ଭାଜପାରେ କନ୍ଦଳ: ଏମ୍‌ପି, ବିଧାୟକ ପ୍ରାର୍ଥୀଙ୍କୁ ବିରୋଧ

ମାଣିଆବନ୍ଧ, ୧୨।୪(ଅଖିଳ କୁମାର ସାହୁ):କଟକ ଭାଜପା ଏମ୍‌ପି ପ୍ରାର୍ଥୀ ଭର୍ତ୍ତୃହରି ମହତାବ ଓ ବଡ଼ମ୍ବା ବିଧାୟକ ପ୍ରାର୍ଥୀ ସମ୍ବିତ ତ୍ରିପାଠୀ ଗୁରୁବାର ଦଳୀୟ ଅସନ୍ତୁଷ୍ଟ କର୍ମୀଙ୍କ ବିରୋଧର ସମ୍ମୁଖୀନ ହୋଇଥିଲେ। ମହତାବ ଏମ୍‌ପି ଟିକେଟ ପାଇବା ପରେ ପ୍ରଥମ ଥର ଲାଗି ବଡ଼ମ୍ବା ନିର୍ବାଚନ ମଣ୍ଡଳୀ ଗସ୍ତରେ ଆସିଥିଲେ। ଏହି ସମୟରେ ବଡ଼ମ୍ବା ନିର୍ବାଚନ ମଣ୍ଡଳୀର ପ୍ରବେଶ ଦ୍ୱାର ବିଧାରପୁର ଛକରେ ପୂର୍ବାହ୍ନ ପ୍ରାୟ ୧୧ଟାରେ ତାଙ୍କୁ ବିଧାୟକ ପ୍ରାର୍ଥୀ ସମ୍ବିତ ତ୍ରିପାଠୀ ଓ ଦଳୀୟ କର୍ମୀମାନେ ସ୍ବାଗତ କରିଥିଲେ। ଏଥିସହ ଏକ ବାଇକ ଶୋଭାଯାତ୍ରାରେ ମହତାବଙ୍କୁ ପାଛୋଟି ଆଣିଥିଲେ। ମାଣିଆବନ୍ଧ ଥାନା ଅନ୍ତର୍ଗତ ଧୋବଣୀନାଳଠାରେ ବଡ଼ମ୍ବା ବିଧାନସଭା ଆସନରୁ ଅନ୍ୟତମ ଆଶାୟୀ ପ୍ରାର୍ଥୀ ବିଜୟ କୁମାର ଦଳବେହେରା ଓ ୬୦୦ରୁ ଊର୍ଦ୍ଧ୍ୱ ଅସନ୍ତୁଷ୍ଟ କର୍ମୀ ମହତାବ ଓ ତ୍ରିପାଠୀଙ୍କୁ ବିରୋଧ କରି ‘ଗୋ ବ୍ୟାକ୍‌’ ବୋଲି ସ୍ଲୋଗାନ ଦେଇଥିଲେ। ଦଳବେହେରା ୨୦୧୯ ସାଧାରଣ ନିର୍ବାଚନରେ ଏହି ଭାଜପାରୁ ପ୍ରାର୍ଥୀ ହୋଇଥିଲେ। ମାତ୍ର ଚଳିତ ନିର୍ବାଚନରେ ତାଙ୍କୁ ଟିକେଟ୍‌ ମିଳି ନ ଥିଲା। ଫଳରେ ଉଭୟ ଗୋଷ୍ଠୀ ମଧ୍ୟରେ କିଛି ସମୟ ପାଇଁ ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହୋଇଥିଲା। ଖବରପାଇ ମାଣିଆବନ୍ଧ ପୋଲିସ ଘଟଣାସ୍ଥଳରେ ପହଞ୍ଚତ୍ବା ପରେ ଦଳୀୟ କର୍ମୀମାନଙ୍କୁ ବୁଝାଶୁଝା କରିଥିଲେ। ଏହାପରେ ପରିସ୍ଥିତି ନିୟନ୍ତ୍ରଣକୁ ଆସିଥିଲା। ପୁନର୍ବାର ଶୋଭାଯାତ୍ରା ମା’ଭଟ୍ଟାରିକାଙ୍କ ଅଭିମୁଖେ ଯାଉଥିବାବେଳେ ବଡ଼ମ୍ବା ତେଲିସାହି ଓ କରଡ଼ିବନ୍ଧଠାରେ ଅସନ୍ତୁଷ୍ଟ ମହିଳା ଓ ପୁରୁଷ କର୍ମୀମାନେ ମହତାବ ଓ ତ୍ରିପାଠୀଙ୍କୁ ବିରୋଧ କରିଥିଲେ। ଏ ସମ୍ପର୍କରେ ଥାନାରେ କୌଣସି ଏତଲା ଦିଆଯାଇନାହିଁ ବୋଲି ଏସ୍‌ଆଇ ବସନ୍ତ କୁମାର ଶତପଥୀ କହିଛନ୍ତି।