ସିପିଙ୍କ ଜବାବପତ୍ରକୁ ନେଇ ବିବାଦ

କଟକ ଅଫିସ,୧୯। ୯: ମା’ ଦୁର୍ଗାଙ୍କ ମୂର୍ତ୍ତି ନିର୍ମାଣ ପ୍ରସଙ୍ଗକୁ ନେଇ ଆଡ୍‌ଭୋକେଟ୍‌ ଜେନେରାଲଙ୍କ ନିକଟରେ ପୋଲିସ କମିଶନର(ସିପି) ଡ. ସୁଧାଂଶୁ ଷଡଙ୍ଗୀ ଦାଖଲ କରିଥିବା ଜବାବପତ୍ରକୁ ନେଇ ବିବାଦ ସୃଷ୍ଟି ହୋଇଛି। କଟକଚଣ୍ଡୀ ମନ୍ଦିର ପୂଜକ ମନୋଜ କୁମାର ପଣ୍ଡା ଓ ଅନ୍ୟ ଦୁଇଜଣ ବିଶିଷ୍ଟ ବ୍ୟକ୍ତିଙ୍କ ସହ ଆଲୋଚନା ପରେ ଏହି ଜବାବପତ୍ର ପ୍ରସ୍ତୁତ ହୋଇଥିଲା ବୋଲି ଉଲ୍ଲେଖ କରାଯାଇଛି। ମାତ୍ର ମନୋଜ ଏହାକୁ ଅସ୍ବୀକାର କରିବା ସହ କୌଣସି ଆଲୋଚନା ହୋଇ ନ ଥିବା ସେ କହିଛନ୍ତି। କମିଶନର ଡ. ଷଡ଼ଙ୍ଗୀ ଶୁକ୍ରବାର ସନ୍ଧ୍ୟାରେ କଟକ ଡିସିପିଙ୍କ କାର୍ଯ୍ୟାଳୟରେ ଉପସ୍ଥିତ ରହି ଜବାବପତ୍ରକୁ ସ୍ପଷ୍ଟ କରିଥିଲେ। ଅତିରିକ୍ତ ଡିସିପି ପ୍ରମୋଦ ରଥ ଅନୁଧ୍ୟାନ କରି ରିପୋର୍ଟ ପ୍ରସ୍ତୁତ କରିବା ପରେ ଆଡଭୋକେଟ୍‌ ଜେନେରାଲଙ୍କ ନିକଟରେ ଦାଖଲ ହୋଇଥିଲା ବୋଲି ସେ କହିଛନ୍ତି।
ସୂଚନାଯୋଗ୍ୟ, ଏକ ନିର୍ଦ୍ଦିଷ୍ଟ ପ୍ରସଙ୍ଗକୁ ନେଇ ଉକ୍ତ ଜବାବପତ୍ର ବିବାଦୀୟ ହୋଇଛି। ପ୍ରସଙ୍ଗଟି ହେଲା, ଚଳିତମାସ ୧୮ ତାରିଖରୁ ମଳମାସ ପ୍ରବେଶ କରୁଛି। ୧୭ ତାରିଖରେ ‘ଖଡ଼ିଧରା’ ଶେଷ କରିବା ଆବଶ୍ୟକ ବୋଲି କୋର୍ଟରେ ଆବେଦନକାରୀଙ୍କ ପକ୍ଷରୁ କୁହାଯାଇଥିଲା। ହେଲେ ଏଭଳି କୌଣସି ନିର୍ଦ୍ଦିଷ୍ଟ ରୀତିନୀତି ନାହିଁ ବୋଲି ପୋଲିସ କମିଶନରଙ୍କ ଜବାବରେ ଉଲ୍ଲେଖ କରିଛନ୍ତି। ଏଥିରେ ସେ ଚହଟାନଗରର ପୂଜକ ରାଜକିଶୋର ଶତପଥୀ, ଚଣ୍ଡୀ ମନ୍ଦିର ପୂଜକ ମନୋଜ କୁମାର ପଣ୍ଡା ଓ ବିଶ୍ୱକର୍ମା ପ୍ରଦୀପ ବେହେରାଙ୍କ ମତ ଉପସ୍ଥାପନ କରିଛନ୍ତି। ବିଲ୍ବବରଣ ତଥା ପ୍ରାଣପ୍ରତିଷ୍ଠା ପର୍ଯ୍ୟନ୍ତ ମୂର୍ତ୍ତିର ଆକାରରେ ପରିବର୍ତ୍ତନ ସମ୍ଭବ ବୋଲି କମିଶନରଙ୍କ ଜବାବ ପତ୍ରରେ ଉଲ୍ଲେଖ ରହିଛି। ହେଲେ ପୂଜକ ମନୋଜ ଏଭଳି କୌଣସି ମତାମତ ଦେଇନାହାନ୍ତି ବୋଲି କହିବା ପରେ ଏହି ପ୍ରସଙ୍ଗ ବିବାଦ ଘେରକୁ ଆସିଛି।
ପୋଲିସ କମିଶନର ଡ. ଷଡଙ୍ଗୀ ଜବାବ ରଖିଥିଲେ ଯେ, କୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ ଅତିରିକ୍ତ ଡିସିପି ପ୍ରମୋଦ ରଥଙ୍କୁ ଉକ୍ତ ଦାୟିତ୍ୱ ଦିଆଯାଇଥିଲା। ସେ ଯେଉଁ ରିପୋର୍ଟ ମୋ ନିକଟରେ ଉପସ୍ଥାପନ କରିଥିଲେ, ତାହା ଆମେ ଦାଖଲ କରିଛୁ।
ଅତିରିକ୍ତ ଡିସିପି ପ୍ରମୋଦ କହିଛନ୍ତି, ପୂଜକ ମନୋଜ ଆମ ନିକଟରେ ଯାହା ମତ ଦେଇଛନ୍ତି ତାହାର ରେକର୍ଡ ଆମେ ରଖିଛୁ। ଏହା ମିଥ୍ୟା ନୁହେଁ। ଆବଶ୍ୟକ ପଡ଼ିଲେ ତାହାକୁ ଆମେ କୋର୍ଟରେ ଉପସ୍ଥାପନ କରିବୁ।