଶିଳ୍ପ ବିପ୍ଳବର ମୁକାବିଲା ପାଇଁ ସମବାୟଭିତ୍ତିକ ଅନୁଷ୍ଠାନଗୁଡ଼ିକ ସଫଳତାର ସହିତ କାର୍ଯ୍ୟ କରୁଥିଲେ। ସେଠାରୁ ଫେରି ମଧୁସୂଦନ ଦାସ ସମବାୟ ଅନୁଷ୍ଠାନମାନ ପ୍ରତିଷ୍ଠା କରି ସମଗ୍ର ଭାରତକୁ ସମବାୟଭିତ୍ତିକ ବିକଶିତ ଦେଶ ରୂପେ ଗଢ଼ି ତୋଳିବାକୁ କାର୍ଯ୍ୟକ୍ରମ ଆରମ୍ଭ କରିଥିଲେ। ୧୮୯୮ ମସିହାରେ କଟକଠାରେ କଞ୍ଜ୍ୟୁମର ଷ୍ଟୋର୍ ସ୍ଥାପନ କରି ରାଜ୍ୟରେ ପ୍ରଥମ ଭିତ୍ତିଭୂମି ସ୍ଥାପନ କରିଥିଲେ। ମଧୁସୂଦନଙ୍କ ଉଦ୍ଦେଶ୍ୟ ଥିଲା, ସମବାୟରେ ଅଧିକ ନିଯୁକ୍ତି ସୃଷ୍ଟି କରିବା। ସେବେଠାରୁ ଭାରତୀୟଙ୍କ ମାନସିକତାରେ ସମବାୟ ଭାବନା ଗଭୀର ଭାବରେ ସ୍ଥାପିତ ହୋଇଆସିଛି।
ମଧୁବାବୁ ଅନୁସୂଚିତ ଜାତି ସମ୍ପ୍ରଦାୟର ମୋଚିମାନଙ୍କୁ ସମବାୟ ନୀତିରେ ସଙ୍ଗଠିତ କରି ଚମଡ଼ା ଜୋତା ତିଆରି କରିବା ପାଇଁ କଟକ ସହରର ତାଳଦଣ୍ଡା କେନାଲ କଡ଼ରେ ଥିବା ୨୦ ଗୁଣ୍ଠ ଜମିରେ ଉତ୍କଳ ଟ୍ୟାନେରି ପ୍ରତିଷ୍ଠା କରିଥିଲେ। ବିଜୁ ପଟ୍ଟନାୟକ ମୁଖ୍ୟମନ୍ତ୍ରୀତ୍ୱ କାଳରେ ଏହାର ନାମ ପରିବର୍ତ୍ତନ କରି ଲେଦର କର୍ପୋରେଶନ ଅଫ୍ ଓଡ଼ିଶା କରିଥିଲେ। ଉତ୍କଳ ଟ୍ୟାନେରି ଦ୍ୱାରା ପ୍ରସ୍ତୁତ ଜୋତା ପ୍ରତିରକ୍ଷା ବିଭାଗର ଯବାନଙ୍କ ପାଇଁ ଯୋଗାଇ ଦିଆଯାଉଥିଲା ଏବଂ କେତେକ ବିଦେଶ ରାଷ୍ଟ୍ରଗୁଡ଼ିକୁ ବିକ୍ରୟ କରାଯାଉଥିଲା। ରାଜ୍ୟ ସରକାର ଜୋରଜବରଦସ୍ତ ଉତ୍କଳ ଟ୍ୟାନେରି କୋଠାକୁ ଭାଙ୍ଗି ଉକ୍ତ ଜମିକୁ ଶ୍ରୀ ରାମଚନ୍ଦ୍ର ଭଞ୍ଜ ମେଡିକାଲ କଲେଜକୁ ଦେଇଦେଲେ, ଯାହା ଓଡ଼ିଶା ପାଇଁ କୁଠାରଘାତ। ଏହା ଅତୀତର ଭାରତବର୍ଷର ଏକ ସ୍ବନାମଧନ୍ୟ ସମବାୟ ଶିଳ୍ପ ଥିବାରୁ କେନ୍ଦ୍ର ସମବାୟ ମନ୍ତ୍ରଣାଳୟ ଏହାକୁ ପୁନରୁଦ୍ଧାର କରିପାରିଲେ ହା ହତାଶ ଭିତରେ ଜୀବନ କଟାଉଥିବା ବାରଙ୍ଗ ଅଞ୍ଚଳର ମୋଚିମାନଙ୍କୁ କର୍ମ ଯୋଗାଇ ଦିଆଯାଇପାରିବ। ମଧୁସୂଦନଙ୍କ ନାମରେ ଏକ ମ୍ୟୁଜିୟମ୍ କରିବା ପାଇଁ ସରକାର ୩ କୋଟି ଟଙ୍କା ମଞ୍ଜୂର କରିଥିବା ବେଳେ ତାହାକୁ କୌଣସି କାରଣବଶତଃ ବନ୍ଦ କରିଦିଆଯାଅଛି। ଏହାକୁ କାର୍ଯ୍ୟକାରୀ କରିପାରିଲେ ଏହା ହେବ ଓଡ଼ିଆ ଅସ୍ମିତାର ମାଇଲଖୁଣ୍ଟ।
ଓଡ଼ିଶାର ଅନେକ ସମବାୟ ସମିତି ସରକାରୀ ଅର୍ଥରେ ପରିପୁଷ୍ଟ ଓ ନିୟନ୍ତ୍ରିତ ହୋଇ ନିଜର ସ୍ବାତନ୍ତ୍ର୍ୟ ହରାଇଲେଣି। ତନ୍ମଧ୍ୟରୁ କଟକ ଜିଲାର ନିଆଳି ଅଞ୍ଚଳରେ ଅଧିକ ପାନବରଜ ଥିବାରୁ ସେମାନଙ୍କୁ ଋଣ ଯୋଗାଇବା ପାଇଁ ନିଆଳି ପାନ ଉପତ୍ାଦନକାରୀ ସମବାୟ ସମିତି (ଓଡ଼ିଶାରେ ଏକମାତ୍ର ସମବାୟ ସମିତି) ୧୯୮୧ ମସିହାରେ ଗଠିତ ହୋଇଥିବା ବେଳେ ଏହାକୁ କୌଣସି ଆଳ ଦେଖାଇ ଲିକ୍ୟୁଡେଶନ୍ କରିବାକୁ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି। ବାସ୍ତବରେ ସେହି ସମିତିର ପୁନରୁଦ୍ଧାର କରାଗଲେ ପାନବରଜ କରିଥିବା ଚାଷୀଙ୍କୁ ପୁନଃ ଋଣ ଯୋଗାଇ ଦିଆଯାଇପାରିବ।
ସମବାୟକୁ ଜନ ଆନ୍ଦୋଳନରେ ପୁନଃ ସାମିଲ କରାଯିବାର ଆବଶ୍ୟକତା ରହିଛି। କାରଣ ମୂଳସ୍ତରରେ ଥିବା ସମବାୟ ଅଧିକାରୀମାନେ ସମିତି ଓ ସଭ୍ୟମାନଙ୍କ ମଧ୍ୟରେ ସେତୁ ଭାବରେ କାର୍ଯ୍ୟ ନ କରି ଅଫିସରେ ବସି ସମୟ କଟାଉଛନ୍ତି। ପ୍ରତିବର୍ଷ ସରକାରୀ ଅର୍ଥରେ ବିଭିନ୍ନ ବର୍ଗର ଅଧିକାରୀମାନେ ଦକ୍ଷତା ବୃଦ୍ଧି ପରିଦର୍ଶନ ଆଳରେ ବିଭିନ୍ନ ପ୍ରଦେଶ ଗସ୍ତ କରି ସମବାୟ ଅର୍ଥ ହରିଲୁଟ୍ କରିଥିବାବେଳେ କୌଣସି ସମବାୟ ଭିତ୍ତିକ ବିକଶିତ କାର୍ଯ୍ୟକ୍ରମରେ ସାମିଲ ନ ହେବା ଫଳରେ ଅର୍ଥ ପାଣିରେ ପଡ଼ିବା ସାର ହେଉଛିି। ମାତ୍ର କେନ୍ଦ୍ର ସରକାରଙ୍କ ଯୋଜନା ରାଜ୍ୟରେ କାର୍ଯ୍ୟକାରୀ କରିବାକୁ ସମବାୟ ମନ୍ତ୍ରଣାଳୟ କଠିନ ପରିଶ୍ରମ କରୁଥିବାବେଳେ ମୂଳସ୍ତରର ଅଧିକାରୀମାନେ ପ୍ରକୃତ କାର୍ଯ୍ୟରେ ସହଯୋଗ ନ କରି କାଗଜ କଲମରେ ବିକାଶ ଦର୍ଶାଉଛନ୍ତି।
ରାଜ୍ୟରେ ପୂର୍ବରୁ ୨,୭୧୦ ପ୍ରାଥମିକ କୃଷି ସମବାୟ ସମିତି କାର୍ଯ୍ୟ କରୁଥିବାବେଳେ କେନ୍ଦ୍ର ସରକାରଙ୍କର ଗୋଟିଏ ପଞ୍ଚାୟତ ଗୋଟିଏ ସମବାୟ ନୀତିରେ ଆଉ ୧୬୦୦ ନୂତନ ପ୍ରାଥମିକ କୃଷି ସମବାୟ ସମିତି ପଞ୍ଜୀକରଣ ହୋଇଥିଲେ ମଧ୍ୟ ଦୀର୍ଘ ୩ବର୍ଷ ହେଲା ନୂତନ ସମବାୟ ସମିତଗୁଡ଼ିକର ସ୍ଥିତି କେଉଁଠାରେ ଦେଖିବାକୁ ମିଳୁନି। ତ୍ରିସ୍ତରୀୟ ସମବାୟ ସମିତି ଓଡ଼ିଶାରେ କାର୍ଯ୍ୟ କରୁଥିଲା ବେଳେ ପ୍ରାଥମିକ ସମବାୟ ସମିତିଗୁଡ଼ିକରେ ସ୍ବଚ୍ଛତା ଆଣିବାକୁ ହେଲେ ରାଜ୍ୟ ସରକାର କର୍ମଚାରୀମାନଙ୍କୁ କ୍ୟାଡରଭିତ୍ତିିକ କର୍ମଚାରୀ କରିବା ପାଇଁ ଦୀର୍ଘ ୧ବର୍ଷ ହେବ ଘୋଷଣା କରିଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ ଏସ୍.ଓ.ପି.ପ୍ରକାଶ କରାଗଲା ନାହିଁ। ଜିଲାପାଳମାନେ ସମବାୟ ସମିତିଗୁଡ଼ିକୁ ସରକାରୀ ଜମି ଯୋଗାଇବା ପାଇଁ ଅନିଚ୍ଛା ପ୍ରକାଶ କରି ସମୟ ଗଡ଼ାଇ ଚାଲିଥିଲା ବେଳେ କେନ୍ଦ୍ର ସରକାରଙ୍କ ସମବାୟ ଭିତ୍ତିକ ଯୋଜନାର ବିକାଶ କିପରି ହୋଇପାରିବ? ଏହା ଧର୍ମକୁ ଆଖିଠାର ସଦୃଶ କାର୍ଯ୍ୟ। ନୂତନ କରି ଗଠନ କରାଯାଇଥିବା ସମିତିଗୁଡ଼ିକୁ କେତେକ କ୍ଷେତ୍ରରେ କେନ୍ଦ୍ର ସମବାୟ ବ୍ୟାଙ୍କ ଓ ରାଜ୍ୟ ସମବାୟ ବ୍ୟାଙ୍କ ସହିତ ଅନୁବନ୍ଧନର କାର୍ଯ୍ୟ ଶୀତଳ ଭଣ୍ଡାରରେ। କୌଣସି ଅଧିକାରୀ ନିଜକୁ ସରକାରଙ୍କ ନିକଟରେ ନିଜକୁ ଉତ୍ତରଦାୟୀ ବୋଲି ଭାବୁନାହାନ୍ତି।
