Categories: ଜାତୀୟ

ଧର୍ମାନ୍ତରୀକରଣ ମାମଲା: ୮୬ ଅଭିଯୁକ୍ତଙ୍କ ମଧ୍ୟରେ ୭୯ ମୁସଲମାନ

ଲକ୍ଷ୍ନୌ,୯।୧: ଉତ୍ତରପ୍ରଦେଶରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ସରକାରଙ୍କ ପକ୍ଷରୁ ଜାରି ହୋଇଥିବା ଧର୍ମାନ୍ତରୀକରଣ ଅଧ୍ୟାଦେଶ ଅନ୍ତର୍ଗତ ୧୬ଟି ମାମଲାରେ ୮୬ ଅଭିଯୁକ୍ତଙ୍କ ବିରୋଧରେ ମାମଲା ଦାଏର କରାଯାଇଛି। ଅଭିଯୁକ୍ତଙ୍କ ମଧ୍ୟରେ ୭୯ ଜଣ ମୁସଲମାନ ରହିଛନ୍ତି। ଏହି ମାମଲାରେ ୫୪ ଜଣଙ୍କୁ ଗିରଫ କରାଯାଇଛି। ଏସବୁ ମାମଲା ମଧ୍ୟରୁ ୨ଟିରେ ନାବାଳିକାଙ୍କ ଧର୍ମାନ୍ତରୀକରଣ ଅଭିଯୋଗ ହୋଇଛି। ସେହିପରି ୨ଟି ମାମଲାରେ ଅଣ-ମୁସଲମାନ ଜଡ଼ିତ ରହିଛନ୍ତି। ଏହି ୨ ମାମଲାରେ ୭ ଜଣଙ୍କ ବିରୋଧରେ ଅଭିଯୋଗ ହୋଇଛି। ରାଜ୍ୟର ୧୪ଟି ଜିଲାରେ ଏଭଳି ଘଟଣା ଘଟିଥିବା ପ୍ରଶାସନ ପକ୍ଷରୁ କୁହାଯାଇଛି। ଧର୍ମାନ୍ତରୀକରଣ ଅଧ୍ୟାଦେଶ କୌଣସି ଏକ ନିଦ୍ଦିଷ୍ଟ ସମ୍ପ୍ରଦାୟକୁ ଟାର୍ଗେଟ କରୁ ନ ଥିବା ରାଜ୍ୟ ସରକାର ଆହ୍ଲାବାଦ୍‌ ହାଇକୋର୍ଟ ଖଣ୍ଡପୀଠଙ୍କୁ ସୂଚନା ଦେଇଛନ୍ତି। ଜୋର୍‌ ଜବରଦସ୍ତ କରାଯାଉଥିବା ସମସ୍ତ ଧର୍ମାନ୍ତରୀକରଣ ପାଇଁ ଏହା ଲାଗୁ ହେବ। ଏହା କେବଳ ଅନ୍ତର୍ଧାର୍ମିକ ବିବାହ ଲାଗି ଉଦ୍ଦିଷ୍ଟ ନୁହେଁ ବୋଲି ରାଜ୍ୟ ସରକାର କହିଛନ୍ତି। ସମସ୍ତ ଅଭିଯୁକ୍ତ ମୁସଲମାନମାନେ ପ୍ରଲୋଭନ ଦେଖାଇ ମହିଳାଙ୍କ ଧର୍ମ ପରିବର୍ତ୍ତନ କରିଥିବା ଦାଏର ହୋଇଥିବା ମାମଲାରେ ସୂଚିତ ହୋଇଛି। ଅଭିଯୁକ୍ତମାନେ ଏହା ମିଥ୍ୟା ବୋଲି କହୁଥିବାବେଳେ ରାଜ୍ୟ ସରକାର ଏବଂ ପୋଲିସ ପକ୍ଷରୁ ମାମଲାଗୁଡ଼ିକ ସତ୍ୟ ବୋଲି ପ୍ରକାଶ କରିଛନ୍ତି। ରାଜ୍ୟ ସରକାରଙ୍କ ପକ୍ଷରୁ ଧର୍ମାନ୍ତରୀକରଣ ମାମଲା ଅନ୍ତର୍ଗତ ଗୁରୁବାର ହାଇକୋର୍ଟ ବିଚାରପତି ଗୋବିନ୍ଦ ମାଥୁରଙ୍କ ନେତୃତ୍ୱରେ ଗଠିତ ହୋଇଥିବା ଖଣ୍ଡପୀଠ ସମ୍ମୁଖରେ ଏସମ୍ପର୍କିତ ସତ୍ୟପାଠ ଦାଖଲ କରାଯାଇଛି। ସୂଚନାଯୋଗ୍ୟ, ଧର୍ମାନ୍ତରୀକରଣ ଅଧ୍ୟାଦେଶ ବିରୋଧରେ ହାଇକୋର୍ଟରେ ଏକ ଜନସ୍ବାର୍ଥ ମାମଲା ଦାଖଲ କରାଯାଇଥିଲା। ଏଥିରେ ଉଲ୍ଲେଖ କରାଯାଇଥିଲା ଯେ, ଏହା ଏକାଧିକ ସାମ୍ବିଧାନିକ ଅଧିକାରକୁ ଉଲ୍ଲଂଘନ କରୁଛି।

Share