ଖଣ୍ଡପଡ଼ା,୧୦ା୧୦(ଅଜୟ କୁମାର ମହାରଣା): ଜଗନ୍ନାଥ ସଂସ୍କୃତିର ଆଦି ଦେବତା ଭାବରେ ପ୍ରଭୁ ଶ୍ରୀ ନୀଳମାଧବ ଜୀଉ ସର୍ବଜନ ବିଦିତ। ପୁରୀ ଶ୍ରୀ ମନ୍ଦିରର ପୂଜା ନୀତି ସହ ସାମଞ୍ଜସ୍ୟ ଥିବା ପ୍ରଭୁ ଶ୍ରୀ ନୀଳମାଧବଙ୍କ ଦୀର୍ଘ ବର୍ଷର ପରମ୍ପରା ତଥା ପୂଜା ନୀତିରେ ବ୍ୟତିକ୍ରମ ଘଟି ଥିବାରୁ ଶ୍ରଦ୍ଧାଳୁ, ପର୍ଯ୍ୟଟକ ବିଶେଷ କରି ନୀଳମାଧବ ପ୍ରେମୀ, ଭକ୍ତ ଓ ପୂଜକ ସମାଜ ମଧ୍ୟରେ ପ୍ରତିକ୍ରିୟା ପ୍ରକାଶ ପାଇଛି।
ସୂଚନାଯୋଗ୍ୟ, ଶନିବାର ମହାଳୟା ତିଥିରେ ଠାକୁରଙ୍କ ନିତିକାନ୍ତି ପରିଚାଳନା କରିବା ଦାୟିତ୍ୱ(ପାଳି) ହେଉଛି ପୂଜାରୀ ସ୍ବର୍ଗତ ବାସୁଦେବ ମିଶ୍ରଙ୍କ ପୁଅ ଚିତ୍ତରଞ୍ଜନ ମିଶ୍ରଙ୍କର। ଯେହେତୁ ସେ ପୁଜାକର୍ମ ଜାଣି ନାହାନ୍ତି ସେ ଅନ୍ୟ କୌଣସି ପୁଜକର୍ମ ଜାଣିଥିବା ପୂଜାରୀ ଦ୍ୱାରା କାର୍ଯ୍ୟ ସମ୍ପାଦନ କରିବା କଥା। ସମ୍ପୃକ୍ତ ପାଳି ତୁଲାଉଥିବା ପୂଜାରୀ ବିଧି ବ୍ୟବସ୍ଥା କ୍ରମେ ସକାଳ ୪ଟାରୁ ମନ୍ଦିର ପହଡ଼ ଖୋଲି ଠାକୁରଙ୍କ ସ୍ନାନ ଅବକାଶ, ମଙ୍ଗଳ ଆଳତି, ସକାଳ ଧୂପ, ବଲ୍ଲଭ ଆଦି ଠାକୁରଙ୍କ ପାରମ୍ପରିକ ନୀତି ସମ୍ପନ୍ନ କରିବା କଥା। ମାତ୍ର ବିଡ଼ମ୍ବନାର ବିଷୟ ପୂଜା ପଦ୍ଧତି ଜାଣି ନଥିବା ସ୍ବର୍ଗତ ବାସୁ ମିଶ୍ରଙ୍କ ପୁଅ ଚିତ୍ତରଞ୍ଜନ କୌଣସି ଅଭିଜ୍ଞ ତଥା ପୂଜାରୀଙ୍କ ବିନା ସହଯୋଗରେ ନିଜେ ପହଡ଼ ଖୋଲି ବିଧିକ୍ରମେ ମଇଲମ, ଅବକାଶ, ସ୍ନାନ ନୀତି ସମ୍ପାଦନ ନ କରି ଖାମଖିଆଲ ଭାବେ ନୀତି କରିଥିବା ନଜରକୁ ଆସିବା ପରେ ଶ୍ରଦ୍ଧାଳୁ ଭକ୍ତ, ପୂଜାରୀ ଶେଷତଃ ନୀଳମାଧବ ପୂଜକ ସମାଜର କର୍ମକର୍ତ୍ତା ଓ ସଦସ୍ୟମାନଙ୍କ ମଧ୍ୟରେ ପ୍ରତିକ୍ରିୟା ପ୍ରକାଶ ପାଇଥିଲା। ସମ୍ପ୍ରତି ମଧ୍ୟାହ୍ନ ୧୨ଟା ହୋଇଯାଇଥିଲେ ମଧ୍ୟ ଠାକୁରଙ୍କ ମଙ୍ଗଳ ଆଳତି କିମ୍ବା ବଲ୍ଲଭ ହୋଇ ନ ଥିବାରୁ ଅସନ୍ତୋଷ ପ୍ରକାଶ ପାଇଛି। ଶହ ଶହ ବର୍ଷର ପରମ୍ପରାରେ ବିଘ୍ନ ଘଟି ଠାକୁରଙ୍କ ନୀତିରେ ବିଭ୍ରାଟ ଘଟି ଥିବାରୁ ପୂଜକ ସମାଜର ସଭାପତି ଓ ସମ୍ପାଦକ ଯଥାକ୍ରମେ ନିହାର ରଞ୍ଜନ ମିଶ୍ର ଓ ମନୋରଞ୍ଜନ ମିଶ୍ର ଏ ସମ୍ପର୍କରେ ଦେବୋତ୍ତର ବିଭାଗକୁ ଦାୟୀ କରିବା ସହ ଦେବୋତ୍ତର କାର୍ଯ୍ୟ ନିର୍ବାହୀ ଅଧିକାରୀ ତଥା ତହସିଲଦାରଙ୍କୁ ଅବଗତ କରିଥିବା ଜଣାଯାଇଛି। ଏ ସମ୍ପର୍କରେ ତହସିଲଦାର ବିଶ୍ୱବିଶ୍ରୁତ୍ ତ୍ରିପାଠୀଙ୍କ ସହ ଯୋଗାଯୋଗ କରିବାରେ ପରମ୍ପରା ଅନୁସାରେ ଠାକୁରଙ୍କୁ ମହାସ୍ନାନ କରାଯାଇ ନୀତିକାନ୍ତି ସ୍ବାଭାବିକ କରାଯିବ। ଏଥିସହିତ ବିଶୃଙ୍ଖଳା ସୃଷ୍ଟି କରିଥିବା ସେବାୟତ ଚିତ୍ତରଞ୍ଜନଙ୍କୁ ଲିଫ୍ଟ ତଲବ କରାଯାଇ ଆବଶ୍ୟକସ୍ଥଳରେ ତାଙ୍କୁ ସସ୍ପେଣ୍ଡ କରାଯିବ ବୋଲି କହିଛନ୍ତି ।