ମନ୍ତ୍ରୀଙ୍କ ଘର ଆଗରେ ବସିଲେ ସମବାୟ ସମିତି କର୍ମଚାରୀ

ଭୁବନେଶ୍ୱର,୪।୧୨ (ବ୍ୟୁରୋ): ସମବାୟ ସମିତିରେ ମୁଖ୍ୟ କାର୍ଯ୍ୟ ନିର୍ବାହୀ ନିଯୁକ୍ତି ପ୍ରସ୍ତାବକୁ ରଦ୍ଦ କରିବା ସହ ଓଡ଼ିଶାର ସମସ୍ତ ୨୭୦୮ ପ୍ରାଥମିକ ସମବାୟ ସମିତି ଓ ଲ୍ୟାମ୍ପସରେ କାର୍ଯ୍ୟରତ କର୍ମଚାରୀଙ୍କୁ ସରକାରୀ ମାନ୍ୟତା ଆଦି ୫ ଦଫା ଦାବି ନେଇ ଆନ୍ଦୋଳନ ଚାଲିଛି। ଓଡ଼ିଶା ସମବାୟ କର୍ମଚାରୀ ମହାସଂଘ ଡାକରାରେ ନିଜ ହକ୍‌ ପାଇଁ ହଜାର ହଜାର କର୍ମଚାରୀ ଗତ ୩୦ ତାରିଖରୁ ବିଧାନସଭା ଆଗରେ ଧାରଣାରେ ବସିଛନ୍ତି। ଏହାସତ୍ତ୍ୱେ ସରକାର କିଛି ପଦକ୍ଷେପ ନ ନେବାରୁ ଶୁକ୍ରବାର ସମବାୟ ମନ୍ତ୍ରୀ ଋଣେନ୍ଦ୍ର ପ୍ରତାପ ସ୍ବାଇଁଙ୍କ ବାସଭବନ ଆଗରେ ସେମାନେ ଧାରଣା ଦେଇଥିଲେ।
ମହାସଂଘ ପକ୍ଷରୁ କୁହାଯାଇଛି, ଗ୍ରାମାଞ୍ଚଳରେ ତୃଣମୂଳ ସ୍ତରରେ ଲୋକଙ୍କ ଆର୍ଥିକ ଓ ସାମାଜିକ ବିକାଶ ପାଇଁ ସମବାୟ ସମିତି ଗଠନ କରାଯାଇଛି। କିନ୍ତୁ ବିଭିନ୍ନ କ୍ଷେତ୍ରରେ କର୍ମଚାରୀମାନେ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ଏହାର ସମାଧାନ ବଦଳରେ ନୂଆ ନିଯୁକ୍ତି କାର୍ଯ୍ୟରତ କର୍ମଚାରୀଙ୍କ ପାଇଁ ଅନ୍ୟାୟ ହୋଇଛି। ଏନେଇ ନଭେମ୍ବର ୨ରେ ମନ୍ତ୍ରୀଙ୍କ ପ୍ରକୋଷ୍ଠରେ ସମବାୟ ସଚିବ ଓ ନିବନ୍ଧକଙ୍କ ଉପସ୍ଥିତିରେ ଏକ ଘଣ୍ଟା ଧରି ଆଲୋଚନା ହୋଇଥିଲା। ଏହାର କୌଣସି ନିର୍ଯାସ ନ ବାହାରିବାରୁ ଶୁକ୍ରବାର ସକାଳ ୯ରୁ ୧୧ ପର୍ଯ୍ୟନ୍ତ ମନ୍ତ୍ରୀଙ୍କ ବାସଭବନ ଆଗରେ କର୍ମଚାରୀମାନେ ଧାରଣା ଦେଇ ନାରାବାଜି କରିଥିଲେ।