‘ବିକାଶ ପାଇଁ ଅଞ୍ଚଳବାସୀଙ୍କ ସହଯୋଗ ଆବଶ୍ୟକ’

ଦାରିଙ୍ଗବାଡି,୧୫।୮(ଅରୁଣ ସାହୁ ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ଅଞ୍ଚଳରେ ୭୭ତମ ସ୍ବାଧୀନତା ଦିବସ ଧୂମ୍‌ଧାମରେ ପାଳନ କରାଯାଇଛି। ଏହି ଅବସରରେ ପଲ୍ଲିଠାରୁ ସହର ପର୍ଯ୍ୟନ୍ତ ସବୁଠି ଉତ୍ସବ ମୁଖର ହୋଇଥିଲା। ଦାରିଙ୍ଗବାଡି ହେଲିପ୍ୟାଡ଼ରେ ବ୍ଲକସ୍ତରୀୟ ସ୍ବାଧୀନତା ଦିବସ ପାଳନ କରାଯାଇଥିଲା। ଏଥିରେ ମୁଖ୍ୟ ଅତିଥି ଭାବେ ପଞ୍ଚାୟତ ସମିତି ଅଧ୍ୟକ୍ଷ ସୁଶାନ୍ତ କୁମାର ପ୍ରଧାନ ଯୋଗଦେଇ ପତାକା ଉତ୍ତୋଳନ କରିବା ସହ ସାମୁହିକ ପରେଡ୍‌ରେ ଅଭିବାଦନ ଗ୍ରହଣ କରିଥିଲେ।

ପରେଡ୍‌ରେ ବ୍ଲକର ୨୫ ପଞ୍ଚାୟତର ୩୨ଟି ବିଦ୍ୟାଳୟର ଛାତ୍ରୀଛାତ୍ର ଯୋଗ ଦେଇଥିଲେ। ସେହିପରି ବିଭିନ୍ନ ପ୍ରତିଯୋଗିତାରେ କୃତିତ୍ୱ ଅର୍ଜନ କରିଥିବା ଛାତ୍ରୀଛାତ୍ରଙ୍କୁ ପୁରସ୍କୃତ କରାଯାଇଥିଲା। ମୁଖ୍ୟ ଅତିଥି ବକ୍ତବ୍ୟରେ ଦାରିଙ୍ଗବାଡିରେ ଅନେକ ସମସ୍ୟା ରହିଛି, ଅନେକ ସମସ୍ୟାର ସମାଧାନ ମଧ୍ୟ କରାଯାଇଛି। ଏପରିକି ରାଜ୍ୟ ସରକାର ସ୍କୁଲଗୁଡିକୁ ସ୍ମାର୍ଟ ସ୍କୁଲରେ ରୂପାନ୍ତର କରିଥିବାରୁ ସହର ଢାଞ୍ଚାରେ ବିଦ୍ୟାଳୟଗୁଡିକ ସଜେଇ ହୋଇଥିବା କହିଥିଲେ। ଏପରିକି ଅଞ୍ଚଳର ବିକାଶ ପାଇଁ ଜନସାଧାରଣଙ୍କ ସହଯୋଗ ନିତ୍ୟାନ୍ତ ଆବଶ୍ୟକ ବୋଲି ବ୍ଲକ ଅଧ୍ୟକ୍ଷ ପ୍ରଧାନ କହିଥିଲେ।

ବିଡ଼ିଓ ଗଦାଧର ପାତ୍ର ଉଦ୍‌ବୋଧନ ଦେଇ ଉପସ୍ଥିତ ଛାତ୍ରୀଛାତ୍ରଙ୍କୁ ଉତ୍ସାହିତ କରିଥିଲେ। ଶିକ୍ଷା, ସ୍ବାସ୍ଥ୍ୟ, ଗମନାଗମନ ଆଦିର ଆହୁରି ବିକାଶ କରିବା ଆବଶ୍ୟକ ରହିଛି ବୋଲି କହିଥିଲେ। ଅତିଥି ଭାବେ ତହସିଲଦାର ଶରତ ଶବର, ଆଇଆଇସି କୌଶିକ ମାଝୀ, ବିଇଓ ରସାନନ୍ଦ କର ପ୍ରମୁଖ ଯୋଗଦେଇଥିଲେ। ଏହି ଅବସରରେ ବିଭିନ୍ନ ବିଦ୍ୟାଳୟର ଛାତ୍ରୀଛାତ୍ରଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ସେହିପରି ଦାରିଙ୍ଗବାଡି ଥାନା ସମେତ ବ୍ରାହ୍ମଣୀଗାଁ ଥାନା, ବ୍ଲକ, ତହସିଲ କାର୍ଯ୍ୟାଳୟ ସମେତ ବିଭିନ୍ନ ସରକାରୀ ଓ ବେସରକାରୀ ଅନୁଷ୍ଠାନରେ ସ୍ବାଧୀନତା ଦିବସ ପାଳନ ହୋଇଯାଇଛି।