Categories: ଜାତୀୟ

ମନ୍ତ୍ରୀଙ୍କ ପାଇଁ ଅଢ଼ୁଆରେ ନୂଆ ମୁଖ୍ୟମନ୍ତ୍ରୀ ବୋମାଇ

ବାଙ୍ଗାଲୁରୁ,୧୨।୮ : କର୍ନାଟକ ମୁଖ୍ୟମନ୍ତ୍ରୀ ବାସଭାରଜ ବୋମାଇଙ୍କ ନେତୃତ୍ୱରେ ଖୁସି ନାହାନ୍ତି ମନ୍ତ୍ରୀ। ମନ୍ତ୍ରିମଣ୍ଡଳର ଜଣେ ମନ୍ତ୍ରୀ ଇଚ୍ଛା ମୁତାବକ ବିଭାଗ ନ ମିଳିବାରୁ ଇସ୍ତଫା ଲାଗି ଧମକ ଦେଇଛନ୍ତି। ପରିବେଶ ଓ ପର୍ଯ୍ୟଟନ ବିଭାଗୀୟ ମନ୍ତ୍ରୀ ଅଛନ୍ତି ଆନନ୍ଦ ସିଂ। ଖଣି ବ୍ୟବସାୟରୁ ରାଜନେତା ପାଲଟିଥିବା ଆନନ୍ଦଙ୍କ ନାମରେ ବେଆଇନ ଖଣି ଓ ଜଙ୍ଗଲ ଅପରାଧ ଭଳି ମାମଲା ରହିଛି।

ତାଙ୍କୁ ବି ଏସ୍‌ ୟେଦୁରପ୍ପାଙ୍କ ନେତୃତ୍ୱରେ ଜଙ୍ଗଲ ବିଭାଗ ଦିଆଯାଇଥିଲା। ଦୀର୍ଘ ଦିନ ଧରି ସେ ଏହି ଦାୟିତ୍ୱ ସମ୍ଭାଳି ଥିଲେ। କିନ୍ତୁ ବିଜୟନଗରର ବିଧାୟକଙ୍କୁ ଦିଆଯାଇଥିଲା ଜଙ୍ଗଲ ବିଭାଗ। ଏହା ବଦଳରେ ଶକ୍ତି ବିଭାଗ ମାଗିଥିଲେ ଆନନ୍ଦ। ମାତ୍ର ଏହି ବିଭାଗ ମିଳିଥିଲା ଆରଏସ୍‌ଏସ୍‌ରୁ ଆସିଥିବା ଯୁବ ଭାଜପା ନେତା ସୁନୀଲ କୁମାର କାର୍କାଲାଙ୍କୁ।

କଂଗ୍ରେସ ନେତୃତ୍ୱାଧୀନ ସରକାର ୨୦୧୯ରେ ଭାଙ୍ଗିବାରେ ଆନନ୍ଦ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ। ମୁଖ୍ୟମନ୍ତ୍ରୀ ବୋମାଇ ଖୁବ୍‌ ବୁଝାଇଲା ପରେ ମଧ୍ୟ ଇଚ୍ଛା ମୁତାବକ ବିଭାଗ ଜିଦିରେ ଅଢ଼ି ବସିଛନ୍ତି ଆନନ୍ଦ। ତାଙ୍କୁ ବୁଝାଇବା ପାଇଁ ୟେଦୁରପ୍ପା ମଧ୍ୟ ବୁଧବାର ଏକ ବୈଠକ ଡକାଇଥିଲେ।

ଯଦି ୟେଦୁରପ୍ପା ମୁଖ୍ୟମନ୍ତ୍ରୀ ହୋଇଥାନ୍ତେ, ତେବେ ଏଭଳି ପରିସ୍ଥିତି ସୃଷ୍ଟି ହୋଇ ନ ଥାନ୍ତା। ମୁଁ ଅସନ୍ତୁଷ୍ଟ ଅଛି, ଏହା ସତ। ମୁଁ ମନ୍ତ୍ରୀ ପଦ ଛାଡ଼ିବା କଥା କହି ନାହିଁ। ସେମାନେ ମୋ ଅନୁରୋଧର ସମ୍ମୀକ୍ଷା କରିବେ ବୋଲି କହିଛନ୍ତି। କେନ୍ଦ୍ରୀୟ ନେତୃତ୍ୱ ନିକଟରେ ମଧ୍ୟ ଏହି ସମସ୍ୟାକୁ ଉଠାଯିବ ବୋଲି ସେ କହିଛନ୍ତି।

Share