ନବୀନଙ୍କ ନିଖୋଜ ପୋଷ୍ଟରକୁ ନେଇ ଚର୍ଚ୍ଚା: ଥାନାରେ ଅଭିଯୋଗ କଲା ବିଜେଡି

ହିଞ୍ଜିଳିକାଟୁ,୩।୧୧(ଦ୍ବିତୀକୃଷ୍ଣ ପଣ୍ଡା): ହିଞ୍ଜିଳିକାଟୁ ବସ ଟର୍ମିନାଲ ପରିସରରେ ହିଞ୍ଜିଳି ବିଧାୟକ ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କ ନିଖୋଜ ସମ୍ପର୍କିତ ପୋଷ୍ଟର ଲାଗିବାକୁ ନେଇ ରାଜନୈତିକ ମହଲରେ ଚର୍ଚ୍ଚା ଜୋର୍‌ ଧରିଛି। ଏହାକୁ ନେଇ ଜନଅସନ୍ତୋଷ ପ୍ରକାଶ ପାଇଛି ନା ଏହା ପଛରେ ରାଜନୈତିକ ଉଦ୍ଦେଶ୍ୟ ରହିଛି, ତାହାକୁ ନେଇ ଭିନ୍ନଭିନ୍ନ ମତ ପ୍ରକାଶ ପାଉଛି। ସମ୍ପ୍ରତି ବାତ୍ୟାଜନିତ ଲଗାଣ ବର୍ଷା ଓ ବନ୍ୟା ଯୋଗୁ ହିଞ୍ଜିଳି ଅଞ୍ଚଳର ବହୁ ଚାଷଜମି ଜଳମଗ୍ନ ହେବା ସହ ଲୋକଙ୍କ ଧନସମ୍ପତ୍ତି କ୍ଷତିଗ୍ରସ୍ତ ହୋଇଛି। ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶରେ ଶନିବାର ରାଜ୍ୟ ବିଜେଡିର ଏକ ପ୍ରତିନିଧି ମଣ୍ଡଳୀ ହିଞ୍ଜିଳି ବନ୍ୟାଞ୍ଚଳ ପରିଦର୍ଶନ କରିଥିଲେ। ତେବେ ଏ ଭଳି ସମୟରେ ନବୀନ କ୍ଷତିଗ୍ରସ୍ତ ଲୋକଙ୍କୁ ଭେଟି ନ ଥିବା ନେଇ ଅସନ୍ତୋଷରୁ ଏହି ପୋଷ୍ଟର ଲଗାଯାଇଛି କି ନିଖୋଜ ପୋଷ୍ପର ପଛରେ କାହାର ଅଭିସନ୍ଧି ରହିଛି, ତାହା ସ୍ପଷ୍ଟ ହୋଇନାହିଁ।

ଏ ସମ୍ପର୍କରେ ବିଧାୟକଙ୍କ ଜିଲା ପରିଷଦ ପ୍ରତିନିଧି ଦେବାନନ୍ଦ ମହାପାତ୍ର କହିଛନ୍ତି ଯେ, ନବୀନ ମିସିଂ ପୋଷ୍ଟର ଲଗାଇବା ଘଟଣାକୁ ସେ ନିନ୍ଦା କରିବା ସହ ଏହା ପଛରେ ଶାସକ ଦଳର କିଛି ନେତାଙ୍କ ଭୂମିକା ଥାଇପାରେ ବୋଲି ଆଶଙ୍କା ପ୍ରକାଶ କରିଛନ୍ତି।ଏହି ଘଟଣାରେ ସମ୍ପୃକ୍ତ ବ୍ୟକ୍ତିଙ୍କୁ ଚିହ୍ନଟ କରି ଆଇନ ଅନୁଯାୟୀ ପଦକ୍ଷେପ ନେବା ଦାବିରେ ସୋମବାର ସନ୍ଧ୍ୟାରେ ହିଞ୍ଜିଳି ବିଜେଡି ପକ୍ଷରୁ ଥାନାରେ ଅଭିଯୋଗ କରାଯାଇଛି। ଅଭିଯୋଗ ପ୍ରଦାନ ସମୟରେ ନଗର ବିଜେଡି ସଭାପତି ହୃଦୟାନନ୍ଦ ମହାପାତ୍ର, ପୌରାଧ୍ୟକ୍ଷ ସୁବାଷ ଚନ୍ଦ୍ର ପୋଲେଇ, ବିଧାୟକଙ୍କ ପୌର ପ୍ରତିନିଧି ପ୍ୟାରୀମୋହନ ପାଢ଼ୀ, ନୀଳମଣି ପଟ୍ଟନାୟକଙ୍କ ସମେତ ବହୁ ଦଳୀୟ କର୍ମୀ ଉପସ୍ଥିତ ଥିଲେ।

 

Dharitri – Odisha’s No.1 Odia Daily

 

Share