ନିଷ୍ଠାପର ବ୍ୟକ୍ତିମାନଙ୍କ ଅପସାରଣ ଫଳରେ ଓଡ଼ିଶାର ସମବାୟ ଆନ୍ଦୋଳନର ଚରମ ବିପର୍ଯ୍ୟୟ ଆସିଛି। ଓଡ଼ିଶାର ଏକମାତ୍ର ବ୍ରିଟିଶ୍ ଅମଳର ସମବାୟଭିତ୍ତିକ ଆସିକା ଚିନି କାରଖାନାରୁ ଉପତ୍ାଦିତ ଚିନି ଯେଉଁ ସରକାରୀ ଦରରେ ବିକ୍ରୟ କରାଯାଏ, ସେଥିରେ ବାର୍ଷିକ ପ୍ରାୟ ୧୦ କୋଟି ଟଙ୍କା କ୍ଷତି ହେଉଥିବାବେଳେ ଉପତ୍ାଦିତ ଆସିକା ଫର୍ଟି ବିକ୍ରୟରୁ ଯେଉଁ ଲାଭ ମିଳେ, ତାହା କ୍ଷତିର ଭରଣା କରିଥାଏ। ବର୍ତ୍ତମାନର ରାଜ୍ୟ ସରକାରଙ୍କ ୩ ବର୍ଷିଆ ଅବକାରୀ ନୀତି କାର୍ଯ୍ୟକାରୀ ହେବା ଫଳରେ ଏହି କାରଖାନା ବନ୍ଦ ହେବାରେ ପ୍ରକ୍ରିୟା ଆରମ୍ଭ ହୋଇଛି। ଏହା ଯଦି ହୁଏ, ଓଡ଼ିଶାରେ ସମବାୟଭିତ୍ତିକ ଚିନି ଶିଳ୍ପର ପୁନରୁଦ୍ଧାର ବିଫଳ ବୋଲି ଜନସାଧାରଣ ହୃଦ୍ବୋଧ କରିବେ। ସମବାୟ ବିକାଶ ପାଇଁ କେନ୍ଦ୍ର ସରକାର ଖର୍ଚ୍ଚରୁ ଓଡ଼ିଶାରେ ଗୋଟିଏ ମାତ୍ର ଆସିକା ସମବାୟ ଚିନି କାରଖାନାକୁ ୨୦୦ କୋଟି ଟଙ୍କା ସ୍ବତନ୍ତ୍ର ପ୍ରୋତ୍ସାହନ ରାଶି ରୂପେ ଯୋଗାଇଦେଲେ ଚିନି କାରଖାନା ପୁନରୁଦ୍ଧାର ଓ ନୂତନ ଇଥାନଲ ପ୍ଲାଣ୍ଟର ପ୍ରତିଷ୍ଠା ହୋଇପାରିବା ସଙ୍ଗେ ସଙ୍ଗେ ଓଡ଼ିଶାରେ ଅଧିକରୁ ଅଧିକ ନିଯୁକ୍ତି ସୁଯୋଗ ସୃଷ୍ଟି କରାଯାଇପାରିବ।
ସମବାୟ ସମିତି ପରିଚାଳନା କମିଟି ନିର୍ବାଚନକୁ ନିରପେକ୍ଷ କରିବା ପାଇଁ ସମବାୟ ଆଇନରେ କେତେକ ସଂଶୋଧନ କରି ସମବାୟ ନିବନ୍ଧକ ତଥା ସେମାନଙ୍କ ସହଯୋଗୀମାନଙ୍କୁ ଅଧିକ କ୍ଷମତା ସହିତ ସମବାୟ ନିର୍ବାଚନ କମିଶନରଙ୍କୁ କେତେକ ସ୍ବତନ୍ତ୍ର କ୍ଷମତା ପ୍ରଦାନ କରାଯାଇଅଛି। ନିର୍ବାଚନ ଅଧିକାରୀମାନେ ସରକାରୀ କର୍ମଚାରୀ ହୋଇଥିବାରୁ ସେମାନଙ୍କ ଉପରେ ସରକାର ତଥା କେତେକ ସ୍ବାର୍ଥବାଦୀ ବ୍ୟକ୍ତିଙ୍କ ଚାପ ଯୋଗୁ ପରିଚାଳନା ପରିଷଦରେ କେତେକ ଅନଭିଜ୍ଞ ଓ ସ୍ବଳ୍ପ ଶିକ୍ଷିତ ତଥା ଅସାଧୁ ବ୍ୟକ୍ତି ସ୍ଥାନ ପାଇଛନ୍ତି। ସେଥିପାଇଁ ସମବାୟପ୍ରେମୀଙ୍କ ତରଫରୁ ନିର୍ବାଚନ ସମ୍ପର୍କିତ ବିଭିନ୍ନ ମକଦ୍ଦମା ଓଡ଼ିଶା ହାଇକୋର୍ଟରେ ବିଚାରଯୋଗ୍ୟ ହୋଇଥିବାରୁ ରାଜ୍ୟ ସରକାର ଅତିମାତ୍ରାରେ ଅର୍ଥ ଖର୍ଚ୍ଚ କରିଚାଲିଛନ୍ତି। ଓଡ଼ିଶା ରାଜ୍ୟ ସମବାୟ ବ୍ୟାଙ୍କରେ ଆଜକୁ ପ୍ରାୟ ୩ବର୍ଷ ହେବ ପରିଚାଳନା ନିର୍ଦ୍ଦେଶକ ନିଯୁକ୍ତି ଦିଆନଯାଇ ଓଡ଼ିଶା ହାଇକୋର୍ଟ ନିର୍ଦ୍ଦେଶନାମାରେ ରାଜ୍ୟ ସମବାୟ ନିବନ୍ଧକଙ୍କୁ ଅତିରିକ୍ତ ଦାୟିତ୍ୱ ଦିଆଯାଇଛି। କୌଣସି ଆବଶ୍ୟକତା ନଥାଇ ଓଡ଼ିଶାର ୩୦ ଗୋଟି ଜିଲାରେ ୩୦ ଗୋଟି ଡିଭିଜନ୍ ସୃଷ୍ଟି କରାଯାଇ ବରିଷ୍ଠ ସମବାୟ ଅଧିକାରୀମାନଙ୍କୁ ନିଯୁକ୍ତି ଦିଆଯାଇଥିବାବେଳେ ମୂଳସ୍ତରରେ କାର୍ଯ୍ୟ କରୁଥିବା ସମବାୟ ନିରୀକ୍ଷକଙ୍କ ସଂଖ୍ୟା ନଗଣ୍ୟ ହୋଇଥିବାରୁ ପ୍ରାଥମିକ ସମିତିଗୁଡ଼ିକର ସୁପରିଭିଜନ୍ ହୋଇପାରୁନାହିଁ ା ଫଳରେ ଅଧିକାଂଶ ସମିତିଗୁଡ଼ିକରେ ଅର୍ଥନୈତିକ ଅସମାନତା ବୃଦ୍ଧି ପାଇବା ସଙ୍ଗେ ସଙ୍ଗେ ଦୁର୍ନୀତି ବଢ଼ି ଚାଲିଛି। କେନ୍ଦ୍ର ସମବାୟ ମନ୍ତ୍ରୀ ଏ ସମସ୍ତ ତଥ୍ୟ ହୃଦ୍ବୋଧ କରି ତୁରନ୍ତ କାର୍ଯ୍ୟାନୁଷ୍ଠାନ ପାଇଁ ପଦକ୍ଷେପ ନେଲେ ସ୍ଥିତିରେ କିଛି ପରିବର୍ତ୍ତନ ଆସିପାରନ୍ତା।
ବରିଷ୍ଠ ସମବାୟବିତ୍
ମୋ: ୯୦୯୦୩୨୫୮୦୨