ଅଧ୍ୟୟନ ଜାରି ରଖିଲେ ସୁ ନାଗରିକ ହୋଇପାରିବ

ତାଳଚେର,୧୨।୭(ନି.ପ୍ର.) ତାଳଚେର ପୌରାଞ୍ଚଳରେ ଥିବା ହାଇସ୍କୁଲ, ବିଦ୍ୟାମନ୍ଦିରଗୁଡିକରେ ଚଳିତ ଦଶମ ପରୀକ୍ଷାରେ ୯୦ ପ୍ରତିଶତରୁ ଊର୍ଦ୍ଧ୍ୱ ନମ୍ବର ରଖି ସଫଳତା ହାସଲ କରିଥିବା ୧୭ ଛାତ୍ରୀଛାତ୍ରଙ୍କୁ ସୋମବାର ସମ୍ବର୍ଦ୍ଧନା ଦିଆଯାଇଛି। ‘ଆମ ପ୍ରତିଭା ଆମ ପରିଚୟ’ ଦ୍ୱାରା ଆୟୋଜିତ ଏହି ସମ୍ବର୍ଦ୍ଧନା ଉତ୍ସବରେ ମୁଖ୍ୟ ଅତିଥି ଭାବେ ଢେଙ୍କାନାଳ ଏମ୍‌ପି ମହେଶ ସାହୁ ଯୋଗଦେଇ କହିଲେ ଯେ, ଶିକ୍ଷା ହେଉଛି ସମସ୍ତ ଛାତ୍ରୀଛାତ୍ରଙ୍କ ପାଇଁ ଅମୂଲ୍ୟ ସମ୍ପଦ। ଯେପରି ପରିଶ୍ରମ କରି ଆଜି ପିଲାମାନେ ସ୍କୁଲ ଓ ମାତାପିତାଙ୍କ ପାଇଁ ଗୌରବ ଆଣି ଦେଇଛନ୍ତି, ସେହିପରି ଅଧ୍ୟୟନ ଜାରି ରଖିଲେ ଦେଶର ଜଣେ ଜଣେ ସୁ ନାଗରିକ ହୋଇପାରିବ। ଏହି ସଫଳତା ହାସଲ ପାଇଁ ସମସ୍ତ ଛାତ୍ରୀଛାତ୍ରଙ୍କୁ ଏମ୍‌ପି ଅଭିନନ୍ଦନ ଜଣାଇଥିଲେ। ଅନ୍ୟତମ ଅତିଥି ଭାବେ ଯୋଗଦେଇ ପୌର ପରିଷଦର ଯୁବ ନଗରପାଳ ପବିତ୍ର ଭୂତିଆ ସମସ୍ତ ଛାତ୍ରୀଛାତ୍ରଙ୍କୁ ଅଭିନନ୍ଦନ ଜଣାଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ଅନୁଷ୍ଠାନର ସଭାପତି ରମେଶ ବେହେରା, ସାଧାରଣ ସମ୍ପାଦକ ଡ. ନିମାଇଁ ଚରଣ ପ୍ରଧାନ, ଡ. ରଶ୍ମିରଞ୍ଜନ ମିଶ୍ର, ତାଳଚେର ଶିକ୍ଷାଧିକାରୀ ଖଗେଶ୍ୱର ବେହେରା, କଣିହାଁ ପ୍ରତିଭା ପରିଚୟ ସଦସ୍ୟ ତଥା ଏମ୍‌ପିଙ୍କ ବ୍ୟକ୍ତିଗତ ସଚିବ ସୁନୀଲ ପ୍ରଧାନ ପ୍ରମୁଖ ମଞ୍ଚାସୀନ ଥିଲେ। ଏହି ଅବସରରେ ତାଳଚେର ସରସ୍ବତୀ ଶିଶୁବିଦ୍ୟାମନ୍ଦିରର ସର୍ବାଧିକ ୧୨ ଛାତ୍ରୀଛାତ୍ର, ଦେଉଳବେଡା ଶିଶୁବିଦ୍ୟାମନ୍ଦିରର ୩ଜଣ, ତାଳଚେର ବିବେକାନନ୍ଦ ବିଦ୍ୟମନ୍ଦିରର ୨ଜଣ ଛାତ୍ରୀଛାତ୍ରଙ୍କୁ ଅତିଥିମାନେ ସମ୍ବର୍ଦ୍ଧିତ କରିଥିଲେ। ଏହି ସମସ୍ତ କାର୍ଯ୍ୟକ୍ରମକୁ ତପନ କୁମାର ମହାରଣା, ବାବୁନି ସ୍ବାଇଁ ପରିଚାଳନା କରିଥିଲେ। ଆଦର୍ଶ ଶିକ୍ଷକ ତଥା ଏମ୍‌ପି ମହେଶ ସାହୁଙ୍କ ଗୁରୁ ଶମ୍ଭୁନାଥ ବେହେରାଙ୍କ ପରଲୋକ ଘଟିଥିବାରୁ ଏକ ମିନିଟ ନୀରବ ପ୍ରାର୍ଥନା କରାଯାଇଥିଲା।