‘ଯ’ ନଦୀରେ ନୂତନ ପୋଲ ନିର୍ମାଣ

ଧାମନଗର, ୬।୪ (ସ୍ବ.ପ୍ର.): ଭଦ୍ରକ ଜିଲା ଧାମନଗର ବ୍ଲକ ଅଧୀନ ଭଗବାନପୁର ପଞ୍ଚାୟତ ପଳିକିରି ଗ୍ରାମ ଦେଇ ଯାଇଥିବା ‘ଯ’ ନଦୀ ଉପରେ ଥିବା କଂକ୍ରିଟ ପୋଲ ଦୀର୍ଘବର୍ଷ ହେଲା ବିପଦସଙ୍କୁଳ ଅବସ୍ଥାରେ ଥିଲା। ଗ୍ରାମ୍ୟ ଉନ୍ନୟନ ବିଭାଗ ଅଧୀନରେ ଥିବା ପଳିକିରି ଛକ ମୁଖ୍ୟରାସ୍ତାଠାରୁ ଚନ୍ଦନେଶ୍ୱର ଗ୍ରାମ ପର୍ଯ୍ୟନ୍ତ ୩ କି.ମି. ରାସ୍ତା ପଳିକିରି ଗ୍ରାମ ମଧ୍ୟବର୍ତ୍ତୀ ଅଞ୍ଚଳରେ ଥିବା ଚିଆଁ ବଜାର ନିକଟରେ ଏହି ନଦୀ ଉପରେ ପ୍ରାୟ ୨୫ବର୍ଷରୁ ଊର୍ଦ୍ଧ୍ୱ ପୁରୁଣା ପୋଲ ଥିଲା। ରକ୍ଷଣାବେକ୍ଷଣ ଅଭାବରୁ ଅନେକାଂଶରେ ଫାଟ ସୃଷ୍ଟି, ଖୁଣ୍ଟ ନଷ୍ଟ ସହ ପୋଲର ଉଭୟପାର୍ଶ୍ୱରେ ଗାର୍ଡୱାଲ ସବୁ ନଷ୍ଟ ହୋଇଯାଇଥିଲା। ସ୍ଥାନୀୟ ଗ୍ରାମବାସୀଙ୍କ ସମେତ ସରପଞ୍ଚଙ୍କ ପ୍ରତିନିଧି କପିଳେନ୍ଦ୍ର ବଳ ଏକ ନୂତନ ପୋଲ ନିର୍ମାଣ ପାଇଁ ଦାବି କରିଥିଲେ। ଗତ ମାର୍ଚ୍ଚ ପ୍ରଥମ ସପ୍ତାହରେ ଉକ୍ତ ପୋଲଟି ଭଙ୍ଗାଯାଇ ଏକ ନୂତନ ପୋଲର ନିର୍ମାଣ କାର୍ଯ୍ୟ ଚାଲିଛି। ଚଳିତମାସ ଶେଷ ସୁଦ୍ଧା ନିର୍ମାଣ କାର୍ଯ୍ୟ ସମ୍ପୂଣ୍ଣର୍ର୍ ହେବ ବୋଲି ଯନ୍ତ୍ରୀ ମନୋରଞ୍ଜନ ମହାପାତ୍ର ପ୍ରକାଶ କରିଛନ୍ତି।
କି, ବିପଦସଙ୍କୁଳ ଅବସ୍ଥାରେ ପୋଲ ଥିବା ନେଇ ଖବର ଗତବର୍ଷ ଜୁଲାଇ ୧୮ରେ ଧରିତ୍ରୀରେ ପ୍ରକାଶ ପାଇଥିଲା। ଏହାର ୪ଦିନ ଭିତରେ ଗ୍ରାମ୍ୟ ଉନ୍ନୟନ ବିଭାଗ ସହକାରୀ ଯନ୍ତ୍ରୀ ଶରତ ଚନ୍ଦ୍ର ସାହୁ, ସହକାରୀ ନିର୍ବାହୀ ଯନ୍ତ୍ରୀ ଅଲେଖ ଚନ୍ଦ୍ର ସାହୁ, ଅଧୀକ୍ଷଣ ଯନ୍ତ୍ରୀ ଦୁର୍ଗାପ୍ରସାଦ କରଣ ପ୍ରମୁଖ ପୋଲର ସ୍ଥିତି ଅନୁଧ୍ୟାନ କରି ୨୫ଲକ୍ଷ ଟଙ୍କାର ଏଷ୍ଟିମେଟ ପ୍ରସ୍ତାବ ଦିଆଯାଇ ଏକ ନୂତନ ପୋଲ ହେବ ବୋଲି ପ୍ରତିଶ୍ରୁତି ଦେଇଥିଲେ। ନୂତନ ପୋଲ ନିର୍ମାଣ ଦ୍ୱାରା ପ୍ରାୟ ୧୦ ହଜାର ଲୋକ ଉପକୃତ ହେବେ ବୋଲି ଗ୍ରାମବାସୀ ଦିଲୀପ କୁମାର ଦାଶ, ରମଣୀ ରଞ୍ଜନ ଦାଶ, ପୂର୍ଣ୍ଣଚନ୍ଦ୍ର ପ୍ରଧାନ, ନିତ୍ୟାନନ୍ଦ ଦାଶ, ଅଶୋକ କୁମାର ଜେନା, ପଦ୍ମନାଭ ମହାପାତ୍ର, ରବୀନ୍ଦ୍ର ପ୍ରଧାନ ଏବଂ ସରପଞ୍ଚ କାଞ୍ଚନ ସ୍ବାଇଁ କହିଛନ୍ତି।