ନାକିଚି ଛକରେ ହେଉନି ସର୍ଭିସ ରାସ୍ତା ନିର୍ମାଣ

ବଇଣ୍ଡା,୬।୧୨(ପରିକ୍ଷିତ ସାହୁ): ଅନୁଗୋଳ ଜିଲା କିଶୋରନଗର ବ୍ଲକ ନାକିଚି ଛକ ଠାରେ ସର୍ଭିସ ରୋଡ ନିର୍ମାଣ ହେଉନାହିଁ। ବାରମ୍ବାର ଅଭିଯୋଗ କଲେ ମଧ୍ୟ ଜାତୀୟ ରାଜପଥ ପ୍ରାଧିକରଣ କର୍ତ୍ତୃପକ୍ଷ ଏ ସଂକ୍ରାନ୍ତରେ ଧ୍ୟାନ ଦେଉ ନ ଥିବାରୁ ସୋମବାର ନାକିଚି ଗ୍ରାମବାସୀ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଅଭିଯୋଗପତ୍ର ମାଧ୍ୟମରେ ଅବଗତ କରାଇଛନ୍ତି। ଏହାର ଏକ ନକଲ ଆଠମଲ୍ଲିକ ବିଧାୟକଙ୍କୁ ପ୍ରଦାନ କରାଯାଇଛି।
ଦାବିପତ୍ରରେ ଗ୍ରାମବାସୀ ଉଲ୍ଲେଖ କରିଛନ୍ତି, ଜାତୀୟ ରାଜପଥ ବିଭାଗ ପକ୍ଷରୁ ଏଠାରେ ୫୫ନଂ. ଜାତୀୟ ରାଜପଥର ସାମ୍ପ୍ରସାରଣ କରାଯାଇ ୪ ଟିକିଆ କରାଯାଇଛି। ହେଲେ ରାଜପଥ ପାର୍ଶ୍ୱରେ ସର୍ଭିସ ରୋଡ୍‌ ନିର୍ମାଣ କରାଯାଇନାହିଁ। ଫଳରେ ସ୍ଥାନୀୟ ଅଞ୍ଚଳ ବାସୀଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି। ଏହି ଛକ ଉପରେ ନାକିଚି, ଉରୁକୁଳା, ଅଙ୍ଗପଡା, ଧଡରପାଳ, ଠାକୁରଗଡ଼, କୃତ୍ତିବାସପୁର, ଠେଲକନାଳୀ, ଆମ୍ବପାଳ, କଟରଙ୍ଗା ଆଦି ପଞ୍ଚାୟତର ଲୋକେ ନିର୍ଭର କରୁଛନ୍ତି। ବିଶେଷକରି ଏହି ଛକରୁ ଠାକୁରଗଡ଼ ଓ କିଶୋରନଗର ବ୍ଲକ ଅଞ୍ଚଳକୁ ପୂର୍ତ୍ତ ବିଭାଗ ଜରିଆରେ ରାସ୍ତା ନିର୍ମାଣ କରାଯାଇଛି। ଅନେକ ଲୋକ ବସ୍‌ରେ ଯାତାୟାତ ପାଇଁ ଏହି ଛକ ଉପରେ ଅପେକ୍ଷା କରୁଛନ୍ତି। ହେଲେ ସର୍ଭିସ ରାସ୍ତା ନିର୍ମାଣ କରାଯାଉ ନ ଥିବା ଯୋଗୁ ଯାତ୍ରୀମାନେ ଅସୁରକ୍ଷିତ ମଣୁଛନ୍ତି। ମାଟି ରାସ୍ତାରୁ ନୂତନ ରାସ୍ତା ୨ ଫୁଟ ଉଚ୍ଚରେ ରହୁଥିବାରୁ ଲୋକେ ଯାତାୟାତରେ ଅନେକ ଅସୁବିଧା ସମ୍ମୁଖୀନ ହେଉଛନ୍ତି। ଅନେକ ଅଞ୍ଚଳରେ ସର୍ଭିସ ରାସ୍ତା ନିର୍ମାଣ କରାଯାଇଥିବା ବେଳେ ଏହି ଛକକୁ ଅଣଦେଖା କରାଯାଇଛି। ସେହିପରି ରାସ୍ତାର ଉଭୟ ପାର୍ଶ୍ୱରେ ଡ୍ରେନ ବ୍ୟବସ୍ଥା କରାଯାଇ ନ ଥିବା ଯୋଗୁ ସାମାନ୍ୟ ବର୍ଷା ହେଲେ ୨ ଫୁଟର ପାଣି ଜମି ରହୁଛି। ଏପରିକି ରାସ୍ତାପାର୍ଶ୍ୱରେ ଥିବା ଦୋକାନ ଗୁଡିକରେ ବର୍ଷା ଜଳ ପଶିଯାଉଛି। ଏ ନେଇ ରାସ୍ତା କାମ କରୁଥିବା ଠିକାସଂସ୍ଥାଙ୍କ ଠାରୁ ଆରମ୍ଭ କରି ଜିଲା ପ୍ରଶାସନ ଠାରେ ପୂର୍ବରୁ ଅଭିଯୋଗ କରାଯାଇଥିଲେ ମଧ୍ୟ କୌଣସି ସୁଫଳ ମିଳୁନାହିଁ। ତୁରନ୍ତ ଏଥିପ୍ରତି ଜାତୀୟ ରାଜପଥ ବିଭାଗ ଓ ଜିଲା ପ୍ରଶାସନ ଦୃଷ୍ଟି ଦେଇ ସର୍ଭିସ ରାସ୍ତା, ଡ୍ରେନ ନିର୍ମାଣ କରିବା ପାଇଁ ଗ୍ରାମର ଲମ୍ବୋଦର ସାହୁ, ଅଞ୍ଜନ କୁମାର ରାଉଳ, କୃଷ୍ଣଚନ୍ଦ୍ର ବେହେରା, ପଦ୍ମଲୋଚନ ବେହେରା, ରଞ୍ଜନ କୁମାର ବେହେରା, ସୁବାସ ଚନ୍ଦ୍ର ବେହେରା, କୁମୁନ୍ଦ ପ୍ରଧାନ, ଅକ୍ଷୟ କୁମାର ଦେହୁରୀ, ଧନଞ୍ଜୟ ସାହୁ, ପ୍ରଫୁଲ୍ଲ ବିଶ୍ୱାଳ, ପୀତାମ୍ବର ସାହୁ, ପ୍ରେମାଞ୍ଜନ ସାହୁ, ଦିଲେଶ୍ୱର ସାହୁ, ଅମର ସାହୁ, ଦିଗାମ୍ବର ସାହୁ, ପୀତାମ୍ବର ବେହେରା ପ୍ରମୁଖ ଦାବି କରିଛନ୍ତି। ନଚେତ ଆଗାମୀ ଦିନରେ ଏକ ବଡ଼ଧରଣର ଆନ୍ଦୋଳନ କରାଯିବ ବୋଲି ଗ୍ରାମବାସୀ କଡା ଚେତାବନୀ ଦେଇଛନ୍ତି। ଏ ନେଇ ଠିକାସଂସ୍ଥା ପରିଚାଳକ ଜେ. ବେହେରା କହିଛନ୍ତି, ନାକିଚି ଅଞ୍ଚଳରେ ସର୍ଭିସ ରାସ୍ତା ନିର୍ମାଣ ପାଇଁ କୌଣସି ପ୍ରସ୍ତାବ ନାହିଁ।