୫ ବର୍ଷ ହେଲା ୩ ମିନି ଷ୍ଟାଡିୟମ ନିର୍ମାଣ କାମ ସରୁନି

ଜଗତ୍‌ସିଂହପୁର ଅଫିସ, ୧୧।୯: ପ୍ରତି ବ୍ଲକ ଅଞ୍ଚଳରେ କ୍ରୀଡାର ବିକାଶ ପାଇଁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଗୁରୁତ୍ୱାରୋପ କରୁଥିବା ପ୍ରଚାର ହେଉଛି। ରାଜ୍ୟ ସରକାରଙ୍କ ପକ୍ଷରୁ ୨୦୧୩-୧୪ରୁ ଓଡ଼ିଶାରେ ମିନି ଷ୍ଟାଡିୟମ ଯୋଜନା କାର୍ଯ୍ୟକାରୀ ହୋଇଛି। କିନ୍ତୁ ସରକାରଙ୍କ ଏହି ଯୋଜନା ଜଗତ୍‌ସିଂହପୁର ଜିଲାରେ ପ୍ରହସନ ପାଲଟିଛି। କାରଣ ୨୦୧୬-୧୭ରୁ ଜିଲାର ୬ଟି ବ୍ଲକ ଅଞ୍ଚଳରେ ମିନି ଷ୍ଟାଡିୟମ ନିର୍ମାଣ ପାଇଁ କିସ୍ତି ଅନୁଯାୟୀ ୨୦ ଲକ୍ଷ ଟଙ୍କା ଲେଖାଏ ଅନୁଦାନ ଦିଆଯାଇଛି। ଇତିମଧ୍ୟରେ ୫ ବର୍ଷ ଅତିକ୍ରାନ୍ତ ହୋଇଥିଲେ ସୁଦ୍ଧା ୨ଟିରେ ଆଦୌ କାମ ଆରମ୍ଭ ହୋଇ ନ ଥିବାବେଳେ ୩ଟିରେ ସରୁନାହିଁ। ଜଗତ୍‌ସିଂହପୁର ଓ ପାରାଦୀପ ପୌରାଞ୍ଚଳରେ ଏହି ଷ୍ଟାଡିୟମ ପାଇଁ ଏ ପର୍ଯ୍ୟନ୍ତ ଜମି ଚିହ୍ନଟ ନ ହେବା ଅସନ୍ତୋଷର କାରଣ ହୋଇଛି।

ଜିଲା କ୍ରୀଡା ଅଧିକାରୀଙ୍କ କାର୍ଯ୍ୟାଳୟରୁ ମିଳିଥିବା ସୂଚନା ଅନୁଯାୟୀ, ଜଗତ୍‌ସିଂହପୁର ଜିଲାର ୮ଟି ବ୍ଲକ ଓ ୨ଟି ପୌରାଞ୍ଚଳରେ ମିନି ଷ୍ଟାଡିୟମ ନିର୍ମାଣ କରିବାକୁ ନିଷ୍ପତ୍ତି ହୋଇଛି। ବିରିଡ଼ି, ରଘୁନାଥପୁର, ତିର୍ତ୍ତୋଲ, କୁଜଙ୍ଗ, ବାଲିକୁଦା ଓ ଏରସମା ବ୍ଲକ ଅଞ୍ଚଳରେ ଏହା ନିର୍ମାଣ ପାଇଁ ୨୦୧୬-୧୭ରୁ କିସ୍ତି ଅନୁଯାୟୀ ଅନୁଦାନ ଯୋଗାଇ ଦିଆଯାଇଛି। ସରକାରୀ ନିଷ୍ପତ୍ତି ଅନୁଯାୟୀ, ମିନିଷ୍ଟାଡିୟମ ନିର୍ମାଣ ପାଇଁ ୨୫ ଲକ୍ଷ ଟଙ୍କା ବ୍ୟୟ କରାଯିବ। ସେଥିମଧ୍ୟରୁ ରାଜ୍ୟ କ୍ରୀଡ଼ା ଓ ଯୁବ ସେବା ବିଭାଗ ପକ୍ଷରୁ ୨୦ଲକ୍ଷ ଟଙ୍କା ଅନୁଦାନ ଯୋଗାଇ ଦିଆଯିବ। ଅବଶିଷ୍ଟ ୫ ଲକ୍ଷ ଟଙ୍କା ଏମ୍‌ପି କିମ୍ବା ଏମ୍‌ଏଲ୍‌ଏ ପାଣ୍ଠିରୁ ଖର୍ଚ୍ଚ ହେବ। ମିନି ଷ୍ଟାଡିୟମ ପାଇଁ ସର୍ବନିମ୍ନ ୫ ଏକର ଜମି ଥିବା ଆବଶ୍ୟକ। ଅନୁଦାନରେ ଖାଲ ପୂରଣ ସହ ପଡ଼ିଆ ସମାନ କରାଯାଇ ତା’ଉପରେ ଘାସ ଲଗାଯିବ। ଆବଶ୍ୟକସ୍ଥଳେ ଭଲ ମାଟି କିଣାଯାଇ ଭିତରେ ଭରାଯିବ। ଷ୍ଟାଡିୟମ ଭିତରେ ଜଳ ନିଷ୍କାସନ ପାଇଁ ଡ୍ରେନେଜ୍‌ ବ୍ୟବସ୍ଥା ଓ ଚାରିପଟେ ୩ ଫୁଟ ଉଚ୍ଚର ପାଚେରି ରହିବ। ପାଚେରି ହେବାର ଉଦ୍ଦେଶ୍ୟ ହେଉଛି ଦର୍ଶକମାନେ ଏହା ଉପରେ ବସି ଖେଳ ଉପଭୋଗ କରିପାରିବେ। ଏଥିସହ ଏହା ପରିସରରେ ପାନୀୟ ଜଳ ମଧ୍ୟ ବ୍ୟବସ୍ଥା ହେବା ଜରୁରୀ। ମିନି ଷ୍ଟାଡିୟମରେ ଏକ ଫାଟକ ନିର୍ମାଣ କରାଯିବା ସମ୍ପର୍କରେ ମଧ୍ୟ ନିର୍ଦ୍ଦେଶନାମାରେ ଉଲ୍ଲେଖ ରହିଛି। ଏହି ଅନୁଯାୟୀ, ବିରିଡ଼ି ବ୍ଲକର ମଙ୍ଗୁଳି ଖେଳ ପଡିଆରେ ମିନି ଷ୍ଟାଡିୟମ ନିର୍ମାଣ ପାଇଁ ୨୦ ଲକ୍ଷ ଟଙ୍କା ଅନୁଦାନ ଯୋଗାଇ ଦିଆଯାଇଛି। ଏଥିପାଇଁ ତତ୍କାଳୀନ ରାଜ୍ୟସଭା ସଦସ୍ୟ ନରେନ୍ଦ୍ର ସ୍ବାଇଁ ୫ ଲକ୍ଷ ଟଙ୍କା ଦେଇଥିଲେ। ଏହି କାମ ଶେଷ ହୋଇଥିବା ଦର୍ଶାଯାଉଥିଲେ ସୁଦ୍ଧା ବାସ୍ତବରେ କିନ୍ତୁ ଅସମ୍ପୂର୍ଣ୍ଣ ଥିବା ଅଭିଯୋଗ ହୋଇଛି। ଏଥିମଧ୍ୟରେ କେବଳ ପାଚେରି କରାଯାଇଥିବା କୁହାଯାଉଛି। ସେହିପରି ରଘୁନାଥପୁର ବ୍ଲକ ପାଇଁ ଚିକିଣିଆ ଖେଳ ପଡ଼ିଆରେ ଷ୍ଟାଡିୟମ ନିର୍ମାଣ ପାଇଁ ୨୦୧୬-୧୭ରେ ୧୦ ଲକ୍ଷ ଓ ୨୦୧୮-୧୯ରେ ୧୦ ଲକ୍ଷ, ଏହିପରି ମୋଟ ୨୦ ଲକ୍ଷ ଟଙ୍କା ଅନୁଦାନ ଯୋଗାଇ ଦିଆଯାଇଛି। ପ୍ରଥମ କିସ୍ତି ଟଙ୍କା ବିନିଯୋଗ ହୋଇଥିବାବେଳେ ଦ୍ୱିତୀୟ କିସ୍ତିରୁ ମାତ୍ର ଦେଢ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଥିବା ଦର୍ଶାଯାଉଛି। ୨୦୧୯ରେ ବିଧାୟକଙ୍କ ପାଣ୍ଠିରୁ ୫ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଛି। ୨୦୨୦ରୁ ପାଚେରି କାମ ଆରମ୍ଭ ହୋଇ ସରିଥିବାବେଳେ ମାଟି କାମ ଅଧା ହୋଇରହିଛି।

ଏହା ଭିତରେ ଜିଲାପାଳ ଓ ଡିଆର୍‌ଡିଏ ପ୍ରକଳ୍ପ ନିର୍ଦ୍ଦେଶକ ତଦନ୍ତ କରି ଯାଇଛନ୍ତି। ଏହା ସତ୍ତ୍ୱେ ଏପର୍ଯ୍ୟନ୍ତ କାମ ଶେଷ ହୋଇନାହିଁ। ଅବଶିଷ୍ଟ କାମ ଅକ୍ଟୋବର ୩୧ ପରେ ହେବ ବୋଲି ରଘୁନାଥପୁର ବ୍ଲକ ସହକାରୀ ଯନ୍ତ୍ରୀ ଅମିୟଚାନ୍ଦ ମଲ୍ଲିକ ସୂଚନା ଦେଇଛନ୍ତି। ସେହିପରି ବାଲିକୁଦା ବ୍ଲକ ପାଇଁ ଆମ୍ବଶାଳ ଖେଳ ପଡ଼ିଆକୁ ମିନି ଷ୍ଟାଡିୟମ କରାଯାଇଛି। ଏଠାରେ କାମ ଶେଷ ହୋଇଥିବା ଦର୍ଶାଯାଇ ଉଦ୍‌ଘାଟନ ମଧ୍ୟ ସରିଛି। କିନ୍ତୁ କାମ ସନ୍ତୋଷଜନକ ହୋଇ ନ ଥିବା ଅଭିଯୋଗ ହୋଇଛି। ତିର୍ତ୍ତୋଲ ବ୍ଲକ ପାଇଁ ତେନ୍ତୁଲିପଦାସ୍ଥିତ ସାରଳା ଖେଳ ପଡ଼ିଆକୁ ମିନି ଷ୍ଟାଡିୟମ କରାଯାଉଛି। ଏ ବାବଦରେ ମୋଟ ୨୦ ଲକ୍ଷ ଟଙ୍କା ଅନୁଦାନ ଯୋଗାଇ ଦିଆଯାଇଛି। କିନ୍ତୁ ଏ ପର୍ଯ୍ୟନ୍ତ ପଡ଼ିଆ ଓ ପାଚେରି କାମ ଶେଷ ହୋଇନାହିଁ। ଅନୁରୂପ ଭାବେ ଏରସମା ବ୍ଲକ ସୋମପୁରଠାରେ ମିନି ଷ୍ଟାଡିୟମ ନିର୍ମାଣ ପାଇଁ ଏକକାଳୀନ ୨୦ ଲକ୍ଷ ଟଙ୍କା ଅନୁଦାନ ମିଳିଥିଲେ ମଧ୍ୟ ଏ ପର୍ଯ୍ୟନ୍ତ କାମ ଆରମ୍ଭ ହୋଇନାହିଁ। କୁଜଙ୍ଗ ବ୍ଲକ ଅଧୀନ ରାହାମା ପଡିଆରେ ମିନି ଷ୍ଟାଡିୟମ କାମ ଶେଷ ହୋଇଥିବା ଦର୍ଶାଯାଉଛି। କିନ୍ତୁ ପଡ଼ିଆ ସମତୁଲ ସହ ଜଳ ନିଷ୍କାସନ ସୁବିଧା କରାଯାଇନାହିଁ। ଯେଉଁ କାରଣରୁ ସାମାନ୍ୟ ବର୍ଷାରେ ପାଣି ଜମି ରହୁଛି । ଏବେ ପଡ଼ିଆରେ ଆଣ୍ଠଏ ଲେଖାଏ ଘାସ ଦେଖିବାକୁ ମିଳୁଛି। ତେବେ ଏହି ପରିସରରେ ଖୋଲା ଜିମ୍‌ କରାଯାଇଛି। କେବଳ ରାହାମା ନୁହେଁ ଯେଉଁଠି କାମ ହୋଇଛି କୌଣସି ସ୍ଥାନରେ ଜଳ ନିଷ୍କାସନ ସୁବିଧା ନ ଥିବା ଅଭିଯୋଗ ହୋଇଛି। ଏଥିସହ ପାନୀୟ ଜଳ ସୁବିଧା ମଧ୍ୟ ନାହିଁ। ଅନାବନା ଘାସ ଓ ଗଛ ଯୋଗୁ ପଡ଼ିଆ ଭିତରେ ପ୍ରବେଶ କରିବା ସହଜ ହେଉନାହିଁ।

ଏ ସମ୍ପର୍କରେ ଜିଲା କ୍ରୀଡ଼ା ଅଧିକାରୀ ବିଶ୍ୱବିଜୟିନୀ ପଟ୍ଟନାୟକ କହିଛନ୍ତି, ଏରସମା ଓ ଜଗତ୍‌ସିଂହପୁର ବ୍ଲକ ଅଞ୍ଚଳରେ କାମ ଆରମ୍ଭ ହୋଇ ନ ଥିବା ସାଙ୍ଗକୁ ଜଗତ୍‌ସିଂହପୁର ଓ ପାରାଦୀପ ପୌର ପରିଷଦ ପାଇଁ ଜମି ସମସ୍ୟା ଥିବା ସ୍ବୀକାର କରିଛନ୍ତି। ସରକାର ପ୍ରଥମେ ଖୋଲା ଜିମ୍‌ କରିବାକୁ ନିଷ୍ପତ୍ତି ନେଇଥିଲେ। କିନ୍ତୁ ଏବେ ଆଉ କରାଯିବ ନାହିଁ ବୋଲି ନିର୍ଦ୍ଦେଶ ଆସିଛି। ତେବେ ଦୁର୍ନୀତି ଉପରେ ସେ କୌଣସି ପ୍ରତିକ୍ରିୟା ଦେବାକୁ ମନା କରି ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଏ କେଉଁ ପ୍ରକାର ସଙ୍କେତ? ଶ୍ରୀମନ୍ଦିର ନୀଳଚକ୍ର ଉପରେ ପୁଣି ବସିଲା ଚିଲ

ପୁରୀ,୩୦।୩( ଅଜିତ୍ କୁମାର ମହାନ୍ତି)ଶ୍ରୀମନ୍ଦିର ନୀଳଚକ୍ର ଉପରେ ଲଗାତାର ଚିଲ ବସୁଥିବା ଦେଖିବାକୁ ମିଳୁଛି ।  ସୋମବାର ସକାଳୁ ଚିଲ ବସିଥିବା ଦେଖିବାକୁ ମିଳିଛି । ଏକ…

ଶୁଣୁନି ପ୍ରଶାସନ: ରାଶନ କାର୍ଡ, ଭତ୍ତାରୁ ବଞ୍ଚିତ ମହିଳା

ନନ୍ଦପୁର/ପାଡୁଆ, ୩୦।୩(ତୁଷାର କାନ୍ତ ମହାନ୍ତି/ଶଙ୍କର ପୂଜାରୀ)-କୋରାପୁଟ ଜିଲା ନନ୍ଦପୁର ବ୍ଲକ୍‌ ପାଡୁଆ ପଞ୍ଚାୟତ ସଦର ମହକୁମା ଉପରସାହିର ଲକ୍ଷ୍ମୀ ଖରା(୬୬) ସରକାରଙ୍କ ରାଶନ କାର୍ଡ, ଭତ୍ତା ଆଦି…

ଧାନମଣ୍ଡିରେ ବ୍ୟାପକ ଅନିୟମିତତା: ରାସ୍ତାରେ ଧାନ ରଖି ପ୍ରତିବାଦ କଲେ ଚାଷୀ

ପରଜଙ୍ଗ,୩୦ା୩(ନିଗମାନନ୍ଦ ଦଳବେହେରା): ଢେଙ୍କାନାଳ ଜିଲା ପରଜଙ୍ଗ ବ୍ଲକସ୍ଥିତ ସାଆନ୍ଦା କୃଷି ସମବାୟ ସମିତି କାର୍ଯ୍ୟାଳୟ ଅଧିନରେ ହେଉଥିବା ଧାନମଣ୍ଡିରେ ବ୍ୟାପକ ଅନିୟମିତତା ଅଭିଯୋଗ ହୋଇଛି। ଯେଉଁ ଚାଷୀମାନେ…

‘ଧରିତ୍ରୀ’ ବିରୋଧରେ ଅଭିଯୋଗ ଭିତ୍ତିହୀନ, ମାମଲା ଖାରଜ କଲେ କୋର୍ଟ

ପୁରୀ/ଗୋପ,୩୦ା୩( ଅଜିତ ମହାନ୍ତି/ ଭାରତୀ ଭୂଷଣ ଉପାଧ୍ୟାୟ): ଜାଲ ସାର୍ଟିଫିକେଟ ରାକେଟ ସମ୍ପର୍କିତ ଖବର ପ୍ରକାଶନ ବିରୋଧରେ ଧରିତ୍ରୀ ଏବଂ ଏହାର ଖବରଦାତାଙ୍କ ବିରୋଧରେ ହୋଇଥିବା ଏକ…

ଫୁଲ ତୋଳିବା ହେଲା କାଳ, କୂଅରେ ପଡ଼ି ଚାଲିଗଲା ବୃଦ୍ଧାଙ୍କ ଜୀବନ

ନନ୍ଦପୁର,୩୦।୩(ତୁଷାର କାନ୍ତ ମହାନ୍ତି): କୋରାପୁଟ ଜିଲା ନନ୍ଦପୁର ବ୍ଲକ ସଦର ମହକୁମା ବାହିରିପଡ଼ା ଜମି ଭିତରେ ଥିବା ଏକ ପରିତ୍ୟକ୍ତ କୂଅରେ ପଡ଼ି ଜଣେ ବୃଦ୍ଧା ମହିଳାଙ୍କ…

ଦ୍ରୁତଗାମୀ ଟ୍ରକ୍‌ ଧକ୍କାରେ ଓଲଟି ପଡ଼ିଲା ଅଟୋ, ଚାଲିଗଲା ମହିଳାଙ୍କ ଜୀବନ

ସମ୍ବଲପୁର,୩୦ା୩(ପ୍ରମୋଦ ବହିଦାର): ସମ୍ବଲପୁର ଜିଲା ଯୁଯୁମୁରା ଥାନା ଅନ୍ତର୍ଗତ ୫୫ ନମ୍ବର ଜାତୀୟ ରାଜପଥର ଫୁଲଝରଣ ନିକଟରେ ସୋମବାର ସକାଳୁ ଏକ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଯାଇଛି।…

ଗ୍ୟାସ୍‌ ପାଇଁ ପୁଣି ରାସ୍ତାକୁ ଓହ୍ଲାଇଲେ ଉପଭୋକ୍ତା, କଳାବଜାର ଆଶଙ୍କା କରି…

କେନ୍ଦୁଝର,୩୦ା୩(ନରେଶ ଚନ୍ଦ୍ର ପଟ୍ଟନାୟକ): ରୋଷେଇ ଗ୍ୟାସ ବିତରଣ ସମସ୍ୟା ପ୍ରତିବାଦରେ ସୋମବାର ଗ୍ୟାସ୍‌ ଆଣିବାକୁ ଯାଇଥିବା ଉପଭାକ୍ତା ସିଲିଣ୍ଡର ଧରି ପ୍ରତିବାଦ କରିବା ସହ କେନ୍ଦୁଝର-ଶଙ୍କରପୁର-ବେଲଦା ରାସ୍ତା…

ଉପଜିଲାପାଳଙ୍କ ଅଫିସ ନିକଟରେ ଅଗ୍ନିକାଣ୍ଡ, ୩ ଦୋକାନ ଛାରଖାର

ବଲାଙ୍ଗୀର,୩୦ା୩(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ସାଗରପଡ଼ା ଉପଜିଲାପାଳଙ୍କ ଅଫିସ ନିକଟ ଛକରେ ସୋମବାର ଅଗ୍ନିକାଣ୍ଡ ଘଟି ତିନି ଦୋକାନ ଛାରଖାର ହୋଇଯାଇଛି। ଗୋଟିଏ ଟାୟାର ଦୋକାନ ଓ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri