ଗୋବରୀ ନଦୀ ଖନନରେ ଅଦାଲତ ଅବମାନନା: କେନ୍ଦ୍ରାପଡ଼ା ଡ୍ରେନେଜ୍‌ ଡିଭିଜନ୍‌ ଯନ୍ତ୍ରୀଙ୍କୁ ହାଜିରା ନିର୍ଦ୍ଦେଶ

କଟକ,୧୩ା୩(କାର୍ତ୍ତିକ ସାହୁ): ଗୋବରୀ ନଦୀ ଖନନ ବେଳେ ଅଦାଲତ ଅବମାନନା ନେଇ ରୁଜୁ ମାମଲାରେ ହାଇକୋର୍ଟ କେନ୍ଦ୍ରାପଡ଼ା ଡ୍ରେନେଜ୍‌ ଡିଭିଜନ୍‌ ଯନ୍ତ୍ରୀଙ୍କୁ ବ୍ୟକ୍ତିଗତ ହାଜିରା ହେବାକୁ ନିର୍ଦ୍ଦେଶ ଦେଇଛନ୍ତି। ହାଇକୋର୍ଟର ବିଚାରପତି ବିଭୂ ପ୍ରସାଦ ରାଉତରାୟ ମାମଲାର ଶୁଣାଣି କରି ଏହି ନିର୍ଦ୍ଦେଶ ଦେଇଛନ୍ତି। ସୂଚନା ଅନୁସାରେ, କେନ୍ଦ୍ରାପଡ଼ା ଡ୍ରେନେଜ୍‌ ଡିଭଜନ୍‌ ପକ୍ଷରୁ ଗୋବରୀ ନଦୀ ଖନନ ସମୟରେ ନଦୀକୁ ଲାଗିଥିବା ଜଣେ ବ୍ୟକ୍ତିଙ୍କ ସ୍ଥିତିବାନ୍‌ ଜମିକୁ ଖୋଳି ଦିଆଯାଇଥିବା ଅଭିଯୋଗ ହୋଇଥିଲା। ସମ୍ପୃୃକ୍ତ ବ୍ୟକ୍ତି ଜଣକ ଏହି ଖନନକୁ ବେଆଇନ ଦର୍ଶାଇ ଜମିର ପୂବର୍ର୍ସ୍ଥିତି ଫେରାଇବାକୁ କେନ୍ଦ୍ରାପଡ଼ା ଜିଲାପାଳ, ଉପଜିଲାପାଳ, ସ୍ଥାନୀୟ ତହସିଲଦାର ଏବଂ ଡ୍ରେନେଜ୍‌ ଡିଭିଜନ୍‌ର ମୁଖ୍ୟଯନ୍ତ୍ରୀ ପ୍ରମୁଖଙ୍କୁ ଲିଖିତ ଭାବେ ଅବଗତ କରିଥିଲେ। ହେଲେ ଏଥିରେ କିଛି ସୁଫଳ ମିଳି ନ ଥିଲା। ଫଳରେ ଆବେଦନକାରୀ ଲକ୍ଷ୍ମୀକାନ୍ତ ନାୟକ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ହାଇକୋର୍ଟ ମାମଲାର ଶୁଣାଣି କରି ଆବେଦନକାରୀଙ୍କ ଜମିକୁ ପୋତି ନଦୀପାର୍ଶ୍ୱ ପଥର ପ୍ୟାକିଂ କରିବାକୁ ୨୦୨୨ରେ ଆଦେଶ ଦେଇଥିଲେ। ହେଲେ ହାଇକୋର୍ଟଙ୍କ ଉକ୍ତ ନିର୍ଦ୍ଦେଶନାମା କାର୍ଯ୍ୟକାରୀ ନ ହେବାରୁ ଆବେଦନକାରୀ ହାଇକୋର୍ଟରେ ଏକ ଅଦାଲତ ଅବମାନନା ମାମଲା ରୁଜୁ କରିଥିଲେ। ଆବେଦନକାରୀଙ୍କ ପକ୍ଷରୁ ଆଇନଜୀବୀ କ୍ଷୀରୋଦ ରାଉତ ମାମଲା ପରିଚାଳନା କରୁଛନ୍ତି।