Categories: ଜାତୀୟ

ଗଡକରୀଙ୍କ ଟୁଇଟ ପୋଷ୍ଟକୁ ନେଇ ବିବାଦ, ଯୌତୁକ ପ୍ରଥାକୁ ପ୍ରୋତ୍ସାହିତ କରୁଥିବା ଅଭିଯୋଗ ଆଣିଲା ଶିବସେନା …

ମୁମ୍ବାଇ, ୧୨।୯ : କାରରେ ଥିବା ୬ ଟି ଏୟାରବ୍ୟାଗ ଉପରେ କେନ୍ଦ୍ର ମନ୍ତ୍ରୀ ନୀତିନ ଗଡକରୀଙ୍କ ଏକ ପୋଷ୍ଟକୁ ବିବାଦ ସୃଷ୍ଟି ହୋଇଛି। ସେ ସଡକ ସୁରକ୍ଷା ଅଭିଯାନ ସହ ଜଡିତ ଏକ ଭିଡିଓ ଶେୟାର କରିଥିଲେ। ଏହା ଯୌତୁକ ପ୍ରଥାକୁ ପ୍ରୋତ୍ସାହିତ କରୁଥିବା ଅଭିଯୋଗ ଆଣିଛି ଶିବସେନା। ଏହା ବ୍ୟତୀତ ଭିଡିଓରେ ନଜର ଆସିଥିବା ବଲିଉଡ ଅଭିନେତା ଅକ୍ଷୟ କୁମାର ମଧ୍ୟ ରାଜନେତା ତଥା ସୋସିଆଲ ମିଡିଆ ବ୍ୟବହାରକାରୀଙ୍କ ଆରୋପର ଶିକାର ହୋଇଛନ୍ତି। କେନ୍ଦ୍ର ମନ୍ତ୍ରୀ ଗଡକରୀ ଶୁକ୍ରବାର ୬ ଟି ଏୟାରବ୍ୟାଗକୁ ସମର୍ଥନ କରି ଏକ ଭିଡିଓ ଶେୟାର କରିଛନ୍ତି। ସେ ଲେଖିଛନ୍ତି, ୬ଟି ଏୟାରବ୍ୟାଗ ଥିବା ଗାଡିରେ ଯାତ୍ରା କରି ଜୀବନକୁ ସୁରକ୍ଷିତ କରନ୍ତୁ।

ଏହି ଭିଡିଓରେ ଅକ୍ଷୟ କୁମାରଙ୍କୁ ମଧ୍ୟ ଦେଖିବାକୁ ମିଳିଛି। ବର୍ତ୍ତମାନ ସୋସିଆଲ ମିଡ଼ିଆ ୟୁଜରମାନେ କହିଛନ୍ତି ଯେ ଏହି ଭିଡିଓ ମାଧ୍ୟମରେ ସମାଜରେ ଘୃଣ୍ୟ ଯୌତୁକ ପ୍ରଥାକୁ ପ୍ରୋତ୍ସାହିତ କରାଯାଉଛି। ଯୌତୁକ ନେବା କିମ୍ବା ଦେବା ଭାରତରେ ଏକ ଦଣ୍ଡନୀୟ ଅପରାଧ ହୋଇଥିବା ବେଳେ ଏଭଳି ଭିଡ଼ିଓ ଶେୟାର କରିବା ନିନ୍ଦନୀୟ ବୋଲି ୟୁଜର କହିଛନ୍ତି।

ଏକ ମିନିଟର ଏହି ଭିଡିଓରେ ଝିଅବିଦା ଦୃଶ୍ୟ ଦେଖାଯାଇଛି। ଦେଖାଯାଇଛି ଯେ ବିଦା ବେଳେ ବାପା କାନ୍ଦୁଛନ୍ତି। ଏହି ସମୟରେ ଅକ୍ଷୟ କୁମାର ଆସି ଝିଇ ଏବଂ ଜ୍ବାଇଁଙ୍କ ସୁରକ୍ଷା ବିଷୟରେ ତାଙ୍କୁ ସତର୍କ କରାଇଛନ୍ତି। ସେ କହୁଛନ୍ତି, ଏସି ଗାଡି ମେ ବେଟି କୋ ବିଦା କରୋଗେ ତୋ ରୋନା ଆଏଗା …’ ଏହା ପରେ ବାପା ଗାଡିର ଗୁଣବତ୍ତା ଗଣନା କରୁଛନ୍ତି। କିନ୍ତୁ ଅକ୍ଷୟ କୁମାର ୬ ଟି ଏୟାରବ୍ୟାଗ କଥା ପଚାରୁଛନ୍ତି। ଭିଡିଓ ଶେଷରେ କାରକୁ ପରିବର୍ତ୍ତନ କରାଯାଇଛି ।

ଶିବସେନା ନେତା ପ୍ରିୟଙ୍କା ଚତୁର୍ବେଦୀ କହିଛନ୍ତି ଯେ ଏହା ଏକ ସମସ୍ୟାଯୁକ୍ତ ବିଜ୍ଞାପନ। କିଏ ଏହାକୁ ଅନୁମତି ଦେଇଛନ୍ତି ବୋଲି ସେ ପ୍ରଶ୍ନ କରିଛନ୍ତି। ଏହି ବିଜ୍ଞାପନ ମାଧ୍ୟମରେ ସୁରକ୍ଷାକୁ ପ୍ରୋତ୍ସାହିତ କରିବା ଅବା ଯୌତୁକ ପ୍ରଥାକୁ ପ୍ରୋତ୍ସାହିତ କରିବା ପାଇଁ ସରକାର ଟଙ୍କା ଖର୍ଚ୍ଚ କରୁଛନ୍ତି ? ସେହିପରି ତୃଣମୂଳ କଂଗ୍ରେସର ଜାତୀୟ ମୁଖପାତ୍ର ସାକେତ ଗୋଖଲେ କହିଛନ୍ତି ଯେ ଭାରତ ସରକାର ଆନୁଷ୍ଠାନିକ ଭାବେ ଯୌତୁକ ପ୍ରଥାକୁ ପ୍ରୋତ୍ସାହିତ କରୁଛନ୍ତି।

Share