ବିଷମକଟକରେ ଚାଷୀଙ୍କ ପାଇଁ ଶୀତଳଭଣ୍ଡାର ନିର୍ମାଣ

ବିଷମକଟକ,୨୫ା୧୧(ଡି.ଏନ୍‌.ଏ.): ରାୟଗଡ଼ା ଜିଲା ବିଷମକଟକ ବ୍ଲକ ଚାଟିକଣା ସ୍ଥିତ ଦକ୍ଷତା ତାଲିମ କେନ୍ଦ୍ରଠାରେ ଡଙ୍ଗରିଆ କନ୍ଧ ଉନ୍ନୟନ ସଂସ୍ଥା(ଡିକେଡିଏ) ଏବଂ ଉଦ୍ୟାନ ବିଭାଗର ମିଳିତ ସହଯୋଗରେ ୧୫ ଲକ୍ଷ ଟଙ୍କା ବ୍ୟୟରେ ଏକ ଶୀତଳ ଭଣ୍ଡାର ନିର୍ମାଣ କରାଯାଇଛି। ଏହି ଶୀତଳ ଭଣ୍ଡାର ବିଷମକଟକ ବ୍ଲକରେ ପ୍ରଥମ ଥର ପାଇଁ କାର୍ଯ୍ୟକାରୀ ହେବାକୁ ଥିବାବେଳେ ଏହା ସମ୍ପୂର୍ଣ୍ଣ ସୌରଚଳିତ। ନୂତନ ବୈଜ୍ଞାନିକ ଜ୍ଞାନକୌଶଳରେ ଏହାର ନିର୍ମାଣ କରାଯାଇଛି। ଅଞ୍ଚଳରେ ଶୀତଳ ଭଣ୍ଡାର ହେବା ଦ୍ୱାରା ଅଭାବି ବିକ୍ରିକୁ ରୋକିବା ସମ୍ଭବ ହୋଇପାରିବ।
ନିୟମଗିରି ପାହାଡ଼ ଅଞ୍ଚଳରେ ଉତ୍ପାଦନ କରାଯାଉଥିବା ସପୁରୀ, ଫୁଲକୋବି, ଆମ୍ବ, ହଳଦୀ, ପାଳୁଅ, କମଳା, କ୍ୟାପ୍‌ସିକମ, ଗାଜର ଆଦିକୁ ସୁରକ୍ଷିତ ରଖିବା ପାଇଁ ସୁବିଧା ନ ଥିବାରୁ ଆନ୍ଧ୍ର ପ୍ରଦେଶ ଏବଂ ଛତିଶଗଡ଼ରୁ ଦଲାଲ ମାନେ ଆସି କମ ଦରରେ ଫଳ ଏବଂ ପରିବା କିଣି ନେଉଛନ୍ତି। ସେହିପରି ଅନେକ ଜିନିଷ ପଚିସଢ଼ି ନଷ୍ଟ ହେଉଛି। ଶୀତଳ ଭଣ୍ଡାର ହେଲେ ଚାଷୀ ସେଗୁଡ଼ିକୁ ସୁରକ୍ଷିତ ରଖି ବିକ୍ରି କରିପାରିବେ ଏବଂ ଲାଭବାନ ହୋଇପାରିବେ। ଏହି ସୌରଚାଳିତ ଶୀତଳ ଭଣ୍ଡାରରେ ୧୦ ରୁ ୧୨ ଟନ୍‌ର ଫଳ ଓ ପରିବା ସଂରକ୍ଷିତ ରଖାଯାଇ ପାରିବ। ଚାଷୀଙ୍କ ଲାଭ ଉଦ୍ଦେଶ୍ୟରେ ଡିକେଡିଏ ଏବଂ ଉଦ୍ୟାନ ବିଭାଗ ପକ୍ଷରୁ ନିଆଯାଇଥିବା ଏହି ପଦକ୍ଷେପକୁ ଅଞ୍ଚଳର ଚାଷୀ ଏବଂ ବୁଦ୍ଧିଜୀବୀ ଖୁସି ପ୍ରକାଶ କରିଛନ୍ତି।