ରନ୍ଧନ ଗ୍ୟାସ, ଦରବୃଦ୍ଧିର ପ୍ରତିବାଦ

ଢେଙ୍କାନାଳ ଅଫିସ,୧୨।୭ ହୁ ହୁ ହୋଇ ବଢ଼ି ଚାଲିଥିବା ରନ୍ଧନ ଗ୍ୟାସ୍‌ ଦର ଏବଂ ଅତ୍ୟାବଶ୍ୟକ ସାମଗ୍ରୀର ମୂଲ୍ୟବୃଦ୍ଧିକୁ ବିରୋଧ କରି ରାସ୍ତାକୁ ଓହ୍ଲାଇଛି ଢେଙ୍କାନାଳ ମହିଳା କଂଗ୍ରେସ। ଏହାର ପ୍ରତିବାଦରେ ସଭାନେତ୍ରୀ ସ୍ମିତାରାଣୀ ସାମଲଙ୍କ ନେତୃତ୍ୱରେ ଜିଲା କାର୍ଯ୍ୟାଳୟ ସମ୍ମୁଖରେ ସୋମବାର ବିକ୍ଷୋଭ ପ୍ରଦର୍ଶନ କରାଯାଇଛି।
କେନ୍ଦ୍ରରେ ମୋଦି ସରକାର ରନ୍ଧନ ଗ୍ୟାସ୍‌ ଦର ବାରମ୍ବାର ବୃଦ୍ଧି କରି ଚାଲିଛନ୍ତି। ଅନ୍ୟ ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀର ମୂଲ୍ୟ ଆକାଶ ଛୁଅଁା ହୋଇଛି। ଏହାର ପ୍ରଭାବ ସିଧାସଳଖ ରୋଷେଇ ଘର ଉପରେ ପଡୁଛି। ଆଗାମୀ ଦିନରେ ଭାରତରେ ଶ୍ରୀଲଙ୍କା ଭଳି ପରିସ୍ଥିତି ସୃଷ୍ଟି ହେବା ଆଶଙ୍କାକୁ ଏଡ଼ାଇ ଦିଆଯାଇପାରୁ ନାହିଁ। ସରକାରଙ୍କ ଉଜ୍ଜ୍ୱଳା ଯୋଜନା ଫେଲ୍‌ ମାରିଛି। ହିତାଧିକାରୀମାନେ ଗ୍ୟାସ୍‌ ସିଲିଣ୍ଡର ଭରି ନ ପାରି ୧୦୦ ଟଙ୍କା କମିଶନ ରଖି ଗ୍ୟାସ୍‌ ବିତରକଙ୍କୁ ଛାଡ଼ି ଦେଉଛନ୍ତି। ସେମାନେ ଏହାକୁ କଳାବଜାରରେ ବିକ୍ରି କରୁଛନ୍ତି ବୋଲି ଦଳୀୟ କାର୍ଯ୍ୟକର୍ତ୍ତା ଅଭିଯୋଗ କରିଥିଲେ। ଏହି ଅବସରରେ ନରେନ୍ଦ୍ର ମୋଦିଙ୍କ କୁଶ ପୁତ୍ତଳିକା ଦାହ କରାଯାଇଥିଲା। ପ୍ରଦେଶ ମହିଳା କଂଗ୍ରେସ ସଭାନେତ୍ରୀ ବନ୍ଦିତା ପରିଡ଼ାଙ୍କ ଆହ୍ବାନକ୍ରମେ ସାରା ଓଡ଼ିଶାରେ ଏଭଳି ବିକ୍ଷୋଭ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ଢେଙ୍କାନାଳ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଆୟୋଜିତ ବିକ୍ଷୋଭ ସମାବେଶରେ ମ୍ୟୁନିସିପାଲିଟି, ବ୍ଲକ ଏବଂ ଏନ୍‌ଏସିର ମହିଳା ଯୋଗଦେଇ ବିକ୍ଷୋଭ ପ୍ରଦର୍ଶନ କରିଥିଲେ।
ଅନ୍ୟମାନଙ୍କ ମଧ୍ୟରେ ଏଆଇସିସି ସଭ୍ୟା ସୁଭାସିନୀ ମହାକୁଡ, ସମ୍‌ସିଦା ତାୟୁବ୍‌, ଟାଉନ୍‌ ମହିଳା କଂଗ୍ରେସ ସଭାନେତ୍ରୀ ଶିଳ୍ପୀଶ୍ରୀ ହରିଚନ୍ଦନ, ରୋମିନା ବେଗମ୍‌, ସଂଯୁକ୍ତା ପରିଡା, ସୁଜାତା ଖଟୁଆ, ଜିଲା କଂଗ୍ରେସ ସଭାପତି ସରୋଜ ପଟ୍ଟନାୟକ, ପୂର୍ବତନ ମନ୍ତ୍ରୀ ନବୀନଚନ୍ଦ୍ର ନାରାୟଣ ଦାସ, ପୂର୍ବତନ ଜିଲା ସଭାପତି ସୁରେଶ ଚନ୍ଦ୍ର ପାଣିଗ୍ରାହୀ, ନିର୍ମଳ ମିଶ୍ର, ସୁନୀଲ୍‌ ଦାଶ, ପ୍ରେମଶଙ୍କର ମିଶ୍ର, ମଥୁରି ସାହୁ, ଛାତ୍ର କଂଗ୍ରେସ ସଭାପତି ଶୁଭମ୍‌ ଦାଶ ପ୍ରମୁଖ ଉପସ୍ଥିତ ଥିଲେ।