ଖୋଲା ବଜାରରେ ଖୁଚୁରାରେ ବିକ୍ରି ହେଉଥିବା ରନ୍ଧନ ଗ୍ୟାସ୍ ଆଉ ମିଳିବ ନାହିଁ। ହିତାଧିକାରୀ ଠିକ୍ ସମୟରେ ଗ୍ୟାସ୍ ପାଉ ନ ଥିବାବେଳେ ବେଆଇନ କାରବାର ବୃଦ୍ଧି ପାଉଥିବା ନେଇ ଅଭିଯୋଗ ଆସିବାରୁ ରାଜ୍ୟ ସରକାର କଡା କଟକଣା ଲଗାଇଛନ୍ତି। ଖୋଲା ବଜାରରେ ରନ୍ଧନ ଗ୍ୟାସ୍ ବିକ୍ରିକୁ ସମ୍ପୂର୍ଣ୍ଣ ବନ୍ଦ କରାଯାଇଥିବା ଯୋଗାଣମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ରବିବାର କହିବା ପରେ ଏହା ଉପରେ ନିର୍ଭର କରୁଥିବା ମେସ୍ କରି ବା ଏକୁଟିଆ ରହୁଥିବା ଛାତ୍ରୀଛାତ୍ର, କର୍ମଜୀବୀ ଓ ଶ୍ରମିକମାନେ ଚିନ୍ତାରେ ପଡିଛନ୍ତି। ଯୁଦ୍ଧ ପାଇଁ ଗ୍ୟାସ୍ ସଙ୍କଟ ଜାରି ରହିଛି। ଖୋଲା ବଜାରରେ ପୂର୍ବାପେକ୍ଷା ୩ଗୁଣା ଦର ଦେଇ ବହୁ କଷ୍ଟରେ ଏମାନେ ଗ୍ୟାସ୍ କିଣି ରାନ୍ଧି ଖାଉଛନ୍ତି। କିଏ ୫ ଲିଟିରିଆରେ ଗ୍ୟାସ୍ ରିଫିଲ୍ ତ ଆଉ କିଏ ସିଲିଣ୍ଡର କିଣି ନେଉଛନ୍ତି। କମ୍ ଗ୍ୟାସ୍ ଖର୍ଚ୍ଚ ପାଇଁ ଛ’ ତିଅଣ ବଦଳରେ ଭାତ ଡାଲ୍ମା, ଆଳୁ ଚକଟା, ବାଇଗଣ ପୋଡ଼ା ଖାଇ ଚଳିଯାଉଛନ୍ତି। ହେଲେ ଏବେ ଗ୍ୟାସ୍ ନ ମିଳିଲେ କିପରି ବଞ୍ଚତ୍ବେ, ସହରରେ କେମିତି ରହିବେ, ସେହି ଚିନ୍ତାରେ ଏବେ ଘାରି ହେଉଛନ୍ତି। ମନ୍ତ୍ରୀଙ୍କ ଘୋଷଣା ପରେ ଧରିତ୍ରୀ ପକ୍ଷରୁ ଏହି ବର୍ଗର ଲୋକଙ୍କ ପ୍ରତିକ୍ରିୟା ନିଆଯାଇଥିଲା। ସମସ୍ତେ ଦୁଃଖ ବଖାଣିବା ସହ ସରକାର ଆମ କଥା ଚିନ୍ତା କରନ୍ତୁ, କିଛି ବ୍ୟବସ୍ଥା କରନ୍ତୁ ବୋଲି ସେମାନେ ନିବେଦନ କରିଛନ୍ତି।
– ରିପୋର୍ଟ: ବନ୍ଦନା ସେଠୀ
ହଠାତ୍ କେମିତି ବେଆଇନ ହୋଇଗଲା
ବର୍ଷ ବର୍ଷ ଧରି ୫ କେ.ଜି. ଗ୍ୟାସ୍ ଖୋଲାରେ ବିକ୍ରି ହେଉଥିଲା, ହେଲେ ହଠାତ୍ କେମିତି ଏହା ବେଆଇନ ହୋଇଗଲା। ଯଦି ଏହା ବେଆଇନ ଭାବେ ବିକ୍ରି ହେଉଥିଲା, ତେବେ ସରକାର ଏତେବର୍ଷ ଧରି ଚୁପ୍ ବସିଥିଲେ କେମିତି। ରାଜ୍ୟରେ ଗ୍ୟାସ୍ ସଙ୍କଟ ଦେଖାଦେଇଥିବା ବେଳେ ତାହାର ସମାଧାନ ନ କରିପାରି ଭାଜପା ସରକାର ସାଧାରଣ ଲୋକଙ୍କୁ ହଇରାଣ କରୁଛନ୍ତି। ଏବେ ଆମେ ବଞ୍ଚତ୍ବୁ କେମିତି?
– ଶିବ ପ୍ରଧାନ, ଛାତ୍ର
୫ କେ.ଜି. ଗ୍ୟାସ୍ରେ ୪ ସାଙ୍ଗ ମାସେ ଚଳୁଥିଲୁ
୪ବର୍ଷ ହେବ ୩ଜଣ ସାଙ୍ଗ ଭୁବନେଶ୍ୱରରେ ମେସ୍ କରି ରହୁଛୁ। ଭଡ଼ାଘରେ ରହୁଥିବାରୁ ସବୁ ପ୍ରକାର ଡକ୍ୟୁମେଣ୍ଟ ଦେଇ ଏଜେନ୍ସିରୁ କଓ୍ବୋଇସି କରି ଗ୍ୟାସ୍ ସିଲିଣ୍ଡର ବୁକ୍ କରିବା ଆମ ପକ୍ଷରେ ସମ୍ଭବପର ନୁହେଁ। ତେଣୁ ୫ କେ.ଜି. ଗ୍ୟାସ୍ ସିଲିଣ୍ଡର କିଣି ସେଥିରେ ରୋଷେଇ କରୁଥିଲୁ। ଏଥିରେ ପ୍ରାୟ ମାସେ ଚଳି ଯାଉଥିଲା। ହେଲେ ଏବେ ଗ୍ୟାସ୍ ମିଳିବନି ଜାଣିବା ପରେ କ’ଣ କରିବୁ ଜାଣି ପାରୁନୁ। ସରକାର ଲୋକଙ୍କ ସୁବିଧାକୁ ନ ଦେଖି ମନଇଚ୍ଛା ନିୟମ କରୁଛନ୍ତି। ଫଳରେ ଆମେମାନେ ସମସ୍ୟାରେ ପଡୁଛୁ।
– ଆକୁଳ ସାମନ୍ତରା, କର୍ମଜୀବୀ
ତିନିଗୁଣା ଦରରେ ରୋକ୍ ଲଗାନ୍ତୁ
ସରକାର ଲୋକଙ୍କ ସୁବିଧା କରିବା ପରିବର୍ତ୍ତେ ସେମାନଙ୍କୁ ସଙ୍କଟ ଭିତରକୁ ଠେଲି ଦେଉଛନ୍ତି। ଉଚ୍ଚଶିକ୍ଷା ପାଇଁ ମୁଁ ଗଁା ଛାଡି ଭୁବନେଶ୍ୱରରେ ଏକାକୀ ରୁମ୍ ନେଇ ପଢୁଛି। ତେଣୁ ରୋଷେଇ କରିବା ପାଇଁ ୫କେ.ଜି. ସିଲିଣ୍ଡର ଉପରେ ନିର୍ଭର କରୁଛି। ଗତ କିଛିଦିନ ହେବ ଗ୍ୟାସ୍ର ଦର ଖୋଲା ବଜାରରେ ହଠାତ୍ ବଢିଯାଇ କିଲୋ ପିଛା ୩୦୦ ଟଙ୍କାକୁ ବୃଦ୍ଧି ପାଇଛି। ସରକାର ଏହାକୁ ରୋକିବା ବଦଳରେ ସିଲିଣ୍ଡର ବିକ୍ରି ଉପରେ ରୋକ୍ ଲଗାଇଦେଲେ। ଏହା ଠିକ୍ ନୁହେଁ। ଯଦି ଖୋଲା ବଜାରରେ ସିଲିଣ୍ଡର ନ ମିଳିବ, ତେବେ ବାଧ୍ୟ ହୋଇ ଗଁାକୁ ଫେରିବାକୁ ପଡିବ।
– ଶ୍ରୁତିରେଖା ପ୍ରିୟଦର୍ଶିନୀ, ଛାତ୍ରୀ
ଚାକିରି ଛାଡ଼ିବାକୁ ବାଧ୍ୟ ହେବୁ
ସରକାରଙ୍କ ଏହି ନିଷ୍ପତ୍ତି ଆମ ଭଳି ଗରିବ ଶ୍ରେଣୀର ଲୋକଙ୍କ ପାଇଁ କାଳ ସାଜିବ। ମୁଁ ଏବଂ ମୋ ସ୍ତ୍ରୀ ଶ୍ରମିକ ଭାବେ ଗୋଟେ ହୋଟେଲରେ କାମ କରୁଛୁ। ସ୍ବଳ୍ପ ରୋଜଗାରରେ ଘରଭଡ଼ା ନେଇ ରହିବା ସହିତ ରୋଷେଇ ପାଇଁ ଛୋଟ ୫ କେ.ଜି.ର ଟାଙ୍କି ବ୍ୟବହାର କରୁଛୁ। ଏବେ ଯଦି ଛୋଟ ଟାଙ୍କି ନ ମିଳିବ ତେବେ ଆମେ ରୋଷେଇ କେମିତି କରିବୁ, ଆଉ ଖାଇବୁ କ’ଣ। ଗାଁ ହେଇଥିଲେ ଚୁଲିରେ ରାନ୍ଧିଦେଇ ଥାନ୍ତୁ, କିନ୍ତୁ ଏଠି ତ ସେ ସୁବିଧା ନାହିଁ। ତେଣୁ ବାଧ୍ୟହୋଇ ଗଁାକୁ ଯିବାକୁ ପଡିବ।
– ଧୀରେନ୍ ସାହୁ, ଶ୍ରମିକ
ମୁଣ୍ଡରେ ପଡ଼ିଲା ଚଡ଼କ
ଭୁବନେଶ୍ୱରର ଆସିବାର ୫ବର୍ଷ ବିତିଲାଣି। ଏହା ଭିତରେ ଆମେ ମେସ୍ରେ ଆସିବା ଦିନଠୁ ୫ କେଜିଆ ଗ୍ୟାସ୍ରେ ରୋଷେଇ କରୁଛୁ। ସରକାର ବାହାରେ ଗ୍ୟାସ୍ ବିକ୍ରି ବନ୍ଦ କରିଥିବା ଖବର ଶୁଣି ମୁଣ୍ଡରେ ଚଡ଼କ ପଡ଼ିଲା ପରି ଲାଗୁଛି। ବର୍ତ୍ତମାନ ଖୋଲା ବଜାରରେ ଲିଟର ପିଛା ୩ଶହ ଟଙ୍କା ଚଢ଼ା ଦରରେ ଗ୍ୟାସ୍ ଭର୍ତ୍ତି କରିଛୁ। ଗ୍ୟାସ୍ ସରିଲା ପରେ କ’ଣ କରିବୁ ତାହା ବଡ଼ କାଠିକର ପାଠ। ମୋର ସୀମିତ ଦରମାରେ ବାହାରୁ ସବୁଦିନ କିଣି ଖାଇବା ଅସମ୍ଭବ ହେବ। ମୋ ପରି ଅନେକ ଲୋକ ଏପରି ସମସ୍ୟାର ସାମ୍ନା କରିବେ। ସରକାର ଏକଥା କରିବା ପୂର୍ବରୁ ୧୦ଥର ଭାବିବା ଆବଶ୍ୟକ ଥିଲା।
– ଦେବାଶିଷ ଚିନ୍ମୟ କରଣ, କର୍ମଜୀବୀ
ଏବେ କିଛିଦିନ ଘରକୁ ପଳେଇ ଯିବି
୫ କେଜିଆ ଗ୍ୟାସ୍ ଥରେ ଭର୍ତ୍ତିକଲେ ଏକମାସରୁ ଅଧିକ ଚଳିଯାଏ। ଦିନରେ ଥରେ ରୋଷଇ କଲେ ରାତିରେ ତାହାକୁ ଗରମ କରି ଖାଉଥିଲୁ। କିନ୍ତୁ ପରିସ୍ଥିତି ସମ୍ପୂର୍ଣ୍ଣ ଓଲଟ ପାଲଟ ହୋଇଯାଇଛି। ବର୍ତ୍ତମାନ ଆମ ମେସ୍ରେ ପ୍ରାୟ ୮ଦିନ ହେବ ଗ୍ୟାସ୍ ଟାଙ୍କି ଖାଲି। ଖୋଲା ବଜାରରେ ଟାଙ୍କି ସହ ପଇସା ମଧ୍ୟ ଆଗୁଆ ଦେଇ ଆସିଥିଲୁ। କିନ୍ତୁ ସରକାର ଗ୍ୟାସ୍ ବିକ୍ରି ବନ୍ଦ ଖବର ଶୁଣିଲା ପରେ ଦୋକାନୀ ମନା କରିବା ସହ ପଇସା, ଟାଙ୍କି ଘରେଇ ଦେଇଛନ୍ତି। ଭାବୁଛି କିଛିଦିନ ଘରକୁ ପଳେଇଯିବି।
– ଜ୍ଞାନ ପ୍ରକାଶ ବେହେରା, ଛାତ୍ର
ରୋଷେଇ କେମିତି କରିବୁ, ଖାଇବୁ କ’ଣ
ସମସ୍ତଙ୍କ ପାଇଁ ବିଶେଷକରି ଷ୍ଟୁଡେଣ୍ଟମାନଙ୍କ ଲାଗି କଓ୍ବୋଇସି କରି ଏଜେନ୍ସିଠାରୁ ୧୪ କେ.ଜି ଟାଙ୍କି ବୁକ୍ିଂ କରିବା ସମ୍ଭବପର ନୁହେଁ। ଖୋଲା ବଜାରରେ ଗ୍ୟାସ୍ ସିଲିଣ୍ଡର ନ ମିଳିଲେ ଆମେ ରୋଷେଇ କେମିତି କରିବୁ, ଖାଇବୁ କ’ଣ। ତେଣୁ ସରକାର କିଛି ନିୟମ କରିବା ପୂର୍ବରୁ ସବୁ ବର୍ଗର ଲୋକଙ୍କୁ ଦୃଷ୍ଟିରେ ରଖି କରିବା କଥା। ଆମ ମେସ୍ରେ ଲାଗିଥିବା ୫ କେ.ଜିର ଟାଙ୍କି ଆଉ ୪/୫ଦିନ ଯିବ। ତା’ ପରେ କ’ଣ କରିବୁ ଏବେ ଆମକୁ ସେ ଚିନ୍ତା ଘାରିଲାଣି।
– ସାଗରିକା ସେଠୀ, ଛାତ୍ରୀ
ସହରରେ ବଞ୍ଚତ୍ବା ଭାରି କଷ୍ଟ ହେବ
ଏବେ କିଛିଦିନ ହେବ ଗ୍ୟାସ୍ ସଙ୍କଟ ପରିସ୍ଥିତି ଯୋଗୁ ମୁଁ ବାହାରେ ରାସ୍ତା କଡ଼ରେ ମିଳୁଥିବା ୩୦ ଟଙ୍କିଆ ଭାତ, ଡାଲମା ଖାଉଛି। ପାଖରେ ବେଳେବେଳେ ପଇସା ନ ଥିଲା ବେଳେ ଆହାର କେନ୍ଦ୍ରରେ ଯାଇ ଖାଇଥାଏ। ମୋର ୫ କେଜିଆ ଟାଙ୍କିରେ ଗ୍ୟାସ ନ ଥିବାରୁ ବାହାରେ ବୁଲି ଖାଇବାକୁ ପଡ଼ୁଛି। ଏବେ ପୁଣି ତାହାକୁ ବ୍ୟାନ୍ କରାଯାଉଛି, ଯାହା ବଡ଼ କଷ୍ଟଦାୟକ। ବାହାରେ ରହୁଥିବା ଅଧିକାଂଶ ଛାତ୍ରୀଛାତ୍ର ଏହି ୫ କେଜିଆ ଗ୍ୟାସ୍ ଉପରେ ନିର୍ଭରଶୀଳ। ସରକାର ବ୍ୟାନ କରିବା ପୂର୍ବରୁ ପ୍ରଥମେ ଚିନ୍ତା କରିବାର ଆବଶ୍ୟକ ଥିଲା। ହଠାତ୍ ୫ କେଜି ଗ୍ୟାସ ବ୍ୟାନ୍ ପରେ ଅନେକ ଛାତ୍ରୀଛାତ୍ର ଏବେ ନିରାଶ ହେବେ।
– ଚନ୍ଦ୍ର ପ୍ରକାଶ ସେଠୀ, ଛାତ୍ର
ସଙ୍କଟ ସମୟରେ ହଇରାଣ କରୁଛନ୍ତି
ଗ୍ୟାସ୍ ସଙ୍କଟ ଦେଖା ଦେବା ଦିନଠାରୁ ରାସ୍ତାକଡ଼ ହୋଟେଲ, ମନ୍ଦିର ଏବଂ ଆହାର କେନ୍ଦ୍ର ଏବେ ସାହାରା ପାଲଟିଛି। ରାସ୍ତାକଡ଼ରେ ୫୦ ଟଙ୍କାରେ ଖାଇବା ମିଳିଯାଉଛି ତ ଆଉ କେତେବେଳେ ମନ୍ଦିର କିମ୍ବା ଆହାର କେନ୍ଦ୍ରରେ ୫ ଟଙ୍କାରେ ଭାତ, ଡାଲମା ଖାଇ ଭୋକ ମେଣ୍ଟାଇବାକୁ ପଡୁଛି। ସରକାର ରାଜ୍ୟରେ ଗ୍ୟାସ୍ ସଙ୍କଟ ନାହିଁ ବୋଲି ଗୋଟେପଟେ ବାହୁସ୍ଫୋଟ ମାରୁଛନ୍ତି। ମାତ୍ର ଏପଟେ ବିଭିନ୍ନ ନିୟମ ଆଣି ଲୋକଙ୍କୁ ହଇରାଣ କରୁଛନ୍ତି।
– ଭଗବାନ ପାତ୍ର, କର୍ମଜୀବୀ
ଦୋକାନୀ ଗ୍ୟାସ୍ ଦେବାକୁ ମନାକଲେ
ସନ୍ଧ୍ୟାରେ ଗ୍ୟାସ୍ ପାଇଁ ସ୍ଥାନୀୟ ବଜାରକୁ ଯାଇଥିଲୁ। ପୂର୍ବରୁ ଯେଉଁ ଦୋକାନୀ ଗ୍ୟାସ୍ ଦେଉଥିଲେ, ଏବେ ସେ ରୋକ୍ ଠୋକ୍ ମନା କଲେ। କହିଲେ, ସରକାର ଖୋଲା ବଜାରରେ ଗ୍ୟାସ୍ ବିକିବାକୁ ବାରଣ କରିଛନ୍ତି। ତେଣୁ ଆଉ ଗ୍ୟାସ୍ ଦେଇ ପାରିବୁ ନାହିଁ। ଏବେ ଭାବୁଛି, ଦିନେ କିମ୍ବା ଦୁଇଦିନ ପାଖ ହୋଟେଲରେ ଖାଇବି। କେନ୍ଦୁଝରସ୍ଥିତ ଆମ ଘରକୁ ଖବର କରିଛି। ସାଙ୍ଗମାନେ ମଧ୍ୟ ସେମାନଙ୍କ ଘରକୁ ଖବର ଦେଇଛନ୍ତି। ଯଦି କୌଣସି ବିକଳ୍ପ ନ ଆସେ ତେବେ ଘରକୁ ଚାଲିଯିବୁ।
– ଶୁଭସ୍ମିତା ସାହୁ, ବିଟେକ୍ ଦ୍ୱିତୀୟବର୍ଷ ଛାତ୍ରୀ, ଜଟଣୀସ୍ଥିତ ଘରୋଇ ମହାବିଦ୍ୟାଳୟ

