ବାଘ, ଭାଲୁଙ୍କ ପାଇଁ କୁଲର

ସମ୍ବଲପୁର,୩ା୫(ପ୍ରମୋଦ ବହିଦାର):ବନ୍ୟପ୍ରାଣୀଙ୍କୁ ପ୍ରବଳ ଗ୍ରୀଷ୍ମ ପ୍ରବାହରୁ ରକ୍ଷା କରିବା ପାଇଁ ସମ୍ବଲପୁର ପ୍ରାଣୀ ଉଦ୍ୟାନରେ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଛି। ଗତ ଏକ ସପ୍ତାହ ଧରି ସମ୍ବଲପୁରରେ ତାପମାତ୍ରା ୪୦ ଡିଗ୍ରୀ ଉପରେ ରହୁଛି। ଏହାକୁ ଦୃଷ୍ଟିରେ ରଖି ଏଠାରେ ରହୁଥିବା ଜୀବମାନଙ୍କୁ ଅଂଶୁଘାତ ଓ ନିର୍ଜଳୀୟନ(ଡିହାଇଡ୍ରେସନ)ରୁ ରକ୍ଷା କରିବା ପାଇଁ ସମ୍ବଲପୁର ପ୍ରାଣୀ ଉଦ୍ୟାନ କର୍ତ୍ତୃପକ୍ଷ ଏଭଳି ପଦକ୍ଷେପ ଗ୍ରହଣ କରିଛନ୍ତି। ତେବେ ଚଳିତବର୍ଷଠାରୁ ଭାଲୁ ଏବଂ ଚିତାବାଘ ରହିଥିବା ଯନ୍ତା ବା କୋଠରିକୁ ଉତ୍ତାପମୁକ୍ତ କରିବା ପାଇଁ ଏଠାରେ ବଡ଼ ବରଫ ଶିଳାଖଣ୍ଡ ଯୋଗାଇ ଦିଆଯାଇ କୁଲରର ବ୍ୟବସ୍ଥା କରାଯାଇଛି। ସେହିପରି ଏଠାରେ ରହୁଥିବା ସମସ୍ତ ୨୮ଟି ବନ୍ୟଜୀବଙ୍କ କୋଠରିକୁ ବାଉଁଶ ଓ ଛପର ଛାଉଣିରେ ଆଚ୍ଛାଦିତ କରାଯାଇଛି। କୋଠରି ମଧ୍ୟକୁ ପବନ ଯାତାୟତ ପାଇଁ ଏହାର ପାଚେରିଗୁଡ଼ିକରେ ଏକାଧିକ ଛିଦ୍ର କରାଯାଇ ଜଳ ସିଞ୍ଚନର ବ୍ୟବସ୍ଥା କରାଯାଇଛି। ବନ୍ୟଜନ୍ତୁଙ୍କୁ ସର୍ବଦା ହାଇଡ୍ରେଟ୍‌ ରଖିବା ପାଇଁ ପାନୀୟ ଜଳ ସହିତ ଗ୍ଲୁକୋଜ୍‌, ଓଆରଏସ୍‌, ମହୁ ଓ ଇଲେକ୍ଟ୍ରୋଲାଇଟ୍‌ ଭଳି ଗ୍ରୀଷ୍ମକାଳୀନ ଖାଦ୍ୟ ଓ ପାନୀୟ ପ୍ରଦାନ କରାଯାଉଛି। ସାଲାଡ ଆକାରରେ ତରଭୁଜ, ଆଖୁ, କାକୁଡି, ଅମୃତଭଣ୍ଡା, ଅଙ୍ଗୁର, ବିଲାତି ଭଳି ଜଳୀୟ ପରିମାଣ ଅଧିକ ଥିବା ଖାଦ୍ୟ ଦିଆଯାଉଛି। ମୟୂର ଆଦି ବିଭିନ୍ନ ପକ୍ଷୀ ରହୁଥିବା ସ୍ଥାନକୁ ସବୁଜ ଜାଲ ଓ ବାଉଁଶରେ ଆଚ୍ଛାଦିତ କରାଯାଇ ନିୟମିତ ଜଳ ସିଞ୍ଚନ କରାଯାଉଛି।
ସୂଚନାଯୋଗ୍ୟ ଯେ, ଚଳିତ ଗ୍ରୀଷ୍ମରେ ଚୌଶିଙ୍ଗା, କୃଷ୍ଣାଞ୍ଜନ, ହରିଣ, ସମ୍ବର ଆଦି ବନ୍ୟଜନ୍ତୁ ୪ଟି ଶାବକ ଜନ୍ମ ଦେଇଛନ୍ତି। ସେହିପରି ଦୀର୍ଘଦିନ ପରେ ଏଠାରେ ଥିବା ଏକ ଅଜଗର ମଧ୍ୟ ୧୫ଟି ଅଣ୍ଡା ଦେଇଛି। ସେଗୁଡ଼ିକର ସୁରକ୍ଷା ପାଇଁ ମଧ୍ୟ ବନ୍ୟପ୍ରାଣୀ ବିଭାଗ କର୍ତ୍ତୃପକ୍ଷ ସ୍ବତନ୍ତ୍ର ପଦକ୍ଷେପ ଗ୍ରହଣ କରିଛନ୍ତି। ଅପରପକ୍ଷରେ ଛୁଟିଦିନମାନଙ୍କରେ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବା ପାଇଁ ଅନ୍ୟାନ୍ୟ ବ୍ୟବସ୍ଥା ସହିତ ପ୍ରାଣୀ ଉଦ୍ୟାନରେ ପାନୀୟ ଜଳ ଓ ଶୌଚାଳୟର ବ୍ୟବସ୍ଥା ସହିତ ପ୍ରତି ରବିବାର ଏଠାରେ ଛୋଟ ପିଲାଙ୍କ ମଧ୍ୟରେ ଗପ କହିବା କାର୍ଯ୍ୟକ୍ରମ ଆୟୋଜିତ ହେଉଛି ବୋଲି ହୀରାକୁଦ ବନ୍ୟପ୍ରାଣୀ ବନଖଣ୍ଡ ଅଧିକାରୀ ଅଂଶୁପ୍ରଜ୍ଞା ଦାସ ସୂଚନା ଦେଇଛନ୍ତି।