ସତ୍ୟବିହାର-ମଞ୍ଚେଶ୍ୱର କେନାଲ ରାସ୍ତା ନିର୍ମାଣ ଖୁବ୍‌ଶୀଘ୍ର

ଭୁବନେଶ୍ୱର,୧୫।୧୦ (ବ୍ୟୁରୋ): ଭୁବନେଶ୍ୱର ମହାନଗର ନିଗମର ୱାର୍ଡ ନଂ.୫ ଅନ୍ତର୍ଗତ ଜାତୀୟ ରାଜପଥ ୧୬ର ରିଲାଏନ୍ସ ଫ୍ରେସ୍‌ ନିକଟ ସତ୍ୟବିହାରରୁ ବାହାରି ମଞ୍ଚେଶ୍ୱର ଗାଁ ପର୍ଯ୍ୟନ୍ତ ଲମ୍ବିଥିବା କେନାଲ ରାସ୍ତା ବିପଦପୂର୍ଣ୍ଣ ଅବସ୍ଥାରେ ରହିଛି। ଏହାର ସମାଧାନ ପାଇଁ ସାମ୍ବାଦିକ ତଥା ସ୍ଥାନୀୟ ବାସିନ୍ଦା ସ୍ବରୂପ ଦାସଙ୍କ ନେତୃତ୍ୱରେ ଏକ ଟିମ୍‌ ବିଏମ୍‌ସି କମିଶନର ବିଜୟ ଅମୃତ କୁଲାଙ୍ଗେଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ସ୍ଥାନୀୟ ବାସିନ୍ଦାଙ୍କ ଅନୁରୋଧକ୍ରମେ କମିଶନର ଶୁକ୍ରବାର ସକାଳେ ସେଠାରେ ପହଞ୍ଚତ୍ ଚାଲି ଚାଲି ରାସ୍ତାର ଅବସ୍ଥା ପରଖିଥିଲେ। ଏଥିସହିତ ସ୍ଥାନୀୟ ଲୋକଙ୍କ ସମସ୍ୟା ଅନୁଭବ କରିବା ସହ ସାମ୍ବାଦିକ ସ୍ବରୂପଙ୍କ ସମେତ ଅନୁପ କୁମାର ଖୁଣ୍ଟିଆ, ପ୍ରଶାନ୍ତ ବେହେରା ପ୍ରମୁଖ ସ୍ଥାନୀୟ ବାସିନ୍ଦାଙ୍କ ସହିତ ଆଲୋଚନା କରିବା ସହିତ ଶୀଘ୍ର ରାସ୍ତାର ନିର୍ମାଣ କାର୍ଯ୍ୟ ଆରମ୍ଭ ହେବ ବୋଲି ପ୍ରତିଶ୍ରୁତି ଦେଇଥିଲେ। ସେହିପରି ଲୋକେ କେନାଲକୁ ଛାଡୁଥିବା ମଇଳା ପାଣି ବନ୍ଦ କରିବା ସହିତ ପଠାଣି ଜେନା ମାର୍ଗର ନିର୍ମାଣ ଓ ଦୁଇ କେନାଲ ବନ୍ଧ ରାସ୍ତାକୁ ସୌନ୍ଦର୍ଯ୍ୟକରଣ କରିବା ପାଇଁ ପରାମର୍ଶ ଦେଇଥିଲେ।
ଏହି ରାସ୍ତାଟି କୋଲକାତା-ଭୁବନେଶ୍ୱର ଓ ପୁରୀ-ଭୁବନେଶ୍ୱର ଜାତୀୟ ରାଜପଥର ସଂଯୋଗ ଛକକୁ ଲାଗି ରହିଛି। ରାସ୍ତା ଉପରେ ସ୍ଥାନୀୟ ଅଞ୍ଚଳର ପ୍ରାୟ ୫୦ ହଜାରରୁ ଅଧିକ ଲୋକ ନିର୍ଭର କରିଥାନ୍ତି। ମଞ୍ଚେଶ୍ୱର ଗାଁ, ସତ୍ୟବିହାର, କିଷନ ନଗର, ସପ୍ତସତୀ ନଗର, ମଞ୍ଚନାଥ ନଗର, ସମେଇଗାଡିଆ, ଚକେଇସିଆଣି, ଭିଏସ୍‌ଏସ୍‌ ନଗର, ମଞ୍ଚେଶ୍ୱର ଶିଳ୍ପାଞ୍ଚଳ ଆଦି ଅଞ୍ଚଳର ଯାନବାହାନ ମଧ୍ୟ ଏହିବାଟ ଦେଇ ଯାତାୟାତ କରିଥାଏ। ମାତ୍ର ଦୀର୍ଘବର୍ଷ ହେବ ଏଠାକାର ଅଞ୍ଚଳବାସୀ ଖରାପ ରାସ୍ତା ପାଇଁ ଦୁର୍ଦ୍ଦଶାର ଶିକାର ହେଉଛନ୍ତି।