ଆଜିଠାରୁ କୁଚ୍‌ ବିହାର ଟ୍ରଫି କ୍ରିକେଟ୍‌

ବରଗଡ଼,୭।୧୨(ପ୍ରେମାନନ୍ଦ ଖମାରୀ): ବରଗଡ଼ର କ୍ରୀଷ୍ଣା ବିକାଶ ଗ୍ରାଉଣ୍ଡରେ ଶୁକ୍ରବାରଠାରୁ ୧୧ତାରିଖ ପର୍ଯ୍ୟନ୍ତ ଓଡ଼ିଶା ଏବଂ ହାଇଦ୍ରାବାଦ ମଧ୍ୟରେ ୧୯ବର୍ଷରୁ କମ୍‌ କୁଚ୍‌ ବିହାର ଟ୍ରଫି କ୍ରିକେଟ ମ୍ୟାଚ ଅନୁଷ୍ଠିତ ହେବ। ବରଗଡ଼ ଜିଲା କ୍ରିକେଟ ଆସୋସିଏଶନ ଏବଂ କ୍ରୀଷ୍ଣା ବିକାଶ ଗ୍ରୁପ ଅଫ୍‌ ଇନ୍‌ଷ୍ଟିଚ୍ୟୁସନ୍ସ ପକ୍ଷରୁ ଗୁରୁବାର ଅନୁଷ୍ଠିତ ଏକ ଖବରଦାତା ସମ୍ମିଳନୀରେ ସୂଚନା ଦିଆଯାଇଥିଲା।

କୁଚ୍‌ ବିହାର ଟ୍ରଫି ପାଇଁ ୨ଦିନ ତଳୁ ଓଡ଼ିଶା ଏବଂ ହାଇଦ୍ରାବାଦ ଟିମ୍‌ ଏଠାକୁ ପହଞ୍ଚି ୨ପୃଥକ ହୋଟେଲରେ ଅବସ୍ଥାନ କରୁଛନ୍ତି। ମ୍ୟାଚ ଅଫିସିଆଲମାନଙ୍କ ରହଣି ପାଇଁ ଅନ୍ୟ ଏକ ହୋଟେଲରେ ବ୍ୟବସ୍ଥା କରାଯାଇଛି। ଏହି ମ୍ୟାଚ ପାଇଁ ବିସିସିଆଇ ପକ୍ଷରୁ ଅମିତ ଶର୍ମା ମ୍ୟାଚ ରେଫେରୀ ନିଯୁକ୍ତ ହୋଇଛନ୍ତି।

ସେହିପରି ପ୍ରେମଦୀପ ଚାଟାର୍ଜୀ, ରବି ଶଙ୍କର ଅମ୍ପାୟାର ଏବଂ ପରମବୀର ସିଂ ଅନଲାଇନ ସ୍କୋରର ଦାୟିତ୍ୱ ତୁଲାଇବେ। ଉକ୍ତ ମ୍ୟାଚ ପ୍ରତ୍ୟେକ ଦିନ ପୂର୍ବାହ୍ନ ୯ଟାରୁ ଆରମ୍ଭ ହୋଇ ଅପରାହ୍ନ ୪ଟା ପର୍ଯ୍ୟନ୍ତ ଚାଲିବ। ଦିନ ୧୧ଟା ୩୦ରୁ ୧୨ଟା ୧୦ପର୍ଯ୍ୟନ୍ତ ମଧ୍ୟାହ୍ନଭୋଜନ ବିରତି ରହିବ।

ଉଭୟ ଦଳ ପାଇଁ ଉଚ୍ଚମାନର ପଡ଼ିଆ, ଅଭ୍ୟାସ ପିଚ୍‌, ସୁଇମିଂ ପୁଲ୍‌, ବ୍ୟାୟାମଶାଳା, ବ୍ୟାଡ଼ମିଣ୍ଟନ କୋଟ୍‌ର ବ୍ୟବସ୍ଥା ରହିଥିବା ସୂଚନା ଦିଆଯାଇଛି। ଖବରଦାତା ସମ୍ମିଳନୀରେ ଜିଲା କ୍ରିକେଟ ଆସୋସିଏଶନର ସଭାପତି ହରିହର ପ୍ରଧାନ, ସମ୍ପାଦକ ରବି ପଣ୍ଡା, କ୍ରୀଷ୍ଣା ବିକାଶର ଚେୟାରମ୍ୟାନ ଡି. ମୂରଲୀ କ୍ରୀଷ୍ଣା, ଜିଲା କ୍ରିକେଟ ଆସୋସିଏଶନର ଉପସଭାପତି ଶୁଭ୍ରାଂଶୁ ଶେଖର ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ। ପ୍ରକାଶଥାଉକି, ଶୁକ୍ରବାର ପୂର୍ବାହ୍ନ ୮ଟା ୪୫ରେ ମ୍ୟାଚ ଉଦ୍‌ଘାଟିତ ହୋଇ ଦିନ ୯ଟାରେ ମ୍ୟାଚ ଆରମ୍ଭ ହେବ। ଓଡ଼ିଶା ଦଳରେ ଅଧିନାୟକ ଆଶୀର୍ବାଦ ସ୍ବାଇଁ ଏବଂ ହାଇଦ୍ରାବାଦ ଦଳରେ ଅଧିନାୟକ ଏସ୍‌. ଧିରଜ ଗୌଡ଼ଙ୍କ ସହିତ ଅନ୍ୟ ଖେଳାଳିବୃନ୍ଦ ରହିଛନ୍ତି।