ଆନନ୍ଦ ଟପ୍ପୋ ହତ୍ୟା ମାମଲାରେ ଅଦାଲତ ଅବମାନନା: ଜବାବ ଦାଖଲ ଲାଗି ୨ ଦିନ ସମୟ ନେଲେ ସରକାର

କଟକ,୨୦ା୩(କାର୍ତ୍ତିକ ସାହୁ): ବହୁଚର୍ଚ୍ଚିତ ଆନନ୍ଦ ଟପ୍ପୋ ହତ୍ୟା ମାମଲାକୁ ନେଇ ରୁଜୁ ଅଦାଲତ ଅବମାନନା ମାମଲାରେ ଜବାବ ଦାଖଲ କରିବା ପାଇଁ ସରକାର ଦୁଇ ଦିନ ସମୟ ନେଇଛନ୍ତି। ହାଇକୋର୍ଟର ବିଚାରପତି ଶିବଶଙ୍କର ମିଶ୍ର ଏହି ମାମଲାର ତଦନ୍ତ ଅଗ୍ରଗତି ନେଇ ଶୁଣାଣି କରିବା ସହ ପରବର୍ତ୍ତୀ ଶୁଣାଣି ପାଇଁ ଆସନ୍ତା ୨୨ ତାରିଖକୁ ଧାର୍ଯ୍ୟ କରିଛନ୍ତି।
ପ୍ରକାଶ ଯେ, ଆନନ୍ଦ ଟପ୍ପୋ ହତ୍ୟା ମାମଲାରେ ହାଇକୋର୍ଟ ୮ ମାସ ପୂର୍ବେ କ୍ରାଇମ୍‌ବ୍ରାଞ୍ଚ ତଦନ୍ତ ନିର୍ଦ୍ଦେଶ ଦେଇଥିଲେ। ଅଭିଯୁକ୍ତ ଡିଏସ୍‌ପି ପାହ୍ୟାର ଅଧିକାରୀ ହୋଇଥିବାରୁ ମାମଲାର ତଦନ୍ତ ଡିଆଇଜି ପାହ୍ୟାରୁ ଉପରିସ୍ଥ ଅଧିକାରୀଙ୍କ ଦ୍ୱାରା କରାଇବାକୁ ଆଦେଶ ଦେଇଥିଲେ। ହେଲେ କ୍ରାଇମବ୍ରାଞ୍ଚ ଏହି ମାମଲାର ତଦନ୍ତ ଅଦ୍ୟାବଧି ଆରମ୍ଭ କରି ନ ଥିବା ଅଭିଯୋଗ ଆଣି ଆବେଦନକାରୀଙ୍କ ପକ୍ଷରୁ ଅଦାଲତ ଅବମାନନା ମାମଲା ରୁଜୁ ହୋଇଥିଲା।
ସୂଚନାଯୋଗ୍ୟ, ଆନନ୍ଦ ଟପ୍ପୋ ଭୁବନେଶ୍ବରରେ ତାଙ୍କର ଦୁଇ ବନ୍ଧୁଙ୍କ ସହ ରହୁଥିଲେ। ୨୦୨୨ ଫେବୃଆରୀ ୨୮ରେ ଆନନ୍ଦଙ୍କୁ ଝୁଲନ୍ତା ଅବସ୍ଥାରେ ତାଙ୍କ ରୁମ୍‌ରୁ ଉଦ୍ଧାର କରି ତାଙ୍କ ବନ୍ଧୁ ମନ୍‌ଜିତ୍‌ ଟେଟେ କ୍ୟାପିଟାଲ ହସ୍‌ପିଟାଲ ନେଇଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଆନନ୍ଦଙ୍କର ଅନ୍ୟତମ ବନ୍ଧୁ ହକି ତାରକା ବୀରେନ୍ଦ୍ର ଲାକ୍ରା ଏ ବିଷୟରେ ଆନନ୍ଦଙ୍କ ବାପାଙ୍କୁ ଫୋନ କରି ଜଣାଇଥିଲେ। ଇନ୍‌ଫୋସିଟି ଥାନା ଏକ ଅପମୃତ୍ୟୁ ମାମଲା ରୁଜୁ ହୋଇ ପୋଲିସ ମାମଲାର ତଦନ୍ତ ଆରମ୍ଭ କରିଥିଲା। ଅପରପକ୍ଷରେ ଆନନ୍ଦଙ୍କୁ ଯୋଜନାବଦ୍ଧ ଭାବେ ହତ୍ୟା କରାଯାଇଥିବା ନେଇ ତାଙ୍କ ବାପା ଥାନାରେ ଅଭିଯୋଗ କରିଥିଲେ। ଏହି ଅଭିଯୋଗକୁ ପୋଲିସ ପ୍ରଥମେ ଗ୍ରହଣ କରି ନ ଥିଲା। ଅଦାଲତଙ୍କ ନିର୍ଦ୍ଦେଶ ପରେ ପୋଲିସ ଏକ ହତ୍ୟା ମାମଲା ରୁଜୁ କରି ଘଟଣାର ତଦନ୍ତ କରିଥିଲା। ଇନ୍‌ଫୋସିଟି ଥାନା ପୋଲିସ ଏହି ଘଟଣାର ତଦନ୍ତ କରିବା ସହ ଆନନ୍ଦଙ୍କୁ ହତ୍ୟା କରାଯାଇ ନାହିଁ ବରଂ ସେ ଆତ୍ମହତ୍ୟା କରିଛନ୍ତି ବୋଲି ପୋଲିସ ଅଦାଲତରେ ଚାର୍ଜଶିଟ୍‌ ଦାଖଲ କରିଥିଲା। ପୋଲିସ ତଦନ୍ତରେ ଭରସା ନ ହେବାରୁ ଆନନ୍ଦଙ୍କ ବାପା ମାମଲାର କ୍ରାଇମ୍‌ବ୍ରାଞ୍ଚ ତଦନ୍ତ ଦାବି କରି ହାଇକୋର୍ଟରେ ଏକ ପିଟିଶନ ଦାଖଲ କରିଥିଲେ। ପୋଲିସର ତଦନ୍ତ ପ୍ରକ୍ରିୟାରେ ହାଇକୋର୍ଟ ଅସନ୍ତୋଷ ପ୍ରକାଶ କରିଥିଲେ। ଗତ ଜୁଲାଇ ୫ରେ ମାମଲାର କ୍ରାଇମ୍‌ବ୍ରାଞ୍ଚ ତଦନ୍ତ ପାଇଁ ହାଇକୋର୍ଟ ନିର୍ଦ୍ଦେଶ ଦେଇଥିଲେ। ଆବେଦନକାରୀଙ୍କ ପକ୍ଷରୁ ଶିବଶଙ୍କର ମହାନ୍ତି ମାମଲା ପରିଚାଳନା କରୁଛନ୍ତି।