ଊନବିଂଶ ଶତାବ୍ଦୀରେ ବ୍ରିଟେନ୍ରେ ଦେଖାଦେଇଥିବା ଉଦ୍ୟୋଗିକ ବିପ୍ଳବର ସମାଲୋଚନା ପ୍ରକାଶ ପାଇଥିଲା ‘ଅନ୍.ଟୁ.ଦି.ଲାଷ୍ଟ’ ପୁସ୍ତକରେ। ଗାନ୍ଧିଜୀ ଏହି ପୁସ୍ତକଟି ପଢ଼ିବାରୁ ତାଙ୍କ ମନରେ ଏହା ଗଭୀରଭାବେ ପ୍ରଭାବ ପକାଇଥିଲା। ଗାନ୍ଧିଜୀ ଉକ୍ତ ପୁସ୍ତକଟି ଅନୁବାଦକରି ନାମ ଦେଇଥିଲେ ‘ସର୍ବୋଦୟ’। ଯାହାର ମୁଖ୍ୟ ସାରାଂଶ ଥିଲା ସମସ୍ତଙ୍କ କଲ୍ୟାଣରେ ହିଁ ବ୍ୟକ୍ତିର ମଙ୍ଗଳ ହୁଏ। ଗାନ୍ଧୀ ଏହି ଅନ୍ତର୍ଭୁକ୍ତିକୁ ଠିକ୍ ଭାବରେ ବୁଝିଥିଲେ ଏବଂ ତାହା ହିଁ ତାଙ୍କର ‘ସ୍ବରାଜ୍ୟ’ର ପରିକଳ୍ପନା ଥିଲା।
ଆମେ ବର୍ତ୍ତମାନ ମିଛ ବାହାନାର ସାହାରା ନେଇ ‘ଅନ୍ତର୍ଭୁକ୍ତି ବିକାଶ’ର କଥା କହୁଛୁ। କିନ୍ତୁ ବହୁ ଲୋକ ଏହି ଅନ୍ତର୍ଭୁକ୍ତି ବିକାଶର ବହୁ ଦୂରରେ। କାରଣ ସମାଜରେ ଦିନକୁ ଦିନ ଅର୍ଥନୈତିକ ଅସମାନତା ବୃଦ୍ଧି ପାଇବାରେ ଲାଗିଛି। ୪୦ କୋଟିରୁ ଅଧିକ ଲୋକ ଦାରିଦ୍ର୍ୟର ସୀମାରେଖା ତଳେ ରହିଛନ୍ତି। ମାନବ ବିକାଶ ମାନଦଣ୍ଡରେ ଭାରତୀୟମାନେ ବହୁ ପଛରେ। ଏହା ଗୋଟିଏ ଦେଶର ଗୁଣାମତ୍କ ମାନକୁ ସୂଚିତ କରୁଛି। ଆର୍ଥିକ ଅନ୍ତର୍ଭୁକ୍ତି ପାଇଁ ଆମକୁ ଆଗକୁ ଯିବାକୁ ହେବ। କାରଣ ଅନ୍ତର୍ଭୁକ୍ତି ହିଁ ଆମର ଭବିଷ୍ୟତ। ଲୋକମାନଙ୍କ ନିକଟକୁ କ୍ଷମତା ଯିବା ଆମର ଭବିଷ୍ୟତ। ଆମେ ପଞ୍ଚାୟତିରାଜ ଶାସନକୁ ଗ୍ରହଣ କରିଛୁ। ଯଦି ସମ୍ବିଧାନ ସଂଶୋଧନକୁ ୭୦ % ଗରିବ ଓ ଚରମ ଅବହେଳାର ଶିକାର ହେଉଥିବା ଲୋକମାନଙ୍କ ସହ ସମପରିମାଣରେ ଭାଗ କରିପାରିବା, ତେବେ ବିକାଶ ଓ ନ୍ୟାୟ ସେମାନଙ୍କୁ ମିଳିପାରିବ ଏବଂ ସେମାନେ ଅନ୍ତର୍ଭୁକ୍ତି ବିକାଶର ଅଂଶ ହୋଇପାରିବେ। ଅନ୍ତର୍ଭୁକ୍ତି ବିକାଶ କେବଳ ସମ୍ଭବ ସମବାୟ ଆନ୍ଦୋଳନ ମାଧ୍ୟମରେ। ସମବାୟକୁ ଶକ୍ତିଶାଳୀ କରିପାରିଲେ ଏହା ଅର୍ଥନୈତିକ ଅନ୍ତର୍ଭୁକ୍ତି ମାର୍ଗକୁ ଉନ୍ମୋଚିତ ଓ ପ୍ରଶସ୍ତ କରିବ।
ସମବାୟ ଆନ୍ଦୋଳନକୁ ଅର୍ଥନୈତିକ ଜଗତୀକରଣ ସମୟରେ କିପରି ଶକ୍ତିଶାଳୀ କରିପାରିବା ଏହା ଆମ ପାଇଁ ଏକ ଆହ୍ବାନ। ଏ ଆହ୍ବାନକୁ ମୁକାବିଲା କରିବା ପାଇଁ ଯେଉଁ ପ୍ରତିଯୋଗିତା ଲୋଡ଼ା ତାହା ସମବାୟ ଦ୍ୱାରା ସମ୍ଭବ କି? ଯଦି ସମ୍ଭବ ତେବେ ତାହା କିପରି କରାଯାଇପାରିବ? କେବଳ ସମ୍ବିଧାନ ସଂଶୋଧନ କରିଦେଲେ କିମ୍ବା ସମ୍ବିଧାନରେ ନୂତନ ବ୍ୟବସ୍ଥା ଯୋଡ଼ିଦେଲେ ଏହା ସଫଳ ହେବନାହିଁ। ତାହା ଯଦି ହୋଇପାରୁଥାନ୍ତା ତେବେ ବାରମ୍ବାର ସମ୍ବିଧାନ ସଂଶୋଧନ ହେଉ ନ ଥାନ୍ତା।
୨୦୧୨ ମସିହାକୁ ମିଳିତ ଜାତିସଂଘ ତରଫରୁ ଭାରତରେ ଅନ୍ତର୍ଜାତୀୟ ସମବାୟ ବର୍ଷ ଭାବେ ପାଳନ କରାଯାଇଥିଲା। ପୁଣି ଚଳିତ ୨୦୨୫କୁ ଅନ୍ତର୍ଜାତୀୟ ସମବାୟ ବର୍ଷ ଭାବେ ଭାରତରେ ପାଳନ କରାଯାଉଛି। ମାତ୍ର ୧୩ ବର୍ଷ ମଧ୍ୟରେ ସମବାୟରେ ବିକାଶ ପରିବର୍ତ୍ତେ ବିନାଶ ହୋଇଛି। ୨୦୧୨ ବର୍ଷକୁ ସଫଳ କରିବା ପାଇଁ ଅନେକ କାଗଜପତ୍ର ପ୍ରସ୍ତୁତ ହେଲା, ସେମିନାର ହେଲା, ପ୍ରଚାର ଓ ପ୍ରସାର ହୋଇ ବହୁ କୋଟି ଟଙ୍କା ଖର୍ଚ୍ଚ ହେଲା, କିନ୍ତୁ ବାସ୍ତବତା କ’ଣ ତାହା ପ୍ରକାଶ ପାଇଲା ନାହିଁ। ପ୍ରଥମ ପ୍ରଶ୍ନ ହେଉଛି ମାନସିକ ସ୍ତରରେ ଏହା ପ୍ରବେଶକଲା କି? ଯଦି ପ୍ରବେଶ କଲାନାହିଁ, ତେବେ କାହିଁକି ପ୍ରବେଶ କଲାନାହିଁ ? ଯଦି ପ୍ରବେଶ କଲା ତେବେ ସମବାୟ ଆନ୍ଦୋଳନରେ ତାହା କିପରି ପରିବର୍ତ୍ତନ ଆଣିଲା ? ଗତ ୧୩ ବର୍ଷ ମଧ୍ୟରେ ଏହାର ତର୍ଜମା ସହ ପ୍ରତିକାର କରିବାର ଥିଲା, କିନ୍ତୁ ତାହା ହେଲା ନାହିଁ। ଆର୍ଥିକ ଅନ୍ତର୍ଭୁକ୍ତି କ୍ଷେତ୍ରରେ ସମବାୟର ଯଥେଷ୍ଟ ଭୂମିକା ରହିଥିଲେ ତାହା ଫଳପ୍ରଦ ହୋଇପାରିଲା ନାହିଁ। କାରଣ କେତେଜଣ ଦୁର୍ନୀତଗ୍ରସ୍ତ ପେସାଦାରମାନଙ୍କ ଦ୍ୱାରା ଯେଉଁ ହାରରେ ସ୍ବୟଂ ସହାୟକ ସମବାୟ ସଂସ୍ଥାଗୁଡ଼ିକ ଲୋକମାନଙ୍କୁ ଠକି ଅମାପ ଅର୍ଥର ଅଧିକାରୀ ହେଲେ, ତାହା ସମବାୟ ଆନ୍ଦୋଳନ ପ୍ରତି ଏକ ଶକ୍ତ ଧକ୍କା କହିଲେ ଅତ୍ୟୁକ୍ତି ହେବ ନାହିଁ। ଆନ୍ତର୍ଜାତିକ ସମବାୟ ବର୍ଷରେ ଓଡ଼ିଶାରେ ଏହି ଘଟଣା ଘଟିଲା, ଗରବି ଲୋକମାନେ ଲୋଭର ବଶବର୍ତ୍ତୀ ହୋଇ ଜମା କରିଥିବା ଅର୍ଥ ହରାଇଲେ। ଫଳରେ ସରକାର ସମବାୟ ଆଇନରେ ପୁନଶ୍ଚ ସଂଶୋଧନ ଆଣିବା ପାଇଁ ବାଧ୍ୟ ହେଲେ।
ଏ ସମ୍ପର୍କରେ କେନ୍ଦ୍ର ସରକାରଙ୍କ ଯୋଜନା କମିଶନ (କୃଷି ଡିଭିଜନ) ଗଠନ କରାଯାଇ ଦ୍ୱାଦଶ ପଞ୍ଚବାର୍ଷିକ ଯୋଜନାରେ ସମବାୟ ଋଣ ଓ ପରିଚାଳନା ସମ୍ପର୍କରେ ସେମାନଙ୍କ ସୁପାରିସ ପ୍ରଦାନ କରିଥିଲେ। ଏହାର ସାରମର୍ମ ଥିଲା ସମବାୟ ସମ୍ପର୍କିତ ଋଣ ଦେବାର କୌଶଳ କୃଷିର ବିକାଶ କୌଶଳକୁ ଦୃଷ୍ଟିରେ ରଖି ସଂଖ୍ୟାମତ୍କ ଋଣ ପ୍ରବାହର ଲକ୍ଷ୍ୟ ପୂରଣ ହେବା ଦରକାର। ଯଦିଓ ଏହା ଅନ୍ତର୍ଭୁକ୍ତି ବିକାଶ ପାଇଁ ପର୍ଯ୍ୟାପ୍ତ ନ ଥିଲା। ଏଥିପାଇଁ ଏଥିରେ ପ୍ରାଥମିକ କୃଷିଋଣ ସମବାୟ ସମିତିଠାରୁ ରାଜ୍ୟ ସମବାୟ ବ୍ୟାଙ୍କ ପର୍ଯ୍ୟନ୍ତ କେବଳ କୃଷିକ୍ଷେତ୍ରକୁ ଋଣ ନ ଦେଇ ଗ୍ରାମୀଣ ଜୀବନ ଜୀବିକା ପାଇଁ ଋଣଦେବା ଉପରେ ଗୁରୁତ୍ୱାରୋପ କରାଯିବାର ଥିଲା, ତାହା ମଧ୍ୟ ହୋଇପାରିଲା ନାହିଁ।
ପ୍ରାଥମିକ ସମବାୟ ସଂସ୍ଥାଗୁଡ଼ିକରେ ସଭ୍ୟ ସଂଖ୍ୟା ତୁଳନାରେ ଋଣ ଅତ୍ୟନ୍ତ ନୂ୍ୟନ, ଯଦିଓ ଏ ଦିଗରେ ବୈଦ୍ୟନାଥନ୍ କମିଟି ବହୁ ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନ ଆଣିଥିଲେ। ଏହାର ଅର୍ଥ ଥିଲା ସବା ତଳସ୍ତରରେ ଥିବା ପ୍ରାଥମିକ ସମବାୟ ସଂସ୍ଥାଗୁଡ଼ିକ ପ୍ରତି ଗ୍ରାମାଞ୍ଚଳର ଗରିବ ଓ କୋଣଠେସା ହେଉଥିବା ଲୋକଙ୍କୁ ଆକୃଷ୍ଟକରି ସଭ୍ୟ ସଂଖ୍ୟା ବୃଦ୍ଧି ସହ ସେମାନଙ୍କର ଅର୍ଥନୈତିକ ଅଭିବୃଦ୍ଧି କରିବା। ଏଥିରୁ ସ୍ପଷ୍ଟ ଅନୁମେୟ ହୁଏ, ସମବାୟ ଏକ ସଶକ୍ତ ଆନ୍ଦୋଳନ ଭାବେ ନିଜର ପରିଚୟ ସୃଷ୍ଟି କରିପାରିନାହିଁ। ବର୍ତ୍ତମାନ ଏହା ସରକାରଙ୍କ ଏକ ବିଭାଗରେ ପରିଣତ ହୋଇଯାଇଛି ଯେଉଁଠି ଫାଇଲ୍ କଥା କହୁଛି, ମଣିଷ କଥା କହୁନାହିଁ। ‘ଅନ୍ତର୍ଭୁକ୍ତି ବିକାଶ’ ପାଇଁ ସମବାୟ ଏକ ଆନ୍ଦୋଳନ ହେବା ଅପରିହାର୍ଯ୍ୟ। ଆନ୍ଦୋଳନ ମଧ୍ୟକୁ ସବୁ ଶ୍ରେଣୀ ଓ ସବୁ ବର୍ଗର ଲୋକମାନେ ପ୍ରବେଶ କରିବାର ଆବଶ୍ୟକତା ଅଛି। ସେମାନେ ସେମାନଙ୍କ ଶକ୍ତିମତେ ଶାରୀରିକ, ମାନସିକ ଓ ଆର୍ଥିକ ସହଯୋଗ ଯୋଗାଇଦେଲେ ଆନ୍ଦୋଳନ ଶକ୍ତିଶାଳୀ ହେବ।
ବର୍ତ୍ତମାନ ଦେଶର ରାଜନୈତିକ, ସାମାଜିକ, ସାଂସ୍କୃତିକ ଓ ଅର୍ଥନୈତିକ ଅବସ୍ଥାକୁ ଦୃଷ୍ଟିରେ ରଖି ସମବାୟ ଆନ୍ଦୋଳନକୁ ପରିଚାଳନା କରିବା ଦରକାର। ଜଗତୀକରଣର ବଜାରୀକରଣରୁ ମୁକ୍ତି ପାଇବାର ବାଟ ହେଉଛି ସମବାୟ। କିନ୍ତୁ ସମବାୟ ତା’ ବାଟରେ ଠିକ୍ ରୂପେ ନ ଯାଇପାରି ମଝିରେ ମଝିରେ ଝୁଣ୍ଟୁଛି। ଫଳରେ ସମ୍ବିଧାନ ସଂଶୋଧନ, ବିଭିନ୍ନ କମିଟି ଗଠନ ଓ ରିପୋର୍ଟ ପ୍ରଦାନ, କମିଟିଗୁଡ଼ିକର ସୁପାରିସ ଇତ୍ୟାଦିରେ ସମୟ ଓ ଶ୍ରମଶକ୍ତି ଅପଚୟ ହେଉଛି। ଆମେ ଯେତେ ଜୋର୍ରେ ରଡ଼ି ଛାଡୁଥିଲେ ମଧ୍ୟ ମିଳିତଭାବେ ସଂଘବଦ୍ଧ ପ୍ରଚେଷ୍ଟାର ଅଭାବ ଦେଖାଦେଇଛି। ବହୁକ୍ଷେତ୍ରରେ କେତେଜଣ ନ୍ୟସ୍ତସ୍ବାର୍ଥ ରାଜନୈତିକ ବ୍ୟକ୍ତି ସମବାୟର ଅର୍ଥ ନ ବୁଝି ବହୁ କ୍ଷେତ୍ରରେ ଆଡ୍ଡାସ୍ଥଳୀ ଜମାଇ ଏହାକୁ କରାୟତ୍ତ କରିପାରିଛନ୍ତି। ସ୍ବାର୍ଥକୁ ଆଖି ଆଗରେ ରଖି ଖଣ୍ଡ ବିଖଣ୍ଡିତ ନିୟମକାନୁନ ପ୍ରଣୟନକରି ସମବାୟକୁ ପରିଚାଳନା କରାଯାଇପାରେନା।
ଅନ୍ତର୍ଭୁକ୍ତି ବିକାଶ ପାଇଁ ଲୋଡ଼ା ଅନ୍ତର୍ଭୁକ୍ତି ଚିନ୍ତନ ଓ କାର୍ଯ୍ୟ ପ୍ରଣାଳୀ। ଏ ଦିଗରେ ସବା ତଳସ୍ତରର ଲୋକମାନଙ୍କ ସହ ଅଧିକ ଆଲୋଚନା, ପର୍ଯ୍ୟାଲୋଚନା, ଗ୍ରାମ୍ୟ ସ୍ତରରେ ସେମାନଙ୍କଠାରୁ ତଥ୍ୟ ସଂଗ୍ରହକରି ଠିକ୍ ସିଦ୍ଧାନ୍ତ ଗ୍ରହଣ କରିପାରିଲେ ସମବାୟ ସଫଳ ହେବ ଏବଂ ଅନ୍ତର୍ଭୁକ୍ତି ବିକାଶର ମାର୍ଗ ସୁଗମ ହେବ। କେବଳ ବ୍ୟାଙ୍କଗୁଡ଼ିକରେ ଜମାଖାତା ବା ଋଣ ଖାତା ଖୋଲିବାରେ ସୀମିତ ନ ରହି ଦେଶ ତଥା ରାଜ୍ୟର ପ୍ରତ୍ୟେକ ପରିବାର ଆର୍ଥିକ ଉନ୍ନତିରେ ଅନ୍ତର୍ଭୁକ୍ତି ମିଶନ ମାଧ୍ୟମରେ ଦେଶର ସମସ୍ତ ଲୋକ ଯେପରି ବ୍ୟାଙ୍କ ସେବା ସୁରୁଖୁରୁରେ ପାଇପାରିବେ ସେ ବ୍ୟବସ୍ଥା ଠିକ୍ ରୂପେ କଲେ ଏହାର ସୁଫଳ ଉପଲବ୍ଧି ହୋଇପାରିବ।
ଦୁର୍ନୀତିଖୋର କର୍ମଚାରୀମାନଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ସହ ଦୀର୍ଘଦିନ ଧରି ବିଭିନ୍ନ ସମବାୟ ସମିତିର ପରିଚାଳନା ପରିଷଦରେ ସାମିଲ ଥିବା ସଚ୍ଚୋଟ ବ୍ୟକ୍ତିବିଶେଷଙ୍କୁ ବିଶ୍ୱାସକୁ ନେଇ ବିଭିନ୍ନ ସମବାୟ ଅନୁଷ୍ଠାନର ପରିଚାଳନାରେ ସାମିଲ କରିପାରିଲେ ସମବାୟର ବିକାଶ ଧାରା ଆପେ ଆପେ ଆଗେଇପାରିବ।
ପ୍ରତାପ ଚନ୍ଦ୍ର ସାମଲ
ବରିଷ୍ଠ ସମବାୟବିତ୍
ମୋ: ୯୦୯୦୩୨୫୮୦୨

