କଂଗ୍ରେସ ଲୋକ ସଭା ପ୍ରାର୍ଥୀଙ୍କୁ ନେଇ ବିବାଦ, ସମୂହ ଇସ୍ତଫା ଦେଲେ କଂଗ୍ରେସ କାର୍ଯ୍ୟକର୍ତ୍ତା

କେନ୍ଦୁଝର,୧୫।୪(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲା କଂଗ୍ରେସରେ ଫାଟ ସୃଷ୍ଟି ହୋଇଛି। ଜିଲା କମିଟିକୁ ଅବହେଳା ତଥା ଜିଲାର ପୂର୍ବତନ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଓ ଜୟଦେବ ଜେନାଙ୍କୁ ଅଣଦେଖା କରି ପିସିସି ପକ୍ଷରୁ ପ୍ରାର୍ଥୀ ଘୋଷଣାକୁ ବିରୋଧ କରି ଜିଲା ସଭାପତି ମୋହନ ପରିଡ଼ା ସମେତ ଅନ୍ୟ କାର୍ଯ୍ୟକର୍ତ୍ତା ଓ ବିଭିନ୍ନ ସାଂଗଠନିକ କର୍ମକର୍ତ୍ତା ମାନେ ପଦରୁ ସମୂହ ଇସ୍ତଫା ଦେଇଛନ୍ତି। ଆଜି ଏକ ପ୍ରେସ ମିଟରେ ଏଭଳି ଘୋଷଣା କରି ଲୋକ ସଭା ପ୍ରାର୍ଥୀଙ୍କୁ ପରିବର୍ତ୍ତନ ଦାବି କରିଛନ୍ତି।
ଦଳରେ ଶୃଙ୍ଖଳିତ କର୍ମୀ ଭାବରେ ରହି ଭୋଟ ଦେବୁ କିନ୍ତୁ ସହଯୋଗ କରିବୁ ନାହିଁ,ଏପରିକି ଭୋଟର ହିସାବରେ ଉକ୍ତ ପ୍ରାର୍ଥୀଙ୍କୁ ମଧ୍ୟ ବିରୋଧ କରିବୁ ବୋଲି କେତେକ କହିଛନ୍ତି। ଫଳରେ କଂଗ୍ରେସ ଦଳର ଅସନ୍ତୋଷ ବୃଦ୍ଧି ପାଇବାରେ ଲାଗିଛି।
ମୋହନ ହେମ୍ବ୍ରମଙ୍କୁ ପିସିସି ଏମ୍‌ପି ପ୍ରାର୍ଥୀ ଭାବରେ ଘୋଷଣା କରିଛି। ତେବେ ଗତ ନିର୍ବାଚନରେ ଏମ୍‌ପି ପ୍ରାର୍ଥୀ ଥିଲେ। ତେବେ ସେ କୌଣସି ଦଳୀୟ କାର୍ଯ୍ୟକ୍ରମରେ ଉପସ୍ଥିତ ରହୁ ନ ଥିଲେ କିମ୍ବା ଜିଲା ସଂଗଠନକୁ ସହଯୋଗ କରୁ ନ ଥିଲେ। ଏଣୁ ଜିଲା ସଂଗଠନକୁ ନ ପଚାରି ଏଭଳି ନିଷ୍ପତିକୁ ବିରୋଧ କରୁଥିବା ଉପସ୍ଥିତ ନେତାମାନେ କହିଥିଲେ। ଏପରିକି ଜିଲା ସଂଗଠନ ଦେଇଥିବା ପ୍ରସ୍ତାବକୁ ମଧ୍ୟ ଗ୍ରହଣ କରି ନ ଥିଲେ ବୋଲି କହିଛନ୍ତି।
ଅନ୍ୟମାନଙ୍କ ମଧ୍ୟରେ ରାଜ୍ୟ ମହିଳା କଂଗ୍ରେସ ଉପସଭାପତି ସଙ୍ଗୀତ ସିଂ, ପିସିସି ସାଧାରଣ ସମ୍ପାଦକ ଆଲୋକ ମିଶ୍ର, ପିସିସି ସମ୍ପାଦକ ସଂଗ୍ରାମ ଦାସ, ଜିଲା ଆଦିବାସୀ ସଂଗଠନ ସଭାପତି ଇଂ ବିନୋଦ ବିହାରୀ ନାୟକ, ଜିଲା ଯୁବ ସଭାପତି ଶୁନେଶ ଧୀର, ମିଡ଼ିଆ ମୁଖ୍ୟ ଦିଲୀପ ସାହୁ , ଶୁଭମ ରାଜ, ପୂର୍ବତନ ବିଧାୟକ ପ୍ରାଣ ବଲ୍ଲଭ ନାୟକ ସମେତ ବହୁ କର୍ମୀ ଉପସ୍ଥିତ ଥିଲେ।