ଆଡ଼ମ୍ବର ଆବାହନ, ନିରାଡ଼ମ୍ବର ବିସର୍ଜନ

ଭୁବନ, ୨୩।୯(ଡି.ଏନ.ଏ.):ମଣ୍ଡପରେ ବିରାଜିବେ ମହାମାୟା। ଦୁଇବର୍ଷ ପରେ ଚମକିବ ସହର ପରିବେଶ। ବୀରଦର୍ପରେ ଗଁାଦାଣ୍ଡରେ ବୁଲିବେ ସୁସଜ୍ଜିତ ବଳଦ। ପୁନର୍ଜୀବିତ ହେବ ମଣିଷ-ଭାରବାହୀ ପ୍ରାଣୀଙ୍କ ମଧ୍ୟରେ ବର୍ଷ ବର୍ଷ ଧରି ରହି ଆସିଥିବା ପୁରୁଣା ପରମ୍ପରା। ଏହାକୁ ନେଇ ଚଳଚଞ୍ଚଳ ହୋଇଉଠିଛି ଏସିଆ ମହାଦେଶର ସର୍ବବୃହତ୍‌ ଗ୍ରାମ ଭୁବନ। ବିଭିନ୍ନ ମଣ୍ଡପରେ ପ୍ରସ୍ତୁତି ଜୋର୍‌ସୋର୍‌ରେ ଆଗେଇ ଚାଲିଥିବାବେଳେ ଏଥିରେ ସାମିଲ ହୋଇଛି ବାଜିଛକ ପୂଜା ପ୍ରତିଷ୍ଠାନ। ପ୍ରତିଯୋଗିତାମୂଳକ ଏହି ମହୋତ୍ସବରେ ବଜେଟ ଅଧିକ ନ ଥିଲେ ବି ମା’ଙ୍କ ଆବାହନରେ କୌଣସି ଊଣା ରହିବ ନାହିଁ। ତେବେ ମା’ଙ୍କ ମେଲାଣି ଅତି ନିରାଡ଼ମ୍ବରରେ ସମ୍ପନ୍ନ କରିବାକୁ ନିଷ୍ପତ୍ତି ହୋଇଛି।
ଦୀର୍ଘବର୍ଷ ଧରି ବଳଦଯାତ୍ରାରେ ଆୟୋଜନ କରୁଥିବା ବାଜି ଛକ ୨୦୦୨ରୁ ସାମିଲ ହୋଇଛି ସାର୍ବଜନୀନ ଦୁର୍ଗାପୂଜା ମହୋତ୍ସବରେ। ବଳଦଯାତ୍ରାରେ ହେଉଥିବା ବିଶୃଙ୍ଖଳା ଏବଂ ମାତ୍ରାଧିକ ଖର୍ଚ୍ଚ ପାଇଁ ଏଥିରୁ ନିଜକୁ ଦୂରେଇ ମା’ ଦଶଭୁଜାଙ୍କ ପୂଜା କରିବାକୁ ମନ ବଳାଇଥିଲେ ପ୍ରତିଷ୍ଠାନର କର୍ମକର୍ତ୍ତା। ଏଥିପାଇଁ କମ୍‌ ପରିଶ୍ରମିକ କରିବାକୁ ପଡ଼ିନି। ପୂଜା ଆରମ୍ଭ ହେବାର ୫ବର୍ଷ ପୂର୍ବରୁ ଆରମ୍ଭ ହୋଇଥିଲା ପ୍ରସ୍ତୁତି। ୯୦ଜଣ ସଦସ୍ୟ ଦୈନିକ କିଛି କିଛି ଟଙ୍କା ସଞ୍ଚୟ କରି ୫ ଲକ୍ଷ ଟଙ୍କାର ପାଣ୍ଠି ସୃଷ୍ଟି କଲେ। ଏହି ଟଙ୍କାକୁ ସୁଧରେ ଲଗାଇ ପୂଜା ଆୟୋଜନ କରାଯାଉଛି। ପ୍ରଥମ ବର୍ଷ ୧ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଥିବାବେଳେ ଏବେ ବଜେଟ୍‌ ପାଖାପାଖି ୨ଲକ୍ଷ ଟଙ୍କାରେ ପହଞ୍ଚତ୍ଛି।
ମା’ ଦୁର୍ଗତିନାଶିନୀଙ୍କ ମୂର୍ତ୍ତି ନିର୍ମାଣ ଅନ୍ତିମ ପର୍ଯ୍ୟାୟରେ ପହଞ୍ଚତ୍ଥିବାବେଳେ କେବଳ ରଙ୍ଗ କାମ ବାକି ଅଛି। ଯାଜପୁର ଜିଲା ଢୋଲପଥର ଅଞ୍ଚଳର କାରିଗର ରଞ୍ଜନ କୁମାର ମଲ୍ଲିକ ୯ ବର୍ଷ ହେଲା ମା’ଙ୍କ ପ୍ରତିମା ନିର୍ମାଣ କରୁଛନ୍ତି। ସେହିପରି ସ୍ଥାନୀୟ ଅଞ୍ଚଳର କାରିଗରଙ୍କୁ ନେଇ ଉଜ୍ଜ୍ୱଳ ଆଲୋକମାଳ ବ୍ୟବସ୍ଥା କରାଯିବ। ଷଷ୍ଠୀରୁ ଦଶହରା ପର୍ଯ୍ୟନ୍ତ ସାମୂହିକ ପ୍ରସାଦ ସେବନ ବ୍ୟବସ୍ଥା କରାଯିବ। ଏଥିରେ ଶ୍ରଦ୍ଧାଳୁ ଏବଂ ସାହିବାସୀ ସାମିଲ ହେବେ। ଚଳିତ ବର୍ଷ ପ୍ରଶାସନ ଏବଂ ଶାନ୍ତି କମିଟି ପକ୍ଷରୁ ପୂଜା ନିୟମ କଡ଼ାକଡ଼ି କରାଯାଇଥିବାବେଳେ ଏଥିରେ ଆବଶ୍ୟକ ସମସ୍ତ ସହଯୋଗ କରାଯିବ ବୋଲି ପୂଜା ପ୍ରତିଷ୍ଠାନ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି।