ଭିଜିଲାନ୍ସ ଜାଲରେ ସମିତି ସମ୍ପାଦକ

ବଇଣ୍ଡା,୫।୪ (ଡି.ଏନ.ଏ.): ଧାନ ବିକ୍ରୟ ନିମନ୍ତେ ଟୋକନ କରାଇଦେବା ପାଇଁ ଜଣେ ଚାଷୀଙ୍କଠାରୁ ୪୦ ହଜାର ଟଙ୍କା ଲାଞ୍ଚ ନେଉଥିବାବେଳେ ସୋମବାର ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି ଅନୁଗୋଳ ଜିଲା ଆଠମଲ୍ଲିକ ବ୍ଲକ ସନାହୁଲା ସମବାୟ ସମିତି ସମ୍ପାଦକ ପଦ୍ମଲୋଚନ ସାହୁ। ଭିଜିଲାନ୍ସ ଅଧିକାରୀମାନେ ତାଙ୍କଠାରୁ ସମସ୍ତ ଟଙ୍କା ଜବତ କରିଛନ୍ତି। ଏଥିସହିତ ପଦ୍ମଲୋଚନଙ୍କ ନିଜସ୍ବ ଘର ଠାକୁରଗଡ଼ ଥାନା ମହୁଲନାଳୀ ଗ୍ରାମରେ ଚଢାଉ କରାଯାଇଛି। ଏ ନେଇ କଟକ ଭିଜିଲାନ୍ସ ପିଏସ୍‌ ନଂ. ୨୩/୨୦୨୨ରେ ମାମଲା ରୁଜୁ ହୋଇଥିବା ଭିଜିଲାନ୍ସ ପକ୍ଷରୁ ସୂଚନା ଦିଆଯାଇଛି।