ହରଦୀପ ପୁରୀଙ୍କୁ ନେଇ ୩ ବଡ଼ ଆପତ୍ତି ଉଠାଇଲେ ବିଧାୟକ, ରାଜ୍ୟ ସଭା ନାମାଙ୍କନ….

ଭୋପାଳ,୩।୧୧: ମଧ୍ୟପ୍ରଦେଶରେ ରାଜ୍ୟ ସଭା ଉପନିର୍ବାଚନକୁ ନେଇ ରାଜନୈତିକ ମାହୋଲ ସରଗରମ ହୋଇଛି । ଭାଜପା ପ୍ରାର୍ଥୀ ହରଦୀପ ପୁରୀଙ୍କ ନାମାଙ୍କନକୁ ନେଇ ଆପତ୍ତି ଉଠାଇଛି କଂଗ୍ରେସ। ମଧ୍ୟପ୍ରଦେଶ କଂଗ୍ରେସ ବିଧାୟକ ହେମନ୍ତ କଟାରେ ରିଟର୍ଣ୍ଣିଂ ଅଫିସରଙ୍କ ନିକଟରେ ଏକାଧିକ ଆପତ୍ତି ଦାଖଲ କରିଛନ୍ତି । ଏନେଇ କଂଗ୍ରେସର ରାଜ୍ୟ ସଭାପତି ଜିତୁ ପଟୱାରୀ ‘ଏକ୍ସ’ରେ ପୋଷ୍ଟ କରି ସୂଚନା ଦେଇଛନ୍ତି।

ଜିତୁ ପଟୱାରୀଙ୍କ କହିବା ଅନୁଯାୟୀ, ହେମନ୍ତ କଟାରେ ନାମାଙ୍କନ ସତ୍ୟପାଠକୁ ନେଇ ଗୁରୁତର ପ୍ରଶ୍ନ ଉଠାଇଛନ୍ତି। ସେ ଦାଖଲ କରିଥିବା ଆପତ୍ତିଗୁଡ଼ିକ ମଧ୍ୟରେ ରହିଛି:

ପତ୍ନୀଙ୍କ ସମ୍ପତ୍ତି ବିବରଣୀ: ନାମାଙ୍କନ ସତ୍ୟପାଠରେ ପତ୍ନୀଙ୍କ ନାମ ଓ ସମ୍ପତ୍ତି ସମ୍ପର୍କିତ ତଥ୍ୟ ଉଲ୍ଲେଖ ହୋଇନଥିବା ଅଭିଯୋଗ।

ବିଦେଶରେ ସମ୍ପତ୍ତି: ଜେନେଭାରେ ଥିବା ଆପାର୍ଟମେଣ୍ଟ ଏବଂ ବିଦେଶୀ ବ୍ୟାଙ୍କ ଖାତାରେ ଥିବା ସମ୍ପତ୍ତିର ବିବରଣୀ ଓ ମୂଲ୍ୟାଙ୍କନକୁ ନେଇ ପ୍ରଶ୍ନ ଉଠାଯାଇଛି।

ନୋଟାରୀ ପ୍ରକ୍ରିୟା: ନାମାଙ୍କନ ସତ୍ୟପାଠର ନୋଟାରୀ ପ୍ରକ୍ରିୟାର ଆଇନଗତ ବୈଧତାକୁ ନେଇ ମଧ୍ୟ ଆପତ୍ତି ଉଠିଛି।

ତେବେ ଏଗୁଡ଼ିକ କଂଗ୍ରେସ ପକ୍ଷରୁ ଉଠାଯାଇଥିବା ଆପତ୍ତି । ଏହା ଉପରେ ନିର୍ବାଚନ ଅଧିକାରୀଙ୍କ ପକ୍ଷରୁ କୌଣସି ପ୍ରତିକ୍ରିୟା ସାମ୍ନାକୁ ଆସିପାରି ନାହିଁ । କଂଗ୍ରେସ ସଭାପତି ଜିତୁ ପଟୱାରୀ ଏହି ପ୍ରସଙ୍ଗରେ ଭାଜପାକୁ ଘେରିଛନ୍ତି। ସେ କହିଛନ୍ତି, ଯେଉଁ ପ୍ରାର୍ଥୀଙ୍କୁ ଭାଜପା ରାଜ୍ୟ ସଭା ପଠାଇବାକୁ ଚାହୁଁଛି, ତାଙ୍କ ନାମାଙ୍କନ ସତ୍ୟପାଠରେ ଏତେ ଗୁରୁତର ଅସଙ୍ଗତି କାହିଁକି ରହିଛି?

ନୈତିକତା ଓ ସ୍ୱଚ୍ଛତାର କଥା କହୁଥିବା ଭାଜପା ଏହି ପ୍ରଶ୍ନଗୁଡ଼ିକର ଉତ୍ତର ଦେବ ନା ସତ୍ତା ବଳରେ ଏହାକୁ ଚାପିଦେବାକୁ ଚେଷ୍ଟା କରିବ ବୋଲି ସେ ପ୍ରଶ୍ନ କରିଛନ୍ତି । ଏଥିସହ ନିର୍ବାଚନ ଆୟୋଗଙ୍କୁ ସମସ୍ତ ଆପତ୍ତିର ନିରପେକ୍ଷ ଓ ଗମ୍ଭୀର ଯାଞ୍ଚ କରିବାକୁ ଦାବି କରିଛନ୍ତି।

ମଧ୍ୟପ୍ରଦେଶରେ ନଭେମ୍ବର ୧୨ ତାରିଖରେ ରାଜ୍ୟ ସଭା ଉପନିର୍ବାଚନ ହେବ । ଭାଜପା ଅକ୍ଟୋବର ୨୮ ତାରିଖରେ ହରଦୀପ ପୁରୀଙ୍କ ନାମ ଘୋଷଣା କରିଥିଲା। ଏହାପରେ ଅକ୍ଟୋବର ୩୧ ତାରିଖରେ ସେ ନିଜର ନାମାଙ୍କନ ଦାଖଲ କରିଥିଲେ। କେନ୍ଦ୍ରମନ୍ତ୍ରୀ ଏଲ୍‌. ମୁରୁଗନଙ୍କ ଇସ୍ତଫା ପରେ ରାଜ୍ୟ ସଭାର ଏହି ଆସନ ଖାଲି ପଡ଼ିଥିଲା। ନଭେମ୍ବର ୨ ତାରିଖରେ ନାମାଙ୍କନ ଦାଖଲର ଶେଷ ତାରିଖ ଥିବାବେଳେ ନଭେମ୍ବର ୩ରେ ନାମାଙ୍କନପତ୍ର ଯାଞ୍ଚ କରାଯିବ । ନଭେମ୍ବର ୫ ତାରିଖ ପର୍ଯ୍ୟନ୍ତ ପ୍ରାର୍ଥୀମାନେ ନାମାଙ୍କନ ପ୍ରତ୍ୟାହାର କରିପାରିବେ।

 

Dharitri – Odisha’s No.1 Odia Daily

Share