ଆଚରଣବିଧି ପରେ ନୂତନ ରାସ୍ତା ନିର୍ମାଣ, ଅସନ୍ତୋଷ

ବଇଣ୍ଡା,୧୨ା୪(ପରିକ୍ଷିତ ସାହୁ): ଅନୁଗୋଳ ଜିଲା ଆଠମଲ୍ଲିକ ବ୍ଲକ ଠାକୁରଗଡ଼ ଥାନା ସାନହୁଲାଠାରୁ ଭାୟା ମିଣ୍ଡୋଳ ଦେଇ ପାଇକସାହି ପର୍ଯ୍ୟନ୍ତ ଯାଇଥିବା ସାଢେ ୧୧ କି.ମି ପୂର୍ତ୍ତବିଭାଗ ରାସ୍ତାକୁ ସମ୍ପ୍ରସାରଣ କରାଯିବ। ଏ ନେଇ ପୂର୍ତ୍ତ ବିଭାଗ ପକ୍ଷରୁ ଟେଣ୍ଡର ହୋଇଛି। ଆଚରଣବିଧି ଲାଗିଥିବାବେଳେ ମଧ୍ୟ ମଙ୍ଗଳବାରଠାରୁ କାମ ଆରମ୍ଭ କରାଯାଇଛି। ଫଳରେ ସ୍ଥାନୀୟ ଅଞ୍ଚଳବାସୀଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଥିବାବେଳେ ମିଣ୍ଡୋଳ ଗ୍ରାମବାସୀ ଏହାକୁ ବିରୋଧ କରିଛନ୍ତି। ଏ ନେଇ ଅଞ୍ଚଳବାସୀ ବୁଧବାର ବିରୋଧ କରିବା ପରେ ଏକ ଅଭିଯୋଗପତ୍ର ମାଧ୍ୟମରେ ଅନୁଗୋଳ ଜିଲାପାଳଙ୍କୁ ଅବଗତ କରାଇଛନ୍ତି। ଏହାର ଏକ ନକଲ ଆଠମଲ୍ଲିକ ଉପଜିଲାପାଳଙ୍କୁ ପ୍ରଦାନ କରିଛନ୍ତି।
ଅଞ୍ଚଳବାସୀ କହିଛନ୍ତି, ଏହି ସାଢେ ୧୧ କି.ମି ରାସ୍ତାର ଚଉଡ଼ା ୩.୭୫୦ ମିଟର ଥିବାବେଳେ ଏହାକୁ ସମ୍ପ୍ରସାରଣ କରାଯାଇ ୫.୫୦୦ ମିଟର ଚଉଡା କରିବା ପାଇଁ ୧୬ କୋଟି ଟଙ୍କା ପୂର୍ତ୍ତବିଭାଗ ପକ୍ଷରୁ ମଞ୍ଜୁର କରାଯାଇଛି। ଏ ନେଇ ବିଭାଗ ପକ୍ଷରୁ ଠିକାସଂସ୍ଥା ସହ ମାର୍ଚ୍ଚ ୧୫ ତାରିଖ ଦିନ ଚୁକ୍ତି ହୋଇଥିବାବେଳେ ୧୬ ତାରିଖରେ ସାରା ରାଜ୍ୟରେ ଆଚରଣବିଧି ଲାଗୁ ହୋଇଥିଲା। ଫଳରେ ରାସ୍ତା କାମ ଆରମ୍ଭ ହୋଇପାରି ନ ଥିଲା। ହେଲେ ଅଣ ଓଡିଆ ଠିକାସଂସ୍ଥା ହୋଇଥିବାବେଳେ ଜୋର ଜବରଦସ୍ତ ମଙ୍ଗଳବାରଠାରୁ ରାସ୍ତା କାମ ମେଶିନ ସାହାଯ୍ୟରେ ଆରମ୍ଭ କରିଛି। କୌଣସି ଫଳକ ନ ମାରି କାମ ଆରମ୍ଭ କରିଥିବା ଯୋଗୁ ଅଞ୍ଚଳବାସୀଙ୍କ ମଧ୍ୟରେ ଅସନ୍ତୋଷ ଦେଖଯାଇଛି। ଏପରିକି ବିଭିନ୍ନ ରାଜନୈତିକ ଦଳର ନେତାମାନେ ମଧ୍ୟ ଆଚରଣବିଧି ଲାଗୁ ହୋଇଥିବାବେଳେ କିଭଳି କାମ ଆରମ୍ଭ କରାଗଲା ବୋଲି ପ୍ରଶ୍ନ ଉଠାଇଛନ୍ତି। ଠିକାସଂସ୍ଥାର ଏଭଳି କାର୍ଯ୍ୟକୁ ଅଞ୍ଚଳବାସୀ ବିରୋଧ କରିଥିଲେ ମଧ୍ୟ ଠିକାସଂସ୍ଥା ଜୋର ଜବରଦସ୍ତ କାମ କରୁଥିବା ଅଭିଯୋଗ ହୋଇଛି। ତୁରନ୍ତ ଏଥିପ୍ରତି ନିର୍ବାଚନ ଅଧିକାରୀ ଦୃଷ୍ଟି ଦେଇ ପଦକ୍ଷେପ ନେବାକୁ ସାଧାରଣରେ ଦାବି ହୋଇଛି। ଏ ନେଇ ପୂର୍ତ୍ତ ବିଭାଗର ଏସ୍‌ଡିଓ ରମେଶ ଚନ୍ଦ୍ର ସ୍ବାଇଁ କହିଛନ୍ତି, ଘଟଣା ସମ୍ପର୍କରେ ତଦନ୍ତ କରାଯାଇ କାମ ବନ୍ଦ କରିବା ପାଇଁ ନିର୍ଦ୍ଦେଶ ଦିଆଯିବ